ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଜେଲ୍ରେ ଥିବା ବିଚାରଧୀନ କଏଦୀ ସୁଶିଲ ନାୟକଙ୍କ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁ ହୋଇଛି । ହେଲେ ଏହି ମୃତ୍ୟୁକୁ ନେଇ ପରିବାର ସନ୍ଦେହ ପ୍ରକାଶ କରି ୧୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ସାରଙ୍ଗଗଡ଼ ଥାନା ପୁରୁଣା ସାହିର ସୁଶିଲ ନାମରେ ୨୦୧୦ରେ ଏକ ପୂରୁଣା ମାମଲା ଥିଲା । ସେହି ଅଧାରରେ ପୁଲିସ ଗତ ୨୮ ତାରିଖ ଭୋର ସୁଶିଲଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲା । ସେହି ଦିନ କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାଲିଗୁଡା ଉପଖଣ୍ଡ କାରାଗାରକୁ ପଠାଇ ଦିଆଯାଇଥିଲା । ହେଲେ ୧ ତାରିଖ ଜେଲ୍ରେ ସୁଶିଲଙ୍କ ଦେହ ଖରାପ ହେବାରୁ ତାଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସାଂଘାତିକ ହେବାରୁ ୩ ତାରିଖ ଫୁଲବାଣୀ ଜିଲ୍ଲା ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ସୁଶିଲଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର । ମୃତକଙ୍କ ମା’ ଲକ୍ଷ୍ମୀ ନାୟକଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ତାଙ୍କ ପୁଅକୁ ଘରୁ ନେବା ବେଳେ ସେ ସମ୍ପୁର୍ଣ୍ଣ ସୁସ୍ଥ ଥିଲେ । ଗୋଟିଏ ଦିନରେ ଏମିତି କ’ଣ ହେଲା ଯେ ସୁଶିଲଙ୍କ ମୃତ୍ୟୁ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଦେହ ଅସୁସ୍ଥ ହେଲା ପରିବାରକୁ ଖବର ଦିଆଗଲା ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତିି ଲକ୍ଷ୍ମୀ । ଆମେ କୋର୍ଟକୁ ଜାମିନ ଆବେଦନ କରିବାକୁ ଯାଇଥିବା ବେଳେ ପୁଲିସ ପୁଅର ମୃତ୍ୟୁ ଖବର ଦେଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା କହିଥିଲା । ତେଣୁ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି ।
ଠିକ୍ ତଦନ୍ତ କରାଯାଇ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି । ସୁଶିଲଙ୍କ ସ୍ତ୍ରୀ, ୫ବର୍ଷ କନ୍ୟା ଓ ମାସକର ଏକ ପୁତ୍ର ରହିଛି । ସେମାନଙ୍କ ଭବିଷ୍ୟତ ପାଇଁ ପରିବାର ଚିନ୍ତା ପ୍ରକଟ କରିଛନ୍ତି । ଏ ନେଇ ସାରଙ୍ଗଗଡ ଥାନା ଅଧିକରୀ ଅନୀତା କିଡୋଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଆମେ ଆଇନ ଅନୁଯାୟୀ କାମ କରିଛୁ । ଦେହ ଖରାପ ସମ୍ପର୍କରେ ଆମେ କିଛି କହିପାରିବୁ ନାହିଁ ।