ଜେରୁଜେଲମ୍ : ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ପୁଣି ଆକ୍ରମଣ । ପାଲେଷ୍ଟାଇନ ସୀମାରେ ଥିବା ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ବେଲୁନ ଦକ୍ଷିଣ ଇସ୍ରାଏଲ ଅଞ୍ଚଳକୁ ଛାଡ଼ିବା ପରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି । ମେ ୨୧ ରୁ ହୋଇଥିବା ଅସ୍ତ୍ରବିରତି ପରେ ଗତକାଲି ପ୍ରଥମ ଥର ପାଇଁ ଇସ୍ରାଏଲ୍ ଏହି ଆକ୍ରମଣ କରିଛି । ଗାଜା ସହରର ଖାନ୍ ୟୁନୁସ ଅଞ୍ଚଳକୁ ଟାର୍ଗେଟ କରି ଇସ୍ରାଏଲ୍ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିଥିବା ଗାଜା କର୍ତ୍ତୃପକ୍ଷ କହିଛନ୍ତି।
ବିସ୍ଫୋରକ ଭର୍ତ୍ତି ବେଲୁନ ଛାଡ଼ି ପାଲେଷ୍ଟାଇନ ବଡ଼ ଧରଣ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିଥିବାରୁ ଏହାର ପାଲଟା ଜବାବ ଦିଆଯାଇଛି ବୋଲି ଇସ୍ରାଏଲ୍ କର୍ତ୍ତୃପକ୍ଷ କହିଛନ୍ତି । ଇସ୍ରାଏଲରେ ନୂଆ ମେଣ୍ଟ ସରକାର ଗଠନ ପରେ ପରେ ହିଁ ଏହି ଆକ୍ରମଣ କରାଯାଇଛି । ୧୨ ବର୍ଷ କ୍ଷମତାରେ ରହିବା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇସ୍ତଫା ଦେବା ପରେ ରବିବାର ରାତିରେ ନୂତନ ମିଳିତ ସରକାର ଗଠନ କରାଯାଇଥିଲା। ନୂଆ ସରକାରରେ ବୁଧବାର ଗାଜା ବିରୋଧରେ ପ୍ରଥମ ଏୟାର ଷ୍ଟ୍ରାଇକ୍ କରାଯାଇଛି । ବିସ୍ଫୋରକ ଭର୍ତ୍ତି ବେଲୁନ ବେଲୁନ୍ ବିଷୟରେ ଇସ୍ରାଏଲର ଅଗ୍ନିଶମ ଅଧିକାରୀ କହିଛନ୍ତି, ଏହା ଦକ୍ଷିଣ ଇସ୍ରାଏଲରେ ପ୍ରାୟ ୨୦ ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟାଇଛି ।
ସୂଚନାଯୋଗ୍ୟ ଗତମାସରେ ୧୧ ଦିନ ଧରି ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇଥିଲା । ମେ ୨୧, ୨୦୨୧ରେ ଅସ୍ତ୍ରବିରତି ରାଜିନାମା ରୂପରେ ଏହି ଯୁଦ୍ଧ ସମାପ୍ତ ହୋଇଥିଲା । ତେବେ ସେହି ଚୁକ୍ତିନାମାର ଏବେ ଅନ୍ତ ହେବା ପରି ଲାଗୁଛି । ଏହି ଯୁଦ୍ଧରେ ଇସ୍ରାଏଲ ଓ ହମାସ ଉଭୟ ପକ୍ଷରୁ ଶହ ଶହ ରକେଟ୍ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ପ୍ରାୟ ୨୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଫାଲେଷ୍ଟାଇନ୍ ନାଗରିକ ଥିଲେ ।