27.1 C
Bhubaneswar
Thursday, April 25, 2024
Homeଓଡିଶାଶେଷହେଲା ୩ ରଥର ୨୧ ଚକ ନିର୍ମାଣ କାର୍ଯ୍ୟ

ଶେଷହେଲା ୩ ରଥର ୨୧ ଚକ ନିର୍ମାଣ କାର୍ଯ୍ୟ

ପୁରୀ :: ଶୁକ୍ରବାର ଭଉଁରୀ ଯାତ୍ରା ଅବସରରେ ୩ରଥର ୨୧ଟି ଚକର ନିର୍ମାଣ ଶେଷ ହୋଇଥିଲା । ଶୁକ୍ରବାର ଦିନ ଆଉ ୫ଟି ଚକର ନିର୍ମାଣ ସରି ମୋଟ ୨୬ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଥିସହିତ ୩ରଥ ପାଇଁ ଆବଶ୍ୟକ ୨୧ଟି ଅଖର ନିର୍ମାଣ ଶେଷ ହୋଇଛି । ୩ରଥର ପ୍ରଥମ ଭୂଇଁ ପ୍ରସ୍ତୁତି ପାଇଁ ପ୍ରତ୍ୟେକ ରଥର ୮ଟି ଖମ୍ବି ମଧ୍ୟରୁ ୩ରଥର ୬ଟି ଲେଖାଏଁ ଖମ୍ବିର ଚଉପଟ ସରି ୨ପାଶ୍ୱର୍ରେ ସାଲକାମ ସରିଛି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥର ୮ଟି ଲେଖାଏଁ ସାଲଗୁଜରେ ରୂପକାର ସେବକମାନେ ସିଂହବିରାଳ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ଏହାପରେ ସିଂହାସନ ମୁହାଁଟି, ନାଟଗୋଡ଼ କାର୍ଯ୍ୟ ଆରମ୍ଭ ହେବ । ନାଟଗୋଡ଼ରେ ଖୋଦେଇ ହେବ ରାକ୍ଷସ ବା ଗନ୍ଧର୍ବ ରୂପ । ଶୁକ୍ରବାର ଦିନ ରଥଖଳାରେ ମୋଟ ୧୯୨ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିଲେ ।

ସେମାନଙ୍କ ମଧ୍ୟରେ ୭୬ଜଣ ମହାରଣା, ୭୨ଜଣ ଭୋଇ ସେବକ, ୪ଜଣ କରତି ସେବକ, ଜଣେ ପାହି ମହାରଣା, ୧୭ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ସେବକ ଓ ଜଣେ ରଥଖଳା ସହାୟକ ଅନ୍ତର୍ଭୁକ୍ତ । ଭଉଁରୀ ସୁଦ୍ଧା ତାଳଧ୍ୱଜର ୭ଟି ଚକ ତିଆରି ଶେଷ ହୋଇଥିବା ବେଳେ ଶୁକ୍ରବାର ଦିନ ଆଉ ଗୋଟିଏ ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ନବମ ଓ ଦଶମ ଚକର ତୁମ୍ବରେ ଅର ସଂଯୋଗ ଓ ସିଙ୍ଗଡ଼ା ବାଡ଼ିଆ ପରେ ଅର, ସାଲ କାମ ସରି ତୁମ୍ବର ପନ୍ଦାରୀ ଗାଡ଼ ଖୋଲା ଚାଲିଛି । ଏଥିସହିତ ୭ଟି ଅଖର ନିର୍ମାଣ ମଧ୍ୟ ଶେଷ ହୋଇଛି । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ୬ଟି ଚକର ନିର୍ମାଣ କାର୍ଯ୍ୟ ଗୁରୁବାର ସୁଦ୍ଧା ଶେଷ ହୋଇଥିଲା । ଶୁକ୍ରବାର ଦିନ ଆଉ ୨ଟି ଚକର ନିର୍ମାଣ କାର୍ଯ୍ୟ ସରିବା ଫଳରେ ସମ୍ପୂର୍ଣ୍ଣ ହୋଇଥିବା ଚକର ସଂଖ୍ୟା ୮ରେ ପହଞ୍ଚିଛି। ନବମ ଓ ଦଶମ ଚକର ତୁମ୍ବରେ ପଇ ସଂଯୋଗ ସରିଛି ଓ ମୋଟ ୬ଟି ଅଖର ନିର୍ମାଣ ଶେଷ ହୋଇଛି ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ୮ଟି ଚକର ନିର୍ମାଣ କାର୍ଯ୍ୟ ଗୁରୁବାର ସୁଦ୍ଧା ଶେଷ ହୋଇଥିଲା । ଶୁକ୍ରବାର ଦିନ ଆଉ ୨ଟି ଚକର ନିର୍ମାଣ ଶେଷ ହେବା ଫଳରେ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଚକସଂଖ୍ୟା ୧୦ରେ ପହଞ୍ଚିଛି । ଏକାଦଶ ଓ ଦ୍ୱାଦଶ ଚକରେ ଅର ସଂଯୋଗ ପରେ ଜନ୍ତାଗାଡ଼ ଠାରେ ସିଙ୍ଗଡ଼ା ବାଡ଼ିଆ କାମ ଚାଲିଛି । ଏଥିସହିତ ମହାପ୍ରଭୁଙ୍କ ରଥର ମୋଟ ୮ଟି ଅଖର ନିର୍ମାଣ ଶେଷ ହୋଇଥିବା ବେଳେ ପ୍ରଥମ ଭୂଇଁ ପାଇଁ ୮ଟି ଖମ୍ବିର ଚଉପଟ କାମ ସରିଛି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନଙ୍କ ଦ୍ୱାରା ତାଳଧ୍ୱଜ ରଥର ପନ୍ଦାରୀ ନିର୍ମାଣ ଶେଷ ହେବା ପରେ ଚାରି ନାହାକା ପାଇଁ ଚଣାକ କଣ୍ଟା ଓ ଗୟଳ ବାନ୍ଧେଣୀ ପାଇଁ ଯୋଖା ତିଆରି କାମ ଚାଲିଛି । ଏଥିସହିତ ନନ୍ଦିଘୋଷ ଓ ଦେବଦଳନ ରଥର ଦୁଆର ବନ୍ଧ ପାଇଁ ଅଗ ପାତେଳି କଣ୍ଟା, ଗୟଳ କଣ୍ଟା ଓ ସିଙ୍ଗଡ଼ା କଣ୍ଟା ତିଆରି କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking