ଲିଙ୍ଗରାଜ ମନ୍ଦିର ଇତିହାସ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ  ଥିବା ଏକ ପୁରାତନ  ହରିହର  ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର  ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।  ଲିଙ୍ଗରାଜ ଶବ୍ଦର ଅର୍ଥ ହେଉଛି ‘ଲିଙ୍ଗ ମାନଙ୍କର ରାଜା’, ‘ଲିଙ୍ଗ ପୂଜା’ ଶିବ ପୂଜାର ପ୍ରତୀକ ହୋଇଥିବାରୁ ଏହା ଏକ ଶୈବ କ୍ଷେତ୍ର ଭାବରେ ଜଣାଶୁଣା । ଶିବ ଏଠାରେ ତ୍ରିଭୁବନେଶ୍ୱର (ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଦେବ) ଭାବରେ ପୂଜା ପାଇଥାନ୍ତି । ଏଠାରେ ଦେବୀ ଭୁବନେଶ୍ୱରୀ ମଧ୍ୟ ଲିଙ୍ଗରାଜଙ୍କ ସହିତ ପୂଜା ପାଇଥାନ୍ତି ।

ଏହି ମନ୍ଦିର ୧୦୦୦ ବର୍ଷରୁ ଅଧିକ ପୁରୁଣା । ଏହା ଷଷ୍ଠ ଶତାବ୍ଦୀରେ ତିଆରି ହୋଇଥିବାର ଅନେକ ପୁରାଣରେ ପ୍ରମାଣ ମିଳୁଥିଲେ ମଧ୍ୟ ୧୧ଶ ଶତାବ୍ଦୀରେ ପୁନର୍ନିମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିରର ନିର୍ମାଣ ସରିବା ବେଳକୁ ବିଷ୍ଣୁ ପୂଜାର ଆରମ୍ଭ ହୋଇସାରିଥିଲା ଯାହା ଏଠାରେ ହର (ଶିବ) ଓ ହରି (ବିଷ୍ଣୁ)ଙ୍କ ମିଳନର ପ୍ରମାଣ ଦେଇଥାଏ । କିମ୍ବଦନ୍ତୀ ଅନୁସାରେ ଲିଙ୍ଗରାଜ ମନ୍ଦିରର ସମ୍ମୁଖରେ ଥିବା ଏକ କ୍ଷୁଦ୍ର ଦେଉଳରେ ଥିବା କପାଳେଶ୍ୱର ମହାଦେବ ଲିଙ୍ଗରାଜଙ୍କ ପିତା । ଭୁବନେଶ୍ୱରରେ ଥିବା ଅନ୍ୟତମ ପ୍ରାଚୀନ ମନ୍ଦିର ବଇତାଳ ଦେଉଳରେ କାପାଳିନୀ ଦେବୀ ପୂଜିତ । ଶୀତଳ ଷଷ୍ଠୀ ସମୟରେ କାପାଳିନୀଙ୍କ ପାଖକୁ ଲିଙ୍ଗରାଜଙ୍କ ଭେଟି ଯାଏ । ଏହି ହେତୁରୁ କାପାଳିନୀଙ୍କୁ ଲିଙ୍ଗରାଜଙ୍କ ଭଉଣୀ ବୋଲାଯାଏ । ମହାପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତମାନଙ୍କ ଦେଇ କଦଳୀ, ନଡ଼ିଆ ଓ କୋରାଖଇ ଅର୍ପଣ କରାଯାଇଥାଏ । ଏଠାରେ ଲିଙ୍ଗରାଜ ଟେମ୍ପୁଲ ରୋଡ୍ ନାମରେ ଗୋଟିଏ ପାସେଞ୍ଜର୍ ହଲ୍ଟ୍ ଷ୍ଟେସନ ଅଛି ।

ଆମେ ଜାଣିଛେ, ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି । ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।

ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ । ଦେଶ ସ୍ୱାଧୀନ ହେବାର ପରବର୍ଷ, ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା । ଆଧୁନିକ ସହରର ଶୈଳୀ ଜର୍ମାନୀର ଓଟୋ କୋନିସବର୍ଗରଙ୍କଦ୍ୱାରା ନିର୍ମିତ । ସେ ଜାମସେଦପୁର ଓ ଚଣ୍ଡୀଗଡ଼ ସହରର ନିର୍ମାଣ ଶୈଳୀ ମଧ୍ୟ କରିଥିଲେ । ଭୁବନେଶ୍ୱର ଏବଂ କଟକ ଏକାସାଙ୍ଗେ ଓଡ଼ିଶାର ଟ୍ୱିନ ସିଟି ବା ଦୈତ ସ‌ହ‌ର ଭାବେ ଜଣାଶୁଣା । ଏହି ସହର ୨୦୧୧ ଅନୁସାରେ ମୋଟ ୧୦.୪୦ ଲକ୍ଷ ଲୋକଙ୍କୁ ନେଇ ଗଠିତ ।

LEAVE A REPLY

Please enter your comment!
Please enter your name here