33.1 C
Bhubaneswar
Friday, May 3, 2024
Homeଓଡିଶାଘରୋଇ ସ୍କୁଲ,କଲେଜର ଛାତ୍ରଛାତ୍ରୀମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି : ଛାତ୍ର କଂଗ୍ରେସ

ଘରୋଇ ସ୍କୁଲ,କଲେଜର ଛାତ୍ରଛାତ୍ରୀମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି : ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ  ରୋସନ ଲାଲବିଟୁ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଛାତ୍ର କଂଗ୍ରେସ ଶୃଙ୍ଖଳା ଉପରେ ବିଶ୍ୱାସ ରଖେ । ଛାତ୍ର କଂଗ୍ରେସକୁ ସୁସଂଗଠିତ କରିବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ପଡିବ । ଓଡିଶାରେ ଛାତ୍ର କଂଗ୍ରେସକୁ ମଜବୁତ କରିବା ପାଇଁ ଦଳ ୟାସିର ନୱାଜଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛି । ଖୁବ୍ କମ ଦିନ ଭିତରେ ରାଜ୍ୟ, ଜିଲ୍ଲା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ କମିଟି ଘୋଷଣା କରାଯାଇ ବିଭିନ୍ନ କ୍ଷେତ୍ରରେ ପଦାଧିକାରୀଙ୍କୁ ଦାୟିତ୍ୱ ବଂଟନ କରାଯିବ । ମାତ୍ର ଯଦି କେହି ଛାତ୍ର କଂଗ୍ରେସର ଶୃଙ୍ଖଳାକୁ ଭଙ୍ଗ କରିବାକୁ ଉଦ୍ୟମ କରେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଶ୍ରୀ ବିଟୁ କହିଲେ ଯେ ସେ ଗତ ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଗୁଳ, ସମ୍ବଲପୁର, ବରଗଡ, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ଗସ୍ତ କରି ଦଳୀୟ କାର୍ଯ୍ୟକ୍ରମ କରିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ବାର୍ତାଳାପ କରିଥିଲେ । କରୋନା ମହାମାରୀ ସମୟରେ ଅଭିଭାବକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ସମସ୍ତେ ସ୍କୁଲ, କଲେଝ ଫିସ୍ ସଂପୂର୍ଣ୍ଣ ଦେବାକୁ ଅସମର୍ଥ ହୋଇ ପଡିଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ କେବଳ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଫି ଛାଡ କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବିଟୁ କହିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାଇଭେଟ୍ ସ୍କୁଲ, କଲେଜରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥକୁ ଏଡାଇ ଯାଇଛନ୍ତି । ଅଭିଭାବକମାନେ ବର୍ତମାନ ବଂଚିବା ପାଇଁ ସଂଘର୍ଷ କରୁଥିବା ବେଳେ ପ୍ରାଇଭେଟ୍ ସ୍କୁଲ, କଲେଜର ମାଲିକମାନେ ଅଭିଭାବକମାନଙ୍କର ତଂଟି ଚିପି ଫିସ୍ ଆଦାୟ କରୁଛନ୍ତି । ଏ ନେଇ ମାନ୍ୟବର ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି, ହେଲେ ମୁଖ୍ୟମନ୍ତ୍ରୀ, ପ୍ରାଇଭେଟ୍ ସ୍କୁଲ ଓ କଲେଜର ମାଲିକମାନଙ୍କ ସହିତ ମଧୁଚନ୍ଦ୍ରିକାରେ ଥିବାରୁ ମୁଖ୍ୟମନ୍ତ୍ରୀ ଏହି ଛାତ୍ରଛାତ୍ରୀମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଶାଗ, ମୁଗ ମୂଲ୍ୟରେ ମୂଲ୍ୟବାନ ଜାଗା ଦେବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଦୂରାବସ୍ଥା ପ୍ରତି ମୁଖ୍ୟମନ୍ତ୍ରୀ ଅନୁକମ୍ପା ନଦେଖାଇ ପ୍ରାଇଭେଟ୍ ସ୍କୁଲ କଲେଜର ମାଲିକମାନଙ୍କୁ ଗେହ୍ଲାପୁଅ କରିଛନ୍ତି । ଶିକ୍ଷା ଆଇନ୍‌ରେ ସରକାର ସ୍କୁଲ ଫିସ୍‌କୁ ନିୟନ୍ତ୍ରିତ କରିବାର ବ୍ୟବସ୍ଥା ରହିଛି । ଯଦି ଘରୋଇ ସ୍କୁଲ, କଲେଜ ସରକାରଙ୍କ କଥା ମାନୁ ନାହାନ୍ତି, ତେବେ ସରକାର ସେମାନଙ୍କ ଏନ୍‌.ଓ.ସି. ଓ ସ୍ୱୀକୃତି ପ୍ରତ୍ୟାହାର ପାଇଁ ନୋଟିସ୍ କରନ୍ତୁ । ସୁତରାଂ ସ୍କୁଲ ଫିସ୍ ୫୦ ପ୍ରତିଶତ ଛାଡ କରିବାକୁ ଛାତ୍ର କଂଗ୍ରେସ ଦାବି କରୁଛି ।
ଛାତ୍ର କଂଗ୍ରେସ ସଭାପତି  ୟାସିର୍ ନୱାଜ କହିଲେ ଏ ସଂପର୍କରେ ସେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ଯାଇ ସାକ୍ଷାତ କରିଥିଲେ । ମାତ୍ର ସରକାର ତାଙ୍କ ନିଷ୍ପତିରେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଭଣ୍ଡେଇ ଦେଇଛନ୍ତି । ପ୍ରାଇଭେଟ୍ ସ୍କୁଲ, କଲେଜର ମାଲିକମାନେ ଶିକ୍ଷା ବ୍ୟବସାୟ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଏହି ବ୍ୟବସାୟରେ ଅଂଶୀଦାର ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି । ମାନ୍ୟବର ହାଇକୋର୍ଟ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ଏ ସଂପର୍କରେ ପଦକ୍ଷେପ ନେବାର ଅଧିକାର ରହିଛି । ମାତ୍ର କାହା ସ୍ୱାର୍ଥକୁ ଏପରି ସ୍ଥିତିରେ ସରକାର ପ୍ରାଧାନ୍ୟ ଦେଉଛନ୍ତି, ତାହା ଓଡିଶାର ସାଧାରଣ ଜନତା ବୁଝି ପାରୁଛନ୍ତି ବୋଲି ଶ୍ରୀ ନୱାଜ କହିଛନ୍ତି । ଯଦି ସରକାର ଏହି କରୋନା ପ୍ରଭାବିତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ବିଚାରକୁ ନେଇ ୫୦ ପ୍ରତିଶତ ଫି ଛାଡ ନକରନ୍ତି, ତେବେ ଛାତ୍ର କଂଗ୍ରେସ ଏହି ପ୍ରସଙ୍ଗରେ ଆନ୍ଦୋଳନ କରିବ ବୋଲି ଶ୍ରୀ ନୱାଜ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking