ମୟୂରଭଞ୍ଜ: ମହିଳାଙ୍କ କଳା କାରନାମା ଉପରୁ ଉଠୁଛି ପରଦା। ଠକ ମହିଳା ଏବେ ପୋଲିସ ହାତରେ ଧରାପଡ଼ି ହରଡ଼ଘଣାରେ। ତେବେ ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ମହିଳାମାନଙ୍କୁ ଟାର୍ଗେଟ କରି ଲୁଟୁଥିଲା, ହେଲେ ଅଭିଯୋଗ ପରେ ଖୋଲିଯାଇଛି ୪୨୦ ମହିଳାଙ୍କ ଅସଲ ମୁଖା। ଆଉ ଏବେ ପୋଲିସ କବଜାରେ ଲୁଟେରା ମହିଳା। ଲୁଟେରା ମହିଳାଙ୍କୁ ଭୁବନେଶ୍ୱରରୁ ଉଠାଇ ଆଣିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୋଲିସ। ୪୨୦ ମହିଳା କେଉଁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳର ବିନୋଦିନୀ ନାୟକ ବୋଲି ଜଣାପଡିଛି। ଏହି ୪୨୦ ମହିଳା ନିଜକୁ ଶ୍ରମ ବିଭାଗର ଅଧିକାରୀ କହିବା ସହିତ ମହିଳାଙ୍କୁ ଲୋନ କରାଇ ଦେବେ ବୋଲି କହି କପ୍ତିପଦା ଥାନା ପରାସୀବାଡ଼ି ଅଞ୍ଚଳରୁ ପ୍ରାୟ ୩୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇ ଯାଇଥିବା ବେଳେ ତାହା ଫେରାଇ ନ ଥିଲେ କି ଋଣ ମଧ୍ୟ କରାଇ ଦେଇନଥିଲେ। ଯାହାକୁନେଇ ଠକାମୀର ଶିକାର ହୋଇଥିବା ମହିଳା କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ୪୨୦ ମହିଳାଙ୍କୁ ଭୁବନେଶ୍ୱର ହଂସପାଳ ଅଞ୍ଚଳରୁ ଉଠାଇ ଆଣି ଥାନାରେ ତଦନ୍ତ କରିବା ପରେ ସୁଧାରଗୃହକୁ ପଠାଇ ଦେଇଥିବା ଜଣାପଡିଛି। ତେବେ ତଦନ୍ତ ପରେ ପୋଲିସ ଲୁଟେରା ମହିଳାଙ୍କ ଠକାମୀ ତାଲିକା ଦେଖି ତାଜୁବ ହୋଇଥିଲା। ମହିଳା ବିନୋଦିନୀ ନାୟକ କପ୍ତିପଦା ଥାନା ସମେତ ଉଦଳା, ଭଞ୍ଜପୁର, ଖାରବେଳନଗର ଥାନା,ବାଲିପାଟଣା ଥାନାରେ ରହି ଠକାମୀର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯାହାକି ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛି। ଏହା ସହିତ ନିଜେ ବଞ୍ଚିବା ପାଇଁ ୩୦ରୁ ଅଧିକ ସିମକାର୍ଡ ବ୍ୟବହାର କରିବା ସହିତ ବାରମ୍ବାର ନିଜର ଠିକଣା ବଦଳାଇ ଚାଲିଥିଲା।










