23.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗବିଜେପିର ଏକତାବିହୀନ ଲଢେଇ

ବିଜେପିର ଏକତାବିହୀନ ଲଢେଇ

ଭୁବନେଶ୍ୱର,(ଓଏନଏ ): ବିିଜେଡି ବିରୋଧରେ ବିଜେପି କିଛି ଦିନ ହେଲା ଏକପ୍ରକାର ଯୁଦ୍ଧ ଦେହିଂ ଡାକରା ଦେଇଛି । କିନ୍ତୁ ବିଜେଡି ବିରୋଧରେ ଲଢେଇ କରିବା ପାଇଁ ବିଜେପି ଭିତରେ ଯେଉଁ ଏକତା ଦରକାର ତାହା ଦେଖାଯାଉନାହିଁ । ବିଭାଜିତ ଘର ଭଳି ବିଜେପି ଲଢେଇ କରିବା ଆରମ୍ଭ କରିଛି । ଏହା ଦ୍ୱାରା ବିଜେଡି ଉପରେ ବିଜେପି ଆରୋପ ର ପ୍ରଭାବ ପଡିଲା ଭଳି ଦେଖାଯାଉନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି । ଯେଉଁ ଭଳି ଭାବରେ ଲଢେଇ କରାଯିବା କଥା ସେଥିରେ ଦଳ ଭିତରେ ଏକତାର ଅଭାବ ରହୁଛି । ଯାହାକି ବିଜେଡି ପାଇଁ ବେଶ ସୁବିଧାଜନକ ହୋଇଛି । ଏହି ଘଠଣାକୁ ବିଜେଡି ନେତାମାନେ ବି ଦର୍ଶାଇ ବିଜେପି ବିରୋଧର ଗୁରୁତ୍ୱ ଦେଉନାହାନ୍ତି । ଫଳରେ ବିଜେପିର ସବୁ ଉଦ୍ୟମ ଶେଷରେ ଫସର ଫାଟି ଯିବ ବୋଲି ମତପ୍ରକାଶ ପାଉଛି ।
କେତେକ ଘଟଣାକୁ ଅନୁଧ୍ୟାନ କଲେ ବିଜେପିର ଏହି ଏକତାହିନ ବିଜେଡି ବିରୋଧୀ ଲଢେଇ ଜଣାପଡିଯିବ । ଆଜି କଳାହାଣ୍ଡିରେ ସରକାରଙ୍କ ପକ୍ଷରୁ ଏକ ବଡ ଧରଣର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ବିଧାୟକମାନେ ଯୋଗ ଦେଇଥିଲେ । ଏପରିକି ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଡକାଯାଇଥିଲା । ସେଠାରେ ଏକ ବଡ ଧରଣର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ଯାହାର ଆୟୋଜନକୁ ଦେଖିଲେ ସ୍ପଷ୍ଟ ଜଣାପଡିଯାଉଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଖୋଲାଖୋଲି ଭାବେ ଏକ ଜନସମାବେଶକୁ ସମ୍ବୋଧନ କରିଥିଲେ । କଳାହାଣ୍ଡି ଜିଲ୍ଲା ପାଇଁ ୨୦୮୫ କୋଟି ଟଙ୍କାର ଶେଚ ପ୍ରକଳ୍ପକୁ ସେ ଲୋକାର୍ପଣ କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ ବିଜେପି ନେତାମାନଙ୍କୁ ମଧ୍ୟ ଡକାଯାଇଥିଲା । କଳାହାଣ୍ଡି ସାସଂଦ ଭାବେ ବିଜେପି ନେତା ବସନ୍ତ ପଣ୍ଡା ଓ ସ୍ଥାନୀୟ ବିଧାୟକ ଭାବେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକଙ୍କୁ ଡକାଯାଇଥିଲା । କିନ୍ତୁ ବିରୋଧୀ ଦଳ ନେତା ପ୍ରତିବାଦ କରି ଗଲେନାହିଁ । ତାଙ୍କର ଅଭି ଯୋଗ ହେଲା, ମୁଖ୍ୟମନ୍ତ୍ରୀ ଯେଉଁ ମଂଚରେ ବସିଛନ୍ତି, ସେହି ମଂଚରେ ତାଙ୍କୁ ଓ ଅନ୍ୟ ଅତିଥିମାନଙ୍କୁ ବସିବା ପାଇଁ ବ୍ୟବସ୍ଥା ନକରିବା । ଅବଶ୍ୟ ଏକାଧିକ ସଭାମଂଚ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ତାଙ୍କ ସଚିବଙ୍କ ପାଇଁ ଗୋଟିଏ ସଭାମଂଚ ହୋଇଥିଲା ଓ ଅନ୍ୟ ଅତିଥିମାନଙ୍କ ପାଇଁ ଭିନ୍ନ ସଭାମଂଚ ହୋଇଥିଲା । କରୋନା କଟକଣାକୁ ଦୃଷ୍ଟିରେ ରଖି ଏପରି କରାଯାଇଥିବା କୁହାଯାଉଛି । ହେଲେ ଏହି ଘଟଣା ବିରୋଧୀ ଦଳର ନେତା ଶ୍ରୀ ନାଏକଙ୍କ ପାଇଁ ଗ୍ରହଣଯାଗ୍ୟ ହେଲା ନାହିଁ । ଅଲଗା ସଭାମଂଚରେ ବସିବା ପାଇଁ କୁହାଯାଇଥିବାରୁ ସେ ପ୍ରତିବାଦ କରି ଗଲେ ନାହିଁ । କିନ୍ତୁ ତାଙ୍କ ଦଳର ନେତା ସାସଂଦ ବସନ୍ତ ପଣ୍ଡା ନିମନ୍ତ୍ରଣ ରକ୍ଷା କରି କାର୍ଯ୍ୟକ୍ରମରେ ଯାଗ ଦେଇଥିଲେ । ଭିନ୍ନ ସଭାମଂଚରେ ଯାଇ ଉଦ୍ଦିଷ୍ଟ ଆସନରେ ବସିଥିଲେ । ଏହି ଘଟଣାରେ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଲଗା ଏକୁଟିଆ ମଂଚ ଓ ଅନ୍ୟମାନଙ୍କ ପାଇଁ ଅଲଗା ମଂଚ ବ୍ୟବସ୍ଥା କରାଯିବା ଏହା ସାମନ୍ତବାଦୀ ମାନସିକତାର ପ୍ରତିଫଳନ । କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାୟକ ମନ୍ତ୍ରୀମାନଙ୍କ ପ୍ରତି ଏହା ଅପମାନ । ମୁଖ୍ୟମନ୍ତ୍ରୀ ଅବଲଗା ବସିବେ, ଆଉ ଅନ୍ୟମାନେ ଅଲଗା ବସିବେ କାହିଁକି ? ମୁୁଖ୍ୟମନ୍ତ୍ରୀ କି ପ୍ରକାର ପରମ୍ପରା ଆରମ୍ଭ କରିବାକୁ ଚାହୁଁଛନ୍ତି ? କାହିଁକି ଅନ୍ୟ ଜନପ୍ରତିନିଧିମାନଙ୍କୁ ନିଚ୍ଚା ଦେଖାଇବା ପାଇଁ ପ୍ରୟାସ କରାଯାଉଛି ବୁଝି ହେଉନାହିଁ’ ? କିନ୍ତୁ ଏହି ଘଟଣାରେ କୁହାଯାଉଛି, ବିରୋଧୀ ଦଳ ନେତାଙ୍କ ଯୁକ୍ତି ଓ ଦାବି ଯଥାର୍ଥ ହୋଇଥାନ୍ତା ବା ତାଙ୍କର ଏହି ପ୍ରତିବାଦର ଗୁରୁତ୍ୱ ରହିଥାନ୍ତା ଯଦି ଦଳର ଅନ୍ୟତମ ନେତା ସାଂସଦ ଶ୍ରୀ ପଣ୍ଡା ସେ କାର୍ଯ୍ୟକ୍ରମରେ ଯାଗ ଦେଇନଥାନ୍ତେ । ଏଣୁ ଯେତେବେଳେ ବିରୋଧୀ ଦଳର ନେତା ନଆସି ସମାଲୋଚନା କରିବା ଘଟଣା ପଦାକୁ ଆସିଲା, ବିଜେଡି ସେତେବେଳେ କହିବାକୁ ସୁଯୋଗ ପାଇଲା । ବିରୋଧୀ ଦଳର ନେତା ନଆସିଲେ କଣ ହେଲା, ତାଙ୍କ ଦଳର ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସାସଂଦ ବସନ୍ତ ପଣ୍ଡା ଆସିଥିଲେ । ଏହି କଥା କହି ବିଜେଡି କଥାକୁ ହାଲୁକା ଭାବରେ ନେଲା । ଶ୍ରୀ ପଣ୍ଡା ଯୋଗ ଦେଇ ବିଜେଡି ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ଯେଉଁ ପଦକ୍ଷେପ ନିଆଯାଇଛି ଓ ମୁଖ୍ୟମନ୍ତ୍ରୀ ଅଲଗା ବସିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଠିକ ବୋଲି ଜଣେଇଲେ ।
ସେହିପରି ନୟାଗଡ କୁନିଝିଅ ପରୀ ହତ୍ୟା ଘଟଣାରେ ଏହିପରି ଭିନ୍ନତା ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ ପରୀ ଘଟଣାକୁ ନେଇ ଏବେବି ଲଢେଇ ଜାରି ରହିଛି । ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ସରକାରଙ୍କ ବିରୋଧରେ ଦଳ ଗ୍ରହଣ କରିଚାଲିଛି । କିନ୍ତୁ ଦଳର ନେତ୍ରୀ ଦଳର ସାସଂଦ, ଯିଏ କି ରାଷ୍ଟ୍ରୀୟ ମୁଖପାତ୍ର ବି ଅଛନ୍ତି , ସେ ବି ଏହି କାର୍ଯ୍ୟକ୍ରମରେ ସାମିଲ ହେଲେନାହିଁ । ଦଳକୁ ସମର୍ଥନ ଜଣାଇଲେ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରୀ ପ୍ରସଙ୍ଗ ନେଇ ଦଳ ଯେତେବେଳେ କିଛି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କଲା, ସେହି ସମୟରେ ଅପରାଜିତା ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କଲେ । ସେଥିରେ ଦଳୀୟ ନେତାମାନଙ୍କୁ ସାମିଲ କଲେ । ପରୀ ଘଟଣାରେ ଅପରାଜିତା ଆଜି ଯାଏଁ ପଦୁଟିଏ ବି ମୁହଁ ଖୋଲିଲେ ନାହିଁ । ଏଥିରୁ ସେ ଜଣାଇ ଦେଲେ ଯେ, ଦଳ ପରୀ ଘଟଣାରେ ଯେଉଁ ଆଭିମୁଖ୍ୟ ଗ୍ରହଣ କରୁଛି ତାହା ଠିକ୍ ନୁହେଁ କି ସେ ସେଥିରେ ସହମତ ନୁହଁନ୍ତି ।
ଏଣୁ ଦୁଇ ସାସଂଦଙ୍କ ପଦକ୍ଷେପରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଉଭୟ ଦଳର ଆଭିମୁଖ୍ୟ ସହ ସହମତ ନୁହଁନ୍ତି । ଏହାକୁ ବିଜେପି ନଜଗିଲେ ଯେତେ ଲଢେଇ କଲେ ବି ତାହାର କୌଣସି ଗୁରୁତ୍ୱ ରହିବ ନାହିଁ କି ବିଜେଡି ଉପରେ କିଛି ପ୍ରଭାବ ପଡିବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking