ନୟାଗଡ଼ : ବିଭିନ୍ନ ସୂତ୍ରରୁ ଧାର କରଜ କରି ୨ପୁଅଙ୍କୁ ଉଚ୍ଚ ଶିକ୍ଷିତ କରିବା ଏବେ ଦମ୍ପତିଙ୍କ ପାଇଁ ଆଶୀର୍ବାଦ ପରିବର୍ତ୍ତେ ଅଭିଶାପ ପାଲଟିଥିବା ଜଣାଯାଇଛି । କିଭଳି ଧାର କରଜ ଟଙ୍କା ଶୁଝିବେ ସେହି ଚିନ୍ତାରେ ଦିନ କାଟୁଥିବା ଏହି ଦମ୍ପତି ପରିଶେଷରେ କିଡ୍ନୀ ବିକ୍ରିକରି ସମସ୍ତ ଟଙ୍କା ସୁଝିଦେବା ପାଇଁ ନିଷ୍ପତି ନେଇଛନ୍ତିି । ନୟାଗଡ଼ ଜିଲ୍ଲାର ଭାପୁର ବ୍ଳକ୍ ଅଧିନ ବାଘୁଆପଲ୍ଲୀ ପଂଚାୟତ ଓଳାସ ଗ୍ରାମର ଅଭୟ ନାୟକ(୫୫) ଓ ପତ୍ନୀ ରଞ୍ଜୁବାଳାଙ୍କର ୨ପୁତ୍ର ଏବେ ଉଚ୍ଚ ଶିକ୍ଷିତ । ବଡ଼ପୁଅ ଭୁବନେଶ୍ୱର ସ୍ଥିତ କିଟ୍ରୁ ଇଞ୍ଜିନିୟରିଂରେ ଉତ୍ତୀର୍ଣ୍ଣ ହୋଇ ଏବେ ପୁନେଠାରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ସାନପୁଅ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ଏକ କମ୍ପାନୀରେ ନିଯୁକ୍ତିପାଇଛି । ଏବେ କରୋନା କଟକଣା ଯୋଗୁଁ ସାନପୁଅ ଗ୍ରାମରେ ରହୁଥିବା ଜଣାଯାଇଛି ।
୨ପୁଅଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ଜାତୀୟକରଣ ବ୍ୟାଙ୍କ ଶାଖାଗୁଡିକରୁ ଶିକ୍ଷାଋଣ ନମିଳିବାରୁ ନାୟକ ଦମ୍ପତି ବାଧ୍ୟହୋଇ ବିଭିନ୍ନ ଫାଇନାନ୍ସ ସଂସ୍ଥା ଓ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଧାର କରଜ କରିଥିଲେ । ଏବେ ଧାର କରଜ ବାବଦକୁ ସୁଧମୂଳ ସହ ପାଖାପାଖି ୨୨ ଲକ୍ଷ ଟଙ୍କା ଶୁଝିବାକୁ ଥିବା ବେଳେ ପ୍ରତିଦିନ ଟଙ୍କା ପାଇଁ ଅଭୟଙ୍କ ଘର ସାମ୍ନାରେ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଟଙ୍କା ଦେଇଥିବା ଲୋକମାନେ ଭିଡ଼ ଜମାଇ ପାଟିତୁଣ୍ଡ କରୁଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହେଉଛି । ପ୍ରତିମାସରେ ବଡ଼ପୁଅ କିଛି କିଛି ଟଙ୍କା ଧାର କରଜ ବାବଦକୁ ଶୁଝୁଥିଲେ ହେଁ ବେଳକୁ ବେଳ ସୁଧଟଙ୍କା ବଢ଼ି ଚାଲିଥିବାରୁ ଉକ୍ତ ନାୟକ ଦମ୍ପତି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଗ୍ରାମରେ ଥିବା ପୈତୃକ ସମ୍ପତିରୁ କିଛି ଅଂଶ ବିକ୍ରିକରି ଧାର କରଜ ଟଙ୍କା ସୁଝିଥିବା ନେଇ ଅଭୟ କହିଛନ୍ତି । ଧାର କରଜ କରି ଋଣ ବୋଝରେ ଭାରାକ୍ରାନ୍ତ ହୋଇ ପଡ଼ିଥିବା ଏହି ଦମ୍ପତି ପରିଶେଷରେ ଉପାୟ ଶୂନ୍ୟ ହୋଇ ପଡ଼ିଛନ୍ତି ।
ଉଭୟ ନିଜର କିଡ୍ନୀ ବିକ୍ରିକରି ଧାର କରଜ ଟଙ୍କା ପରିଶୋଧ କରିବାପାଇଁ ଚରମ ନିଷ୍ପତ୍ତିି ନେଇଥିବା ଜଣାଯାଇଛି । କିଡ୍ନୀ ବିକ୍ରିକରି ସମସ୍ତ କରଜ ଟଙ୍କା ସୁଝି ଦେବାପାଇଁ ଅଂଣ୍ଟା ଭିଡ଼ିଥିବା ଏହି ଦମ୍ପତି ଇତି ମଧ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇବା ସହ ଏ ସମ୍ପର୍କିତ ନିଷ୍ପତ୍ତିିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଜିଲ୍ଲାପାଳ ଡଃ ପୋମା ଟୁଡୁ ସମସ୍ତ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଧୈର୍ଯ୍ୟ ଧରିବାପାଇଁ ନାୟକ ଦମ୍ପତିଙ୍କୁ ପରାମର୍ଶ ଦେଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ଦୃଷ୍ଟିଦେବାକୁ ଦାବିହେଉଛି । କେହି ବ୍ୟକ୍ତି ନାୟକ ଦମ୍ପତିଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ ଏହି ମୋବାଇଲ ନଂ- ୭୮୯୪୬୫୮୫୫୫ରେ ଯୋଗାଯୋଗ କରିବାକୁ ସେମାନେ ନିବେଦନ କରିଛନ୍ତି ।