ଟୋକିଓ: ଏଠାରେ ଚାଲିଥିବା ପାରାଲିମ୍ପିକ୍ ଗେମ୍ରେ ଭାରତର ଭାବିନାବେନ୍ ପଟେଲ୍ ଟେବଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ର ମହିଳା ସିଙ୍ଗଲ୍ସ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ଏହା ସହିତ ଚଳିତ ଟୋକିଓ ପାରାଲିମ୍ପିକ୍ରେ ସେ ଦେଶ ପାଇଁ ପ୍ରଥମ ପଦକ ପକ୍କା କରିଛନ୍ତି । ତେବେ ଭାରତର ମହିଳା ପାୱାର୍ଲିଫ୍ଟର୍ ସାକିନା ଖାତୁନ୍ ୫ମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛନ୍ତି । ଟୋକିଓ ପାରାଲିମ୍ପିକ୍ ନିୟମ ଅନୁସାରେ ଟେବଲ୍ ଟେନିସ୍ରେ କ୍ଲାସ୍-୧ରୁ କ୍ଲାସ୍-୧୧ ପର୍ଯ୍ୟନ୍ତ ସେମିଫାଇନାଲ୍ରେ ପ୍ରବେଶ କରିବା ପରେ ପଦକ ପକ୍କା ହୋଇଥାଏ । ଭାବିନାବେନ୍ ଯଦି ସେମିଫାଇନାଲ୍ ମ୍ୟାଚ୍ ଜିତନ୍ତୁ, ତେବେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ପାଇଁ ଫାଇନାଲ୍ ମ୍ୟାଚ୍ ଖେଳିବେ। ନଚେତ୍ ତାଙ୍କର ବ୍ରୋଞ୍ଜ୍ ପଦକ ପକ୍କା । ଶନିବାର ସେମିଫାଇନାଲ୍ରେ ସେ ଚୀନ୍ର ଝାଙ୍ଗ୍ ମିଆଓଙ୍କୁ ଭେଟିବେ ।
ଶୁକ୍ରବାର ଅନୁଷ୍ଠିତ କ୍ଲାସ୍-୪ ବର୍ଗର କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ ସେ ଗତ ଥରର ବିଜେତା ସର୍ବିୟାର ବୋରିସ୍ଲୋଭା ରାଙ୍କୋଭିଚ୍ଙ୍କୁ ଲଗାତାର ତିନିଟି ଗେମ୍ରେ ୧୧-୫, ୧୧-୬, ୧୧-୭ରେ ପରାଜିତ କରିଥିଲେ । ଭାବିନାବେନ୍ ଶୁକ୍ରବାର ଅନୁଷ୍ଠିତ ପ୍ରିକ୍ୱାର୍ଟର୍ ଫାଇନାଲ୍ରେ ମ୍ୟାଚ୍ରେ ବ୍ରାଜିଲ୍ର ଜୟଜ୍ ଡି ଓଲିଭିଏରାଙ୍କୁ ୧୨-୧୦, ୧୩-୧୧, ୧୧-୬ରେ ପରାସ୍ତ କରିଥିଲେ । ଫଳରେ ଭାବିନାବେନ୍ ପାରାଲିମ୍ପିକ୍ର କ୍ୱାର୍ଟର୍ ଫାଇନାଲ୍ ଓ ସେମିଫାଇନାଲ୍ରେ ପହଞ୍ଚିବାରେ ଭାରତର ପ୍ରଥମ ପାରା ଟେବଲ୍ ଟେନିସ୍ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି ।
ସେହିପରି ଭାରତର ପ୍ରଥମ ମହିଳା ପାୱାର୍ଲିଫ୍ଟର ଭାବେ ଟୋକିଓ ପାରାଲିମ୍ପିକ୍ର ୫୦ କେଜି ବର୍ଗରେ ଭାଗ ନେଇଥିବା ସାକିନା ଖାତୁନ୍ ୫ମ ସ୍ଥାନରେ ରହିଥିଲେ । ସେ ୯୩ କେଜି ଭାର ଉଠାଇଥିଲେ, ଯାହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ପାୱାର୍ଲିଫ୍ଟିଂରେ ପ୍ରତ୍ୟେକ ଖେଳାଳିଙ୍କୁ ୩ଟି ସୁଯୋଗ ଦିଆଯାଇଥାଏ । ଏହା ମଧ୍ୟରୁ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ହିସାବକୁ ନିଆଯାଇଥାଏ । ପ୍ରଥମ ସୁଯୋଗରେ ସାକିନା ୯୦ କେଜି ୱେଟ୍ ଉଠାଇଥିଲେ ଏବଂ ପରବର୍ତ୍ତୀ ଦୁଇଟି ସୁଯୋଗରେ ୯୩ କେଜି ଲେଖାଏଁ ଉଠାଇଥିଲେ ।
ଚୀନ୍ର ଏଚ୍ୟୁ ଡି ପେ ୧୨୦ କେଜି ୱେଟ୍ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଇଜିପ୍ଟର ଆର୍ ଅହମଦ ୧୨୦ କେଜି ଉଠାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଗୋଟିଏ ବିଫଳ ଉଦ୍ୟମ ଯୋଗୁଁ ତାଙ୍କୁ ରୌପ୍ୟ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଅନ୍ୟପକ୍ଷରେ ପୁରୁଷ ୬୫ କେଜି ବର୍ଗର ଫାଇନାଲ୍ରେ ଭାରତ ଜୟଦୀପ କୁମାର ସମ୍ପୂର୍ଣ୍ଣ ଭାବେ ବିଫଳ ହେବା ସହିତ କୌଣସି ସ୍କୋର୍ କରିପାରି ନାହାନ୍ତି । ପ୍ରଥମ ଦୁଇଟି ଉଦ୍ୟମରେ ସେ ୧୬୦ କେଜି ଉଠାଇବାରେ ବିଫଳ ହୋଇଥିଲେ । ପରେ ୩ୟ ଉଦ୍ୟମରେ ୧୬୭ କେଜି ମଧ୍ୟ ଉଠାଇ ନପାରି ବିନା ସ୍କୋର୍ରେ ଇଭେଣ୍ଟ୍ ଶେଷ କରିଥିଲେ ।