ଢେଙ୍କାନାଳ : ଜନସଂଖ୍ୟା ସମାଧାନ ଫାଉଁଣ୍ଡେସନ୍ ଢେଙ୍କାନାଳ ଶାଖା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଜିଲ୍ଲା ମତ୍ସ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବରେ ରାଜ୍ୟ ସଭାପତି ବିପିନ୍ ବିହାରୀ ଦାସ ସାମ୍ବାଦିକମାନଙ୍କୁ ସମ୍ବୋଧନ କରିଥିଲେ । ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଜନସଂଖ୍ୟା ବିସ୍ଫୋରଣ ଯୋଗୁଁ ଆଜି ଭାରତରେ, ବେକାରୀ, ଗରିବୀ, କୁପୋଷଣ, ଅନାହାର ବୃଦ୍ଧି ପାଇଛି । ସମଗ୍ର ପୃଥିବୀରେ ରହୁଥିବା ଲୋକସଂଖ୍ୟାର ୧୮% ଲୋକ ଭାରତରେ ରହିଥିବା ବେଳେ ମାତ୍ର ୨.୪% ସ୍ଥଳଭାଗ ଏବଂ ପାନୀୟ ଯୋଗ୍ୟ ଜଳ ମାତ୍ର ୪% ଅଛି । ଜନସଂଖ୍ୟା ବିସ୍ଫୋରଣ ରୁ ରକ୍ଷା ପାଇବାକୁ ହେଲେ ଜାତି, ଧର୍ମ, ଭାଷା ଓ ଆଞ୍ଚଳିକତା ରୁ ଉର୍ଦ୍ଧ୍ୱକୁ ଉଠି ସବୁ ନାଗରିକମାନଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବା ଆଇନ୍ ବାଧ୍ୟତା ମୂଳକ ହେବା ଆବଶ୍ୟକ ।
ଏଥିପାଇଁ ବ୍ୟାପକ ଜନସଚେତନତା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଗ୍ରହ ରହିବା ଜରୁରୀ । ଉଭୟ ସରକାରଙ୍କୁ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ସଂସଦ ଓ ବିଧାନସଭାରେ ପାରିତ କରିବା ପାଇଁ ଚାପ ସୃଷ୍ଟି କରିବାକୁ ହେଲେ ଦେଶର ୧୩୮କୋଟି ଲୋକ ଜାତି, ଧର୍ମ ଓ ଦଳଗତ ନିିର୍ବିଶିଷରେ ବ୍ୟାପକ ଜନ ଆନ୍ଦୋଳନ ଗଢି ତୋଳିବାର ଆବଶ୍ୟକତା ଅଛି । ପ୍ରତ୍ୟେକ ବର୍ଷ ଆମ ଦେଶରେ ୨କୋଟି ୨୫ଲକ୍ଷ ଶିଶୁ ଜନ୍ମ ନେଉଥିବା ବେଳେ ବାର୍ଷିକ ଏକ କୋଟି ୭୦ଲକ୍ଷ ଲୋକ ଆମ ସହ ଅଧିକ ଯୋଡି ହେଉଛନ୍ତି।
ପ୍ରତ୍ୟେକ ଦୁଇବର୍ଷରେ ଆମେ ଗୋଟିଏ କାନାଡା ଦେଶର ଲୋକ ସଂଖ୍ୟା ବଢାଇ ଦେଉଛୁ ଏବଂ ପ୍ରତ୍ୟେକ ବର୍ଷରେ ଅଷ୍ଟ୍ରେଲିଆର ଲୋକ ସଂଖ୍ୟା ଜନ୍ମ ଦେଇଛୁ କିନ୍ତୁ କ୍ଷେତ୍ରଫଳରେ କାନାଡା ଆମ ଦେଶ ଠାରୁ ତିନି ଗୁଣା ବଡ ଏବଂ ଅଷ୍ଟ୍ରେଲିଆ ଆମ ଦେଶ ଠାରୁ ଅଢେଇ ଗୁଣ ବୃହତ୍ତମ, ୨୦୧୧ ଜନଗଣନା ହିସାବରେ ୨୦୦୦ ମସିହା ଠାରୁ ୨୦୧୦ ମସିହା ମାତ୍ର ୧୦ ବର୍ଷ ମଧ୍ୟରେ ୨୩ କୋଟି ୫୬ଲକ୍ଷ ଲୋକ ସଂଖ୍ୟା ବଢି ଯାଇଛନ୍ତି ।
ତେଣୁ ଏଭଳି ଜନ ବିସ୍ଫୋରଣ ହେଲେ ଆଗାମୀ ଦିନରେ ଭାରତରେ କୃଷି, ଶିଳ୍ପାୟନ, ଗୃହନିର୍ମାଣ, ମୁକ୍ତ ବାୟୁ ଓ ପାନୀୟ ଜଳ କ୍ଷେତ୍ରରେ ବ୍ୟାପକ ଅଭାବ ଦେଖାଦେବ । ବେକାରୀ ସମସ୍ୟା ଏତେ ବଢିଯିବ ଯେ, କୌଣସି ବି ସରକାର ପରିସ୍ଥିତିକୁ ଆୟତ୍ତ କରି ପାରିବେ ନାହିଁ । ଦେଶରେ ଭୟଙ୍କର ଗୃହ ଯୁଦ୍ଧ ଲାଗିଯିବ । ବର୍ତ୍ତମାନର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରାନଗଲେ ଆସନ୍ତା ୨୦୪୦ ମସିହା ବେଳକୁ ଦେଶରେ ଜନସଂଖ୍ୟା ୨୪୦ କୋଟିକୁ ଟପିବ । ସେତେବେଳେ ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ ହୋଇଯିବ । ଏଣୁ ସମଗ୍ର ଦେଶବାସୀ ନିଜର ଭବିଷ୍ୟତ ବଂଶଧର ଓ ନିଜର ସଂସ୍କୃତି, ସଭ୍ୟତା ରକ୍ଷା କରିବା ପାଇଁ ସ୍ୱତଃ ପ୍ରବୃତ୍ତ ଭାବେ ଆଗେଇ ଆସି ଜନସଂଖ୍ୟା ନିୟନ୍ତ୍ରଣ ଆନ୍ଦୋଳନରେ ସାମିଲ୍ ହେବାକୁ ସଭାପତି ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।
ଜନସଂଖ୍ୟା ସମାଧାନ ପାଉଣ୍ଡେସନ ଓଡିଶା ପ୍ରଦେଶ ତରଫରୁ ସଂସଦରେ ଦୁଇସନ୍ତାନ ବାଧ୍ୟତାମୂଳକ କରିବାକୁ ଆଇନ୍ ଆଣିବା ପାଇଁ ଅତୀତରେ ବହୁବାର ତିରିଶ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଯେଉଁ ଦମ୍ପତି ତୃତୀୟ ସନ୍ତାନ ଜନ୍ମ ଦେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ତରଫରୁ ଦୃଢ ଦାବି କରାଯାଉଛି । ଆଇନ୍ ଅମାନ୍ୟକାରୀଙ୍କ ନାଗରିକତ୍ୱ ରଦ୍ଦ କରିବା, ଦଶ ବର୍ଷ ଜେଲ୍ଦଣ୍ଡ, ଦଶଲକ୍ଷ ଟଙ୍କା ଜୋରିମାନା ସହ ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ କରିବାକୁ ସଂଗଠନ ଦାବି କରୁଛି । ଓଡିଶାରେ ସଂଗଠନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପାଇଁ ସାପ୍ତାହିକ ବୈଠକ ମାନ କରାଯାଉଛି ।
ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ସଂଗଠନକୁ ସୁଦୃଢ କରାଯିବ ପାଇଁ ପ୍ରୟାସ ଜାରି ରହିଛି । ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ଦାବି କୁରୁକ୍ଷେତ୍ରରେ ଧର୍ମ ଯୁଦ୍ଧ ସଦୃଶ । ସେ କହିଥିଲେ ଯେ ଜନସଂଖ୍ୟା ନିୟନ୍ତ୍ରଣ ହେଲେ ଆମର ପିଲାମାନେ ସରକାରୀ ସ୍ତରରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପାଇପାରିବେ । ବିପର୍ଯ୍ୟସ୍ତ ଶିକ୍ଷା, ସ୍ୱାସ୍ଥ୍ୟ ସମେତ ବେରୋଜଗାର ସମସ୍ୟାରୁ ଦେଶ ଉଦ୍ଧାର ହେବ । ଜନସଂଖ୍ୟା ସମାଧାନ ଫାଉଣ୍ଡେସନ୍ର ଢେଙ୍କାନାଳ ଜିଲ୍ଲା ସଭାପତି କଲ୍ୟାଣ କାନୁନ୍ଗୋ ବୈଠକରେ ସଭାପତିତ୍ୱ କରିଥିଲେ । ରାଜ୍ୟ ସାଧାରଣ ସଂପାଦକ ଜଗନ୍ନାଥ ଗଡନାୟକ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ଇଂ ବାବୁଚାନ୍ଦ ମହାଳିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅନୁଗୁଳ ଜିଲ୍ଲା ପ୍ରଭାରୀ ଆଡଭୋକେଟ୍ ଦୀପକ ପ୍ରସାଦ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ସଂଯୋଜକ ମନମୋହନ ତ୍ରିପାଠୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ମଳୟ କୁମାର ତ୍ରିପାଠୀ, ଜିଲ୍ଲା ସଂଗଠନ ସଂପାଦକ ଦୁର୍ଗାପ୍ରସାଦ ପଣ୍ଡା, ସାଧାରଣ ସଂପାଦକ ରାମଚନ୍ଦ୍ର ଦେବତା, ସଂପର୍କ ପ୍ରଭାରୀ ନୃପ କେଶରୀ ନାୟକ, ମଳୟ ତ୍ରିପାଠୀ, ସଂପାଦକ ରାହୁଲ୍ରାୟ ମହାଳିକ ଓ ଦିଲ୍ଲୀପ କୁମାର ଜେନା, ସହପ୍ରଚାର ପ୍ରଭାରୀ ବିକାଶ କୁମାର ନାୟକ, ବ୍ୟବସ୍ଥା ପ୍ରଭଞ୍ଜନ ପ୍ରଭାରୀ ଶିବପ୍ରସାଦ ସାହୁ ଓ ରାଜୀବ କର ପ୍ରଭୃତି ବକ୍ତବ୍ୟ ପ୍ରଦାନ କରିଥିବାବେଳେ କାର୍ଯ୍ୟକାରିଣୀ ସଦସ୍ୟ ଧୃବଚରଣ ସ୍ୱାଇଁ, ସତ୍ୟବାଦୀ ବେହେରା, ପିତବାସ ସାହୁ, ଉମାଶଙ୍କର ମିଶ୍ର, ଭାରତୀ ସ୍ୱାଇଁ, ଚିନ୍ମୟୀ କାନୁନ୍ ଗୋ, ସସ୍ମିତା ତ୍ରିପାଠୀ, ଗୀତାଞ୍ଜଳି ମହାଳିକ, ଦୀପିକା ବେହେରା, ସୂଚିତ୍ରା ସ୍ୱାଇଁ, ଅରିଜୀତ୍ ପାଣ୍ଡେ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।