ଭୁବନେଶ୍ୱର: ହକି ଖେଳାଳିଙ୍କ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆଉ ୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା । ଓଡ଼ିଶାର ସମର୍ଥନ ଓ ହକି ଖେଳକୁ ଭଲ ପାଇବା ପୂର୍ବପରି ଜାରି ରହିବ । ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ମଙ୍ଗଳବାର ପ୍ରାୟୋଜକ ଓଡ଼ିଶା ମାଟିରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ସନ୍ଧ୍ୟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି । ହକି ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବା ଏବଂ ଏହି ଜାତୀୟ କ୍ରୀଡ଼ାକୁ ଓଡ଼ିଶା ଗୁରୁତ୍ୱ ଦେବା ହିଁ ଏହା ଦ୍ୱାରା ପୁଣି ଥରେ ପ୍ରମାଣିତ ହୋଇଛି ।
ଶ୍ରୀ ପଟ୍ଟନାୟକ କରିଛନ୍ତି ଯେ, ୨୦୧୮ରୁ ୨୦୨୩ ଯାଏଁ ଭାରତୀୟ ହକିର ପ୍ରାୟୋଜକ ରହିବାକୁ ରାଜ୍ୟ ସରକାର ହକି ଇଣ୍ଡିଆ ସହ ଚୁକ୍ତି କରିଥିଲେ । ଏହି ଅବଧିକୁ ଆହୁରି ୧୦ ବର୍ଷ ବୃଦ୍ଧି କରାଯାଇଛି । ଅଥାର୍ତ ୨୦୩୩ ଯାଏଁ ଭାରତୀୟ ହକି ଟିମ୍ର ପ୍ରାୟୋଜକ ରହିବ ଓଡ଼ିଶା । ଏଭଳି ଘୋଷଣା କରି ହକି ଇଣ୍ଡିଆକୁ ସାହାରା ଇଣ୍ଡିଆ ହାତ ଛାଡ଼ିଦେବାରୁ ଦୁର୍ଦ୍ଦଶାରେ ପଡ଼ିଥିବା ଭାରତୀୟ ହକି ଟିମ୍କୁ ସାହାରା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୧ ବର୍ଷ ପରେ ଭାରତୀୟ ହକି ଟିମ୍ ଅଲିମ୍ପିକ୍ସ ସଫଳତା ପାଇଛି । ଏହି ସଫଳତାର ଶ୍ରେୟ ଓଡ଼ିଶାକୁ ମିଳିଛି ।
ଭାବବିହ୍ୱଳ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଟୋକିଓରେ ତୁମମାନେ ଚମତ୍କାର ପ୍ରଦର୍ଶନ କଲ । ସେଥିପାଇଁ କେବଳ ଓଡ଼ିଶାବାସୀ ନୁହଁନ୍ତି, ସାରା ଦେଶବାସୀ ଗର୍ବିତ । କୋଟି କୋଟି ଭାରତୀୟଙ୍କ ମୁହଁରେ ହସ ଫୁଟି ଉଠିଛି । ଆମର ବୀର ବାଳକ ଓ ବାଳିକାମାନେ ଏଥିପାଇଁ ଧନ୍ୟବାଦର ପାତ୍ର । ସେଥିପାଇଁ ହକି ଇଣ୍ଡିଆ ସହ ଆମେ ଆମର ଭାଗିଦାରୀ ବଜାୟ ରଖିବୁ । ଆଉ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଟିମ୍କୁ ଓଡ଼ିଶା ପ୍ରୋତ୍ସାହନ ଜାରି ରଖିବ । କାରଣ ‘ଓଡ଼ିଶା ଓ ହକି’- ଏକ ଏବଂ ଅଭିନ୍ନ । ହକିର ନୂଆ ଯୁଗ ସହ ଭାରତର ଗୌରବ ଫେରିଆସିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ ।
ଭାରତୀୟ ଅଲମ୍ପିକ୍ ସଂଘର ସଭାପତି ଡକ୍ଟର ନରିନ୍ଦର ଧ୍ରୁବ ବାତ୍ରା, ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ, ହକି ଇଣ୍ଡିଆ ସେକ୍ରେଟାରୀ ଜେନେରାଲ୍ ରାଜିନ୍ଦର ସିଂହ, ହକି ଇଣ୍ଡିଆ ସିଇଓ ଏଲିନା ନରମାନ୍ଙ୍କ ସମତେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ହକି ପ୍ରମୋସନ୍ କାଉନସିଲ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି କେ.ପାଣ୍ଡିଆନ, କ୍ରୀଡ଼ା ସଚିବ ଆର.ଭିନୀଲ୍ କ୍ରୀଷ୍ଣା ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅଲିମ୍ପିକ୍ସ ହୀରୋମାନଙ୍କୁ ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଆରମ୍ଭ କରି ହୋଟେଲ, କଳିଙ୍ଗ ଷ୍ଟାଡିୟମ୍ ସବୁଠି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଓଡ଼ିଶାର ପାରମ୍ପରିକ ନୃତ୍ୟଗୀତ ସହ ବାଜା ବଜାଇ ଖେଳାଳିଙ୍କୁ ଫୁଲ ପକାଇ ପାଛୋଟି ଅଣାଯାଇଥିଲା ।