ସମ୍ବଲପୁର : ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡ଼ା ବାହାଲପଡ଼ାରେ ଦେଢବର୍ଷ ପୂର୍ବେ ବିବାହ କରିଥିବା ଆରତୀ ସିଂ (୨୦)ଙ୍କ ନିଖୋଜ ମାମଲାର ପର୍ଦ୍ଦାଫାସ ହୋଇଛି । ଆରତୀଙ୍କୁ ତାଙ୍କ ସ୍ୱାମୀ କୁନାଲ ସିଂ ପରିବାର ଲୋକଙ୍କ ସହ ମିଶି ହତ୍ୟା କରିବା ପରେ ଶବକୁ ପୋତି ଦେଇଥିବା ନେଇ ପୁଲିସର ଅନୁମାନ ସତ୍ୟ ହୋଇଛି । ଘଟଣା ପରେ କୁନାଲଙ୍କ ପରିବାର ଫେରାର ଥିବାବେଳେ ଏଠାରୁ ଯାଇଥିବା ୪ଜଣିଆ ପୁଲିସ ଦଳ ବିହାରରୁ କୁନାଲଙ୍କୁ ଏଠାକୁ ଗତକାଲି ଆଣିବା ପରେ କୁନାଲଙ୍କ ବୟାନ ଅନୁଯାୟୀ ଆଜି ସକାଳେ ସମ୍ବଲପୁର ସିଟି ଷ୍ଟେସନ ନିକଟ ବାଗଡିଆପଡା ଆମ୍ବବୁରେଇ (ଆମ୍ବ ବଗିଚା) ପାଖରେ ମାଟି ଖୋଳି ଆରତୀଙ୍କ ଗଳିତ ଶବ ପୁଲିସ ଉଦ୍ଧାର କରିଛି । ମାଜିଷ୍ଟ୍ରେଟ ଏବଂ ଫରେନସିକ ଟିମ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇଥିବାବେଳେ ଶବ ଯେଭଳି ଶୀଘ୍ର ନଷ୍ଟ ହୋଇଯିବ ସେଥିପାଇଁ ଗାତରେ ପ୍ରଚୁର ପରିମାଣରେ ଲୁଣ ପକାଯାଇଥିବା ଦେଖାଯାଇଥିଲା । ଘଟଣାସ୍ଥଳରେ ପଞ୍ଚନାମା ପରେ ପୁଲିସ ଏଫ୍ଏମ୍ଟି ଯାଞ୍ଚ ପାଇଁ ଶବକୁ ବୁର୍ଲା ଭିମସାରକୁ ପଠାଇଛି । କୁନାଲ, ତାଙ୍କ ଭାଇ, ସଢୁଙ୍କ ଭାଇଙ୍କ ସମେତ ୫ଜଣଙ୍କୁ ଅଟକ ରଖାଯାଇଥିବା ଏବଂ ଅଧିକ ତଦନ୍ତ ଜାରି ରହିଥିବା ଅତିରିକ୍ତ ଏସ୍ପି ପ୍ରଦୀପ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବିହାର ରାଜ୍ୟ ଆରା ଜିଲ୍ଲା ଅନ୍ତର୍ଗତ ପଣ୍ଡୁରା ରାମପୁରର ସତ୍ୟେନ୍ଦ୍ର ସିଂଙ୍କ ଝିଅ ଆରତୀ ସେହି ଗ୍ରାମର ମୂଳ ବାସିନ୍ଦା ଏବଂ ସାକ୍ଷୀପଡ଼ା ଗୁଆଲାପଡାରେ ରହୁଥିବା କୁନାଲଙ୍କୁ ଦେଢବର୍ଷ ତଳେ ବିବାହ କରିଥିଲେ । ବିବାହ ସମୟରେ ସତ୍ୟେନ୍ଦ୍ର ଝିଅକୁ ନଗଦ ୪ଲକ୍ଷ ଟଙ୍କା ଯୌତୁକ ଦେଇଥିଲେ । ହେଲେ ବିବାହର ୬ମାସ ପରେ ବାପ ଘରୁ ଅ।।ଉ ଏକ ଲକ୍ଷ ଟଙ୍କା ଏବଂ ଏକ ସୁନା ଚେନ୍ ଆଣିବାକୁ କୁନାଲ ଓ ତାଙ୍କ ପରିବାର ଲୋକେ ଆରତୀଙ୍କୁ ନିର୍ଯାତନା ଦେଉଥିବା ସତ୍ୟେନ୍ଦ୍ର କହିଛନ୍ତି । ଅନ୍ୟ ଏକ ଝିଅ ସହ ମଧ୍ୟ ସମ୍ପର୍କ ଥିବାରୁ କୁନାଲ ଆରତୀଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସତ୍ୟେନ୍ଦ୍ର ଅଭିଯୋଗ କରିଛନ୍ତି । ସତ୍ୟେନ୍ଦ୍ର ଗତ ୭ ତାରିଖ ଦିନ ଏଠାକୁ ଆସି ଧନୁପାଲି ଥାନାରେ କରିଥିବା ଅଭିଯୋଗରୁ ପ୍ରକାଶ ଯେ, ଗତବର୍ଷ ଡିସେମ୍ବର ୩୧ ତାରିଖ ସକାଳେ ସେ ଫୋନରେ ଆରତୀଙ୍କ ସହ କଥା ହୋଇଥିଲେ । ପରଦିନ ନବବର୍ଷରେ ତାଙ୍କ ପତ୍ନୀ କୁସୁମ ଝିଅ ସହିତ କଥା ହେବାକୁ ଫୋନ କରିଥିଲେ କିନ୍ତୁ ଆରତୀ କେଉଁ ଆଡେ ଯାଇଛନ୍ତି କହି କଥା ହେବାକୁ ଦିଆଯାଇ ନଥିଲା । ୨ ତାରିଖ ଦିନ ସେ ପୁଣି ଫୋନ କରିବାରୁ କୁନାଲ ଫୋନ ଉଠାଇଥିଲେ କିନ୍ତୁ ଆରତୀଙ୍କ ସହ କଥା ହେବାକୁ ଦେଇ ନଥିଲେ । ଏଣେ ୫ ତାରିଖରୁ କୁନାଲଙ୍କ ପରିବାର ଘରୁ କେଉଁ ଆଡେ ଫେରାର ହୋଇଯାଇଥିବା ଖବର ପାଇ ସତ୍ୟେନ୍ଦ୍ର ଏଠାରେ ପହଞ୍ଚି ଧନୁପାଲି ଥାନାରେ ଅଭିଯୋଗ କରିବାରୁ ଆରତୀ ନିଖୋଜ ଥିବା ନେଇ ଏତଲା ହୋଇଥିବା ଜଣାପଡ଼ିଥିଲା ।
ଏଣେ ଆରତୀ ନିଖୋଜ ହେବା ଏବଂ ତାଙ୍କ ପରିବାର ଲୋକେ ଘରୁ ଫେରାର ମାରିବା ନେଇ ସତ୍ୟେନ୍ଦ୍ର ସମ୍ବଲପୁର ମହିଳା ଥାନାରେ ଏତଲା କରିବା ପରେ ପୁଲିସ ବାହାଲପଡାସ୍ଥିତ କୁନାଲଙ୍କ ଘରକୁ ଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ତଦନ୍ତ କରିଥିଲେ । ଘରର ପାରିପାଶ୍ୱିର୍କ ସ୍ଥିତିରୁ ଆରତୀଙ୍କୁ ହତ୍ୟା ପରେ ଶବ ପୋତି ଦିଆଯାଇଥିବା ସନ୍ଦେହରେ ପୁଲିସ ଘର ଚଟାଣ ଖୋଳିଥିଲା । କିନ୍ତୁ ଆରତୀଙ୍କ ଶବ ମିଳି ନଥିଲା । ହେଲେ ଘର କବାଟ ଏବଂ ପୁଲିସ ଜବତ କରିଥିବା କୁନାଲଙ୍କ ଅଟୋ ରିକ୍ସାରେ ରକ୍ତଛିଟା ଏବଂ ମହିଳାଙ୍କ ଲମ୍ବା କେଶ ପାଇବା ପରେ ଆରତୀଙ୍କୁ ହତ୍ୟା ପରେ ଶବ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଥିବା ନେଇ ପୁଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ଏଣେ ପୁଲିସର ଏକ ଟିମ କୁନାଲ ଓ ତାଙ୍କ ପରିବାର ଲୋକଙ୍କୁ ଠାବ କରିବାକୁ ବିହାର ଯାଇଥିଲେ ଏବଂ ଗତକାଲି କୁନାଲଙ୍କୁ ପାଇ ପୁଲିସ ଏଠାକୁ ନେଇ ଆସିଥିଲା । ଜେରାରେ ଡିସେମ୍ବର ୩୧ ତାରିଖ ରାତିରେ ହିଁ ଆରତୀଙ୍କୁ ହତ୍ୟା କରିବା ପରେ ଭୋର ସକାଳେ ଶବ ନେଇ ପୋତି ଦିଆଯାଇଥିବା କୁନାଲ ପୁଲିସକୁ ବୟାନ ଦେଇଥିବା ଜଣାପଡ଼ିଛି ।