ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ଜଣେ ଗାଡି ଡ୍ରାଇଭର ଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଟୁଙ୍ଗୁରୁବାହାଳ ଗାଁର ଡ୍ରାଇଭର ବୃନ୍ଦାବନ ଶବର ଓରଫ ବନ ଜାତୀୟ ରାଜପଥ କଡରେ ନିଜେ ଚଳାଉଥିବା ୧୦ ଚକିଆ ଟ୍ରକରୁ ଓହ୍ଲାଇ ରାସ୍ତା ପାର କରୁଥିବା ବେଳେ ଦ୍ରୁତଗତିରେ କେନ୍ଦୁଝର ପଟୁ ପାଲ୍ଲଲହଡା ଯାଉଥିବା ଏକ ୧୨ ଚକିଆ ଟ୍ରକ ବୃନ୍ଦାବନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବୃନ୍ଦାବନଙ୍କର ମୃତ୍ୟୁ ଘଟିଥିଲା ।ଦୁର୍ଘଟଣା ଘଟାଇ ସଂପୃକ୍ତ ଟ୍ରକଟି ଘଟଣା ସ୍ଥଳରୁ ସଙ୍ଗେ ସଙ୍ଗେ ଫେରାର ହୋଇ ଯାଇଥିବା ଜଣାପଡିଛି । କିଛି ସ୍ଥାନୀୟ ଲୋକ ଟ୍ରକକୁ ପିଛା କରିଥିଲେ ମଧ୍ୟ ତାର କୌଣସି ପତା ପାଇନଥିଲେ । କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି । ଘଟଣା ସ୍ଥଳରେ ତେଲକୋଇ ପୁଲିସ ଓ ତେଲକୋଇ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।