କଳାହାଣ୍ଡି : କରୋନା ମହାମାରୀ ସମୟରେ, ହୋମ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର, ଅକ୍ସିମିଟର ଭଳି ଜରୁରୀକାଳୀନ ସେବା ଯୋଗାଇବା ନିମନ୍ତେ ସରକାର ଠାରୁ ବେସରକାରୀ ଅନୁଷ୍ଠାନ ଆଗକୁ ଆସି ଯଥା ସମ୍ଭବ ସହାର୍ଯ୍ୟ କରୁଛନ୍ତି । ଏଭଳି ସମୟରେ କଳାହାଣ୍ଡି ଜିଲ୍ଲା ବଣିକ ସଙ୍ଘ ନିସ୍ବାର୍ଥପର ଭାବେ, ହୋମ କ୍ବାରେନଟାଇନ ରେ ଥିବା କରୋନା ଆକ୍ରାନ୍ତଙ୍କୁ ବିନା ମୂଲ୍ୟରେ ଅକ୍ସିଜେନ ସିଲିଣ୍ଡର, ଅକ୍ସିମିଟର, ଇନଫ୍ରାରେଡ଼ ଥରମୋମିଟର, ମାସ୍କ, ଫେସ ଶିଲଡ଼, ଯୋଗାଇ ଦେଉଛନ୍ତି। କଳାହାଣ୍ଡି ବଣିକ ସଂଘ ସଭାପତି ବିଜୟ କୁମାର ସାହୁଙ୍କ ନେତୃତ୍ୱରେ ଭବାନୀପାଟଣା ସହରର ମାଣିକେଶ୍ୱରୀ ହାଇ ସ୍କୁଲ ଛକ ନିକଟରେ ଖୋଲା ଯାଇଥିବା “ହେଲ୍ପ ଡେସ୍କ”ର ଲୋକାର୍ପଣ ସମୟରେ ପ୍ରକାଶ କରି କହିଛନ୍ତି, ଯେ କରୋନା ଆକ୍ରାନ୍ତ ରୋଗୀ ଯେଉଁମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ ଅକ୍ସିଜେନ ସିଲିଣ୍ଡର ଠାରୁ ଆରମ୍ଭ କରି ଅକ୍ସିମିଟର, ଇନଫ୍ରାରେଡ଼ ଥରମୋମିଟର, ମାସ୍କ, ଫେସ ଶିଲଡ଼ ଭଳି ଜରୁରୀ ଉପକରଣ ଯୋଗାଇ ଦେବା ବ୍ୟତୀତ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ କିଛି ଷ୍ଟାଫ ନର୍ସଙ୍କୁ ମଧ୍ୟ ନ୍ୟସ୍ତ କରାଯାଇଛି ।
କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରତାପ କୁମାର ବେହେରା ଦ୍ଵାରା ଏହି ହେଲ୍ପ ଡେସ୍କ ଲୋକାର୍ପଣ ହେବା ସମୟରେ କହିଛନ୍ତି, ଏଭଳି ସେବା ଭାବନା ସମସ୍ତଙ୍କ ପାଇଁ ଏକ ଉଦାହରଣ, ଏହା ନିଶ୍ଚିତଭାବେ କରୋନା ରୋଗୀଙ୍କୁ ବହୁ ମାତ୍ରାରେ ସୁବିଧା ଯୋଗାଇ ଦେବ । ଜିଲ୍ଲାରେ ଥିବା ଅନ୍ୟ ସଂଗଠନ ମଧ୍ୟ ଆଗକୁ ଆସି କରୋନା ଆକ୍ରାନ୍ତଙ୍କୁ ଏଭଳି ସାହାଯ୍ୟ କଲେ, କରୋନା ମହାମାରୀକୁ ଯଥାଶୀଘ୍ର ପ୍ରତିହତ କରିହେବ । ଏହାବ୍ୟତୀତ କଳାହାଣ୍ଡି ମାରୱାଡି ଯୁବା ମଞ୍ଚ, କଳାହାଣ୍ଡି ଶାଖା ଓ ଜାଗୃତି ଶାଖା ପକ୍ଷରୁ ମଧ୍ୟ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅକ୍ସିଜେନ ବ୍ୟାଙ୍କ ଲୋକାର୍ପିତ କରାଯାଇଛି, ଏହି ଅବସରରେ ସଂଘ ସଭାପତି ଅକ୍ସିଜେନ ବ୍ୟତୀତ କରୋନା ଆକ୍ରାନ୍ତଙ୍କୁ ଆବଶ୍ୟକ ସ୍ଥଳେ ରକ୍ତଦାନ ସେବା ଓ ରନ୍ଧା ଖାଦ୍ୟ ବଣ୍ଟନ କରି ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି କହିଛନ୍ତି । ଏଭଳି ଅନୁଷ୍ଠାନ ମାନଙ୍କର ମହନୀୟ ସେବା କାର୍ଯ୍ୟକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଅଜସ୍ର ପ୍ରଶଂସା କରାଯିବା ସହିତ ଅନ୍ୟ ଅନୁଷ୍ଠାନ ମାନଙ୍କୁ ଆଗକୁ ଆସି ସହଯୋଗର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି ।