ଢେଙ୍କାନାଳ : ନୀଚଜାତିର ପୁଅକୁ ପ୍ରେମ ବିବାହ କରିବା ନେଇ ଝିଅଘର ଲୋକ ଗତକାଲି ବିଳମ୍ବିତ ରାତିରେ ପୁଅ ଘରେ ପଶି ପ୍ରେମୀ ଯୁୁଗଳଙ୍କୁ ମାରିଦେବାକୁ ଉଦ୍ୟମ କରିଛନ୍ତି । ତେବେ ଗ୍ରାମବାସୀ ଆସିଯିବାରୁ ଆକ୍ରମଣକାରୀମାନେ ଖସି ପଳାଇଥିବା ବେଳେ ଏକ ବନ୍ଧୁକ ଘଟଣା ସ୍ଥଳରେ ଛାଡ଼ି ଚାଲିଯାଇଛନ୍ତି । ଏହି ଆକ୍ରମଣରେ ପ୍ରେମୀ ଯୁଗଳଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସାଧୀନ ଅଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ନିମତଇଳାରେ । ଆହତମାନେ ହେଲେ ତରଭା ଗ୍ରାମର ଦେବେନ୍ଦ୍ର ସେଠୀ, ପତ୍ନୀ ପ୍ରଜ୍ଞାପାରମିତା, ଦେବେନ୍ଦ୍ରଙ୍କ ବାପା ପ୍ରମୋଦ ସେଠୀ, ଦେବେନ୍ଦ୍ରଙ୍କ ଦାଦାପୁଅ ଭାଇ ଶ୍ରୀକାନ୍ତ ଓ ଶ୍ରୀଧର ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଅଲରା ଗ୍ରାମର ବିଜୟ ନାୟକଙ୍କ ଝିଅ ପ୍ରଜ୍ଞା ପାରମିତା ପ୍ରେମ ସମ୍ପର୍କ ଯୋଗୁ ଘରୁ ପଳାଇ ଆସି ଗତ ମାସ ୧୭ ତାରିଖରେ ତରଭା ଗ୍ରାମର ଦେବେନ୍ଦ୍ରଙ୍କୁ ବିବାହ କରିଥିଲେ । ତେବେ ଦେବେନ୍ଦ୍ର ନୀଚ ଜାତିର ହୋଇଥିବାରୁ ପ୍ରଜ୍ଞାପାରମିତାଙ୍କ ଘରେ ଏହାକୁ ବିରୋଧ କରିଥିଲେ । ପରେ ଏନେଇ ସଦର ଥାନାରେ ପ୍ରଜ୍ଞାଙ୍କ ପରିବାର ଲୋକ ତାଙ୍କ ଝିଅଙ୍କୁ ଅପହରଣ କରାଯାଇଥିବା ନେଇ ସଦର ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଥାନାରେ ଝିଅ ପ୍ରଜ୍ଞା ନିଜ ଜିଦରେ ଅଟଳ ରହିବାରୁ ପରିବାର ଲୋକ ଝିଅକୁ ନେଇନପାରି ବିଫଳ ହୋଇ ଫେରିଯାଇଥିଲେ ।
ମାତ୍ର ନୀଚ ଜାତିରେ ଝିଅ ବାହା ହୋଇଥିବାରୁ ପରିବାର ଲୋକ ପ୍ରତିଶୋଧ ପରାୟଣ ହୋଇ ଏକ ବୋଲେରୋ ଯୋଗେ ୫ ଜଣ ଯୁବକ ଦୁଇଟି ପିସ୍ତଲ, ଖଣ୍ଡା, ଭୁଜାଲି ଓ ଲୁହାରଡ଼ ଆଦି ମାରଣାସ୍ତ୍ରରେ ସଜ୍ଜିତ ହୋଇ ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଦେବେନ୍ଦ୍ରଙ୍କ ଘରେ ପଶି ଦେବେନ୍ଦ୍ର ଓ ପ୍ରଜ୍ଞା ପରମିତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ । ପାଟିଶୁଣି ପରିବାର ଲୋକ ଉଠିପଡିବାରୁ ଯୁବକମାନଙ୍କ ସହ ହାତାପାଇ ହେବା ସହ ଦେବେନ୍ଦ୍ରଙ୍କ ବାପା ଓ ଦାଦାପୁଅ ଭାଇ ଲହୁଲୁହାଣ ହୋଇପଡିଥିଲେ ବୋଲି ପ୍ରଜ୍ଞା ଓ ଦେବେନ୍ଦ୍ର ଅଭିଯୋଗ କରିଛନ୍ତି । ଖବର ପାଇ ସଦର ଥାନା ପୁଲିସ୍ ବହୁ ବିଳମ୍ବରେ ପହଞ୍ଚି ଘଟଣ।। ସ୍ଥଳରୁ ଏକ ବନ୍ଧୁକ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ଏନେଇ ପୁଲିସ୍ ପକ୍ଷରୁ ମାମଲା ରୁଜୁ କରାଯାଇଛି ।