19.1 C
Bhubaneswar
Thursday, December 26, 2024
Homeପର୍ବ ପର୍ବାଣିକୋଣାର୍କ ମନ୍ଦିରର ଆକୃତି ଓ ଗଠନଶୈଳୀ

କୋଣାର୍କ ମନ୍ଦିରର ଆକୃତି ଓ ଗଠନଶୈଳୀ

ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଏହା ମନ୍ଦିରଟି ଗଢିଉଠିଥିଲା ପ୍ରାଚୀ ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ । ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା । ଏହାର ନାମଥିଲା କୋଣଗର l ‘‘କୋଣଗର’’ ନାମାନୁସାରେ ମନ୍ଦିରର ନାମ କୋଣାର୍କ ହୋଇଥିବ ବୋଲି ଅନୁମାନ କରାଯାଏ । କୋଣାର୍କ ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ ଏହା ସଂସ୍କୃତ ଶବ୍ଦ କୋଣ ଓ ଅର୍କର ସଂଯୋଗରୁ ତିଆରି ହୋଇଛି । କୋଣରମାନେ ହେଲା ଗୋଟିଏ ପାଖ ଅଥବା ଦୁଇଟି ଦିଗ ବା ରେଖାର ମିଳନ ସ୍ଥାନ ଓ ଅର୍କର ଅର୍ଥ ହେଲା ସୂର୍ଯ୍ୟ । ଏହି ମନ୍ଦିରଟି ସୂର୍ଯ୍ୟ ଦେବଙ୍କ ପାଇଁ ନିର୍ମିତ ହୋଇଥିବାରୁ ଜାଗାର ନାମ ତଦନୁସାରେ କୋଣାର୍କ ହୋଇଛି ବୋଲି ମତ ପୋଷଣ କରାଯାଏ ।

ପାଶ୍ଚାତ୍ୟ ଦେଶର ନାବିକମାନେ ଏହାର କୃଷ୍ଣ ପାଗୋଡ଼ା ଓ ପୁରୀ ଜଗନ୍ନାଥା ମନ୍ଦିରର ଶ୍ୱେତ ପାଗୋଡ଼ା ନାମକରଣ କରିଥିଲେ । ଏହି ମନ୍ଦିରଦ୍ୱୟ ନାବିକଙ୍କ ନିମନ୍ତେ ପଥଚିହ୍ନ ଥିଲା । କୋଣାର୍କ ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳା ଶୈଳୀରେ ତୋଳାଯାଇଥିଲା । ଗର୍ଭଗୃହଯୁକ୍ତ ମୁଖ୍ୟ ମନ୍ଦିରଟି ୨୨୯ ଫୁଟ ଉଚ୍ଚ ଓ ମୁଖଶାଳା ୧୨୮ ଫୁଟ ଉଚ୍ଚ। ୧୩ ଫୁଟ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ରଥ ରୂପରେ ଗଢ଼ା ଯାଇଥିଲା । ସେ ଚଟାଣ ଚାରିପଟେ ୯ଫୁଟ ୯ ଇଞ୍ଚ ଉଚ୍ଚର ୨୪ଟି ଚକ ଓ ସମ୍ମୁଖରେ ସାତଟି ଘୋଡା ଖଞ୍ଜା ଯାଇଥିଲା । ଜଗମୋହନର ଉଚ୍ଚତା ଥିଲା ୧୨୩ ଫୁଟ ଓ ବିମାନର ଉଚ୍ଚତା ଥିଲା ୨୨୫ ଫୁଟ । ଏବେ ବିମାନଟି ପ୍ରାୟ ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ଅଛି ଗର୍ଭଗୃହ ଓ ଦେବସିଂହାସନ। ମୁଖଶାଳାଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ବି କାଳର କରାଳ ଗତିରେ ନାଟ ମନ୍ଦିରର ଓ ଭୋଗ ମଣ୍ଡପର କିଛି ଅଂଶ ମାତ୍ର ସୁରକ୍ଷିତ ରହି ପାରିଛି । ମନ୍ଦିର ବେଢାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୮୫୭ ଓ ୫୪୦ଫୁଟ । ମନ୍ଦିରଟି ପ୍ରାକୃତିକ ପରିବେଶ ଭିତରେ ରହଛି ଓ ଏହାର ଚାରି ପାଖରେ କାଜୁ, ଶିଶୁ ଆଦି ବାଲିଆ ମାଟିରେ ବଢୁଥିବା ଗଛ ରହିଛି । ଆଜି ଯେତିକି ଅଂଶ ବଞ୍ଚି ରହିଛି ସେତିକି ବି ଅତି ବିଶାଳ । ଏହା ହେଉଛି ପ୍ରକୃତରେ ମୁଖ୍ୟ ମନ୍ଦିରରର ମଣ୍ଡପ । ସାମନାରୁ ଠିଆ ହୋଇ ଦେଖିଲେ ମୁଖ୍ୟମନ୍ଦିରର ଭଗ୍ନାବଶେଷ ହିଁ ଦୃଷ୍ଟିଗୋଚର ହୋଇଥାଏ । ମୁଖ୍ୟ ଦେଉଳଟି ପାଖାପାଖି ୨୦୦ ଫୁଟ (୬୦ ମିଟର ) ଉଚ୍ଚ, ଯାହା ଭାରତର ଉଚ୍ଚତମ ମନ୍ଦିର ଥିଲା ବୋଲି ଅନୁମାନ କରାଯାଏ । କୋଣାର୍କ ମନ୍ଦିର କ୍ଷେତ୍ରରେ ଗଠନ କାଳର ସୁନିର୍ଦ୍ଧିଷ୍ଟ ଭୂମିକା ରହିଛି । କାରଣ କୋଣାର୍କ ହିନ୍ଦୁ ମନ୍ଦିର ସ୍ଥାପତ୍ୟର ଶେଷ ନିର୍ଯ୍ୟାସ ଏବଂ ଉଚ୍ଚତମ ବିନ୍ଦୁ । ଷ୍ଟାର୍ଲିଂଙ୍କ ମତ ୧୨୪୧ ଖ୍ରୀ.ଅ । ଆବୁଫଜଲ, ଫର୍ଗୁସନ ଓ ରାଜେନ୍ଦ୍ରଲାଲଙ୍କ ମତ ନବମ ଶତାବ୍ଦୀ । ହଣ୍ଟରଙ୍କ ମତ ୧୨୩୬ ଠାରୁ ୧୨୮୧ ଖ୍ରୀ.ଅ ।

ସାତଟି ଚପଳ ଚଞ୍ଚଳ ଘୋଡ଼ାଙ୍କଦ୍ୱାରା ଟଣା ଯାଉଥିବା ଏକ ବିଶାଳ ରଥାକୃତିରେ ମନ୍ଦିରଟି ନିର୍ମିତ । ଏହାର ସର୍ବାଙ୍ଗରେ କାରୁକାର୍ଯ୍ୟ ଖୋଦେଇ କରା ଯାଇଛି । ଏହି ମନ୍ଦିରର ମୂଳରେ ସୂକ୍ଷ୍କ କାରୁକଳାରେ ଅତି ସୁସଜ୍ଜିତ ୧୨ଟି ଚକ ରହିଛି। ଏହି ଚକଗୁଡ଼ିକ ହେଉଛି ମନ୍ଦିରର କେତୋଟି ପ୍ରମୁଖ ଆକର୍ଷଣମାନଙ୍କ ଭିତରୁ ଅନ୍ୟତମ । ଏହି ଚକମାନଙ୍କର ଅର ସୂର୍ଯ୍ୟଘଡ଼ିର କାମ କରିଥାଏ । ଏହି ଅରମାନଙ୍କ ଛାଇରୁ ସଠିକ ସମୟ ବାରିହୁଏ । ପିରାମିଡ୍ ଆକାରର ଏହି ମନ୍ଦିରର ଛାତ ପାଖାପାଖି ୩୦ ମିଟର ଉଚ୍ଚ। ଖଜୁରହୋ ମନ୍ଦିର ପରି ଏହି ମନ୍ଦିର ଗାତ୍ରରେ ମଧ୍ୟ କାମକଳାର ବହୁଳ ପ୍ରଦର୍ଶନ ହୋଇଛି ।

ଦୁଆରର ଦୁଇପାଖରେ ମନ୍ଦିରକୁ ଜଗି ରହିଛନ୍ତି ଦୁଇଟି ଦନ୍ତାହାତୀଙ୍କୁ ପଦାନତ କରିଥିବା ଦୁଇଟି ଭୀମକାୟ ସିଂହ । ଏହି ହାତୀଦୁଇଟି ଦୁଇଟି ଶାୟିତ ମଣିଷକୁ ମାଡ଼ି ବସିଥିବାର ଦେଖାଯାଏ । ପ୍ରତ୍ୟେକ ପୁରାତନ ମନ୍ଦିର ପରି ଏଠାରେ ମଧ୍ୟ ମୁଖ୍ୟ ମନ୍ଦିର ପୂର୍ବରୁ ନାଟ ମନ୍ଦିରଟି ରହିଛି, ଯେଉଁଠାରେ କଳାକାରମାନେ ଦେବତାଙ୍କ ଉଦ୍ଦେଶ୍ୟରେ ନୃତ୍ୟ ଗୀତ ପରିବେଷଣ କରିଥାନ୍ତି । ମନ୍ଦିରର ଅତ୍ର ତତ୍ର ସର୍ବତ୍ର ବିବିଧ ଫୁଲ ଓ ଜ୍ୟାମିତିକ ଢାଞ୍ଚାର ନମୁନା ଦେଖିବାକୁ ମିଳେ ।

ଏହାଛଡ଼ା ଅନେକ ପ୍ରକାରର ଦେବଦେବୀ, ଯକ୍ଷ, ଗନ୍ଧର୍ବ, କିନ୍ନର, ନର ସଙ୍ଗୀତ ଶିଳ୍ପୀ, ନଟ, ନଟୀ, ପ୍ରେମୀ ଯୁଗଳ ଓ ଆନନ୍ଦ ଉତ୍ସବମୟ ଗ୍ରାମୀଣ ଜୀବନ, ଯୁଦ୍ଧ ଓ ଶିକାର ଆଦିର ଅସଂଖ୍ୟ ଚିତ୍ରଣ ଏଠାରେ ଦେଖିବାକୁ ମିଳେ । ତା’ ସହିତ କେତେ ଜାତିର ପଶୁ-ପକ୍ଷୀ, ପାଖାପାଖି ଦୁଇହଜାର ଆକର୍ଷକ ଓ ଜିଅଁନ୍ତା ଦିଶୁଥିବା ହାତୀ, ପୌରାଣିକ ଜୀବ, ନାନା ଜାତିର ଲତା ଓ ଜ୍ୟାମିତିକ ଢାଞ୍ଚାରେ ଭରା ଅଳଂକୃତ ଓ ସମ୍ଭ୍ରାନ୍ତ ଓଡ଼ିଆ ସ୍ଥାପତ୍ୟର ଅନେକ କମକୁଟ ଦର୍ଶକକୁ ବିମୋହିତ କରିବା ସହିତ ଏହାର ସଜୀବ ଚିତ୍ରଣ ଏହି ମନ୍ଦିରକୁ ଅନ୍ୟ ମନ୍ଦିରମାନଙ୍କଠାରୁ ପୃଥକ ଓ ଉତ୍କୃଷ୍ଟ ପ୍ରତିପାଦିତ କରେ।

ମନ୍ଦିରରେ ଖୋଦିତ କାମୋତ୍ତେଜକ ଚିତ୍ରପାଇଁ ମଧ୍ୟ କୋଣାର୍କ ପ୍ରସିଦ୍ଧ। ଜୀବନର ଏହି କୋମଳ ଗୋପନ ମାଧୁର୍ଯ୍ୟକୁ ଏତେ ସ୍ପଷ୍ଟ ଭାବରେ ଚିତ୍ରିତ କରିବା ଓଡ଼ିଆ କଳାନୈପୁଣ୍ୟର ଶ୍ରେଷ୍ଠତା ପ୍ରତିପାଦନ କରେ। ମଣିଷ, ମଣିଷୋତ୍ତର, ମଣିଷେତର ସବୁପ୍ରକାର ପ୍ରାଣୀମାନଙ୍କର କାମକ୍ରୀଡ଼ାକୁ ଅତି ସଜୀବ ଭାବରେ ମନ୍ଦିରର କାନ୍ଥରେ ଚିତ୍ରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking