40.1 C
Bhubaneswar
Monday, June 17, 2024
Homeଦେଶ ବିଦେଶ୬ଷ୍ଠ ପର୍ଯ୍ୟାୟରେ ୫୯% ମତଦାନ; ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟିଂ ହାର

୬ଷ୍ଠ ପର୍ଯ୍ୟାୟରେ ୫୯% ମତଦାନ; ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟିଂ ହାର

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ୭.୪୫ ସୁଦ୍ଧା ଦେଶବ୍ୟାପୀ ହାରାହାରି ୫୯.୦୬% ମତଦାନ ହୋଇଛି । ତେବେ ପୂର୍ବ ୫ମ ପର୍ଯ୍ୟାୟ ଭଳି ୬ଷ୍ଠ ପର୍ଯ୍ୟାୟରେ ମଧ୍ୟ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ହୋଇଥିବା ଜଣାପଡିଛି । ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୧୯% ମତଦାନ ହୋଇଛି । ସେହିପରି ଝାଡଖଣ୍ଡରେ ୬୨.୭୪%, ଓଡ଼ିଶାରେ ୬୦.୦୭% ଓ ହରିଆଣାରେ ୫୮.୩୭% ମତଦାନ ହୋଇଛି । ଏତଦ୍‌ବ୍ୟତୀତ ଦିଲ୍ଲୀରେ ୫୪.୪୮%, ବିହାରରେ ୫୩.୩୦%, ଉତ୍ତରପ୍ରଦେଶରେ ୫୪.୦୩% ଏବଂ ଜମ୍ମୁ କାଶ୍ମୀରରେ ୫୨.୨୮% ମତଦାନ ହୋଇଛି । ଅନନ୍ତନାଗ-ରାଜୌରୀ ଆସନରେ ଗତ ୩୫ ବର୍ଷ ମଧ୍ୟରେ ସର୍ବାଧିକ ୫୧.୩୫% ଭୋଟିଂ ହେବା ନିର୍ବାଚନ ଆୟୋଗଙ୍କୁ ବେଶ୍ ଉତ୍ସାହିତ କରିଛି ।
୬ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ଆସନମଧ୍ୟରେ ଦିଲ୍ଲୀର ସମସ୍ତ ୭ଟି ଆସନ, ଉତ୍ତରପ୍ରଦେଶର ୧୪ ଆସନ, ହରିଆଣାର ସମସ୍ତ ୧୦ଟି ଆସନ, ବିହାର ଓ ପଶ୍ଚିମବଙ୍ଗର ୮ଟି ଲେଖାଏ ଆସନ, ଓଡ଼ିଶାର ୬ଟି ଆସନ, ଝାଡଖଣ୍ଡର ୪ଟି ଆସନ ଏବଂ ଜମ୍ମୁ କାଶ୍ମୀରର ୧ଟି ଆସନ ସାମିଲ ରହିଛି ।  ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଯାଏ ଚାଲିଥିଲା । ତେବେ ସନ୍ଧ୍ୟା ୬ ପରେ କେତେକ ମତଦାନ କେନ୍ଦ୍ରରେ ଲାଇନ୍‌ରେ ଥିବା ବ୍ୟକ୍ତିବିଶେଷଙ୍କୁ ଭୋଟ୍ ଦେବାର ସୁଯୋଗ ଦିଆଯାଇଥିଲା ।
ଅନ୍ୟପକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଥିବା ମତଦାନ ପ୍ରକ୍ରିୟାରେ ନିଜ ଭାଗ୍ୟ ପରୀକ୍ଷା କରିଥିବା ମୋଟ୍ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଯାଇଛି । ଏମାନଙ୍କ ମଧ୍ୟରେ ଓଡ଼ିଶାର ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପିର ଧର୍ମେନ୍ଦ୍ର ପ୍ରଧାନ, ଉତ୍ତର ପୂର୍ବ ଦିଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପିର ମନୋଜ ତିୱାରୀ ଓ କଂଗ୍ରେସର କହ୍ନେୟା କୁମାର, ଉତ୍ତରପ୍ରଦେଶର ସୁଲତାନ୍‌ପୁର ଆସନରୁ ବିଜେପିର ମାନେକା ଗାନ୍ଧୀ, ଜମ୍ମୁ କାଶ୍ମୀରର ଅନନ୍ତନାଗ-ରାଜୌରୀ ଆସନରୁ ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତୀ, ପଶ୍ଚିମବଙ୍ଗର ତାମଲୁକ୍ ଆସନରୁ ବିଜେପିର ଅଭିଜିତ୍ ଗଙ୍ଗୋପାଧ୍ୟାୟ, କର୍ଣ୍ଣାଟର କର୍ଣ୍ଣଲ ଆସନରୁ ବିଜେପିର ମନୋହର ଲାଲ୍ ଖଟ୍ଟର, କୁରୁକ୍ଷେତ୍ର ଆସନରୁ ବିଜେପିର ନବୀନ ଜିନ୍ଦଲଙ୍କ ଭଳି କିଛି ହେଭିୱେଟ୍ ନେତା ମଧ୍ୟ ସାମିଲ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking