ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ମଧ୍ୟରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ସଂକ୍ରମିତ ହେବା ମଧ୍ୟରେ ଦେଶର ୧୫୦ ପ୍ରଭାବିତ ଜିଲ୍ଲାରେ ପୁଣି ଥରେ ଲକଡାଉନ ଲଗାଯାଇପାରେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସେହି ସବୁ ଜିଲ୍ଲା ଓ ସହରରେ ଲକଡାଉନ ଲଗାଇବା ପାଇଁ ପ୍ରସ୍ତାବ ରହିଛି ଏବଂ ସେଠାରେ କରୋନା ସଂକ୍ରମଣ ହାର ୧୫ ପ୍ରତିଶତ ଅଧିକ ରହିଛି । ତେବେ ଏହା ମଧ୍ୟରେ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି ।
ଋିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହିତ ଆଲୋଚନା କରିବା ପରେ ଶେଷ ନିଷ୍ପତ୍ତି ନେବେ । କରୋନା ସଂକ୍ରମଣରେ ଲଗାମ ଲଗାଇବାକୁ ଏମିତି ପଦକ୍ଷେପ ନିଆଯିବ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଯେଉଁ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଇଛି, ସେଥିରେ ୧୫ ପ୍ରତିଶତରୁ ଅଧିକ ସଂକ୍ରମିତ ଜିଲ୍ଲାରେ ଲକଡାଉନ ଜରୁରୀ ବୋଲି ଉଲ୍ଲେଖ ରହିଛି । ସେହିସବୁ ଜିଲ୍ଲାରେ ଜରୁରୀ ସେବାକୁ ଛାଡି ଲକଡାଉନ କରାଯିବ ।
ସୂଚନାଯୋଗ୍ୟ , ଭାରତରେ ମହାମାରୀ କରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ଏକ ସପ୍ତାହ ଧରି ପ୍ରତିଦିନ ୩ ଲକ୍ଷରୁ ଅଧିକ କରୋନା ଜନିତ ମାମଲା ସାମ୍ନାକୁ ଆସୁଛି । ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପ୍ରଥମଥର ୩ ହଜାରରୁ ଅଧିକ ମୃତ୍ୟୁ ରେକର୍ଡ ହୋଇଛି । ଗୋଟିଏ ପଟେ କରୋନା ହୁ ହୁ ବଢୁଥିବା ବେଳେ ଅନ୍ୟପଟେ ହସ୍ପିଟାଲ ସ୍ଥିତି ଅତ୍ୟନ୍ତ ଭୟାନକ ରହିଛି ।
ଋିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ଭାରତରେ ୩.୬୦ ଲକ୍ଷ କରୋନା କେସ ରେକର୍ଡ ହୋଇଛି । ଯେତେବେଳେ କି ୩୨୯୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହିତ ଭାରତରେ ମୋଟ କରୋନାରେ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ପାର୍ କରିଛି ।
୨୪ ଘଣ୍ଟାରେ ମୋଟ ୩୬୦୯୬୦ କେସ ସାମ୍ନା ସାମ୍ନାକୁ ଆସିଥିବା ବେଳେ ମୃତକଙ୍କ ସଂଖ୍ୟା ୩୨୯୩ ରହିଛି । ସେହିଭଳି ଆକ୍ଟିଭ କେସ ୨୯୭୮୭୦୯ ଥିବା ବେଳେ ମୋଟ ମାମଲା ୧୭୯୯୭୨୬୭ ଏବଂ ମୋଟ ମୃତକଙ୍କ ସଂଖ୍ୟା ୨୦୧୧୮୭ ରହିଛି ।
ଭାରତରେ ଗତ ଏକ ବର୍ଷ ଧରି କରୋନା ନିଜ କାୟା ବିସ୍ତାର ଜାରି ରଖିଛି । ହେଲେ ଗତ କିଛି ଦିନ ଧରି ଯେତେବେଳେ ଦ୍ୱିତୀୟ ଲହର ନିଜ ପ୍ରଭାବ ବିସ୍ତାର କଲା ଏହା ବେକାବପ ହେବାରେ ଲାଗିଛି । ଦେଶରେ କରୋନାରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ପାର୍ କରିଛି ।