29.1 C
Bhubaneswar
Thursday, May 2, 2024
Homeଓଡିଶା୫-ଟିରେ ଖର୍ଚ୍ଚ ହୋଇଥିବା ସମସ୍ତ ସରକାରୀ ଅର୍ଥ ବିଜେଡିଠାରୁ ଆଦାୟ କରାଯାଉ: ଅନିଲ ବିଶ୍ୱାଳ

୫-ଟିରେ ଖର୍ଚ୍ଚ ହୋଇଥିବା ସମସ୍ତ ସରକାରୀ ଅର୍ଥ ବିଜେଡିଠାରୁ ଆଦାୟ କରାଯାଉ: ଅନିଲ ବିଶ୍ୱାଳ

ଭୁବନେଶ୍ୱର : ବିଜୁ ଜନତା ଦଳ ସରକାରର ସବୁଠୁ ବଡ ଟ୍ରମ୍ପକାର୍ଡ ଥିଲା ୫-ଟି । ସେହି ୫-ଟିକୁ ନିର୍ବାଚନ କମିଶନର ଅସିଦ୍ଧ ଘୋଷଣା କରି ସମସ୍ତ ସରକାରୀ ୱେବସାଇଟ୍‌ରୁ ହଟାଇବା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ୫-ଟି ଅଧ୍ୟକ୍ଷ ବୋଲି ନିଜକୁ କହୁଥିବା ଭିକେ ପାଣ୍ଡିଆନଙ୍କୁ ମଧ୍ୟ ବିଦା କରିସାରିଛନ୍ତି । ଯେଉଁ ୫-ଟିର ପ୍ରଚାର ପ୍ରସାରରେ ବିଜେଡି ତାର ସମସ୍ତ ବଳ ଲଗାଇ ଦେଇଥିଲା ସେହି ୫-ଟି ଆଜି ‘ମିସିଙ୍ଗ୍‌’ ହୋଇଯାଇଛି । ଏବେ ଯେତେବେଳେ ନିର୍ବାଚନ କମିଶନର ୫-ଟିକୁ ଅବୈଦ୍ଧ କହୁଛନ୍ତି ଏହା ପ୍ରମାଣିତ କରୁଛି ଯେ, ଏହା ଏକ ରାଜନୈତିକ କାର୍ଯ୍ୟକ୍ରମ ଥିଲା । ଯେହେତୁ ୫-ଟି କେବଳ ବିଜୁ ଜନତା ଦଳର ଏକ ରାଜନୈତିକ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଥିଲା ସେ ଦୃଷ୍ଟିରୁ ୫-ଟି ପ୍ରଚାର ପ୍ରସାରରେ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଥିବା ୫ଶହ କୋଟି ଟଙ୍କାକୁ ବିଜୁ ଜନତା ଦଳଠାରୁ ଭରଣା କରାଯାଉ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ୫-ଟିର ଆଳ ଦେଖାଇ ସ୍କୁଲ କାନ୍ଥରେ ରଙ୍ଗମାରି ୫ହଜାର କୋଟି, ଆମ ଓଡିଶା ନବୀନ ଓଡ଼ିଶାରେ ୪ହଜାର କୋଟି, ଲକ୍ଷ୍ମୀବସ୍ ଯୋଜନାରେ ୩ହଜାର କୋଟି, ମାଣ୍ଡିଆ ମିଶନରେ ୨୨ଶହ କୋଟି ଭଳି ଏଭଳି ଅନେକ ଦୁର୍ନୀତିରେ ପାଖାପାଖି ୪୦ହଜାର କୋଟି ଟଙ୍କାର ଘୋଟାଲା ହୋଇଛି । ଖଣି, ଚିଟ୍‌ଫଣ୍ଡ ଦୁର୍ନୀତି ପରେ ୫-ଟି ହେଉଛି ଆଉ ଏକ ବଡ ଦୁର୍ନୀତି । ଓଡିଶାବାସୀ ଏବେ ପ୍ରଶ୍ନ କରୁଛନ୍ତି ମୁଖ୍ୟମନ୍ତ୍ରୀ କାହିଁକି ୫-ଟି ଦୁର୍ନୀତି ଉପରେ ମୁହଁ ଖୋଲୁନାହାନ୍ତି? ୫-ଟି ଆଳରେ ମୁଖ୍ୟମନ୍ତ୍ରୀ ସରପଂଚ ରୁ ସାଂସଦ ପର୍ଯ୍ୟନ୍ତ ସମସ୍ତ ଜନପ୍ରତିନିଧିମାନଙ୍କର କ୍ଷମତାକୁ ହଡପ କରି କିଛି ଅଣଓଡ଼ିଆ ଅଧିକାରୀଙ୍କ ହାତରେ ଦେଇଥିଲେ । ମୁଖ୍ୟମନ୍ତ୍ରୀ ୫-ଟି ଭଳି ଏକ ଅଗଣତାନ୍ତ୍ରିକ ଓ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଆରମ୍ଭ କରିଥିବାରୁ ରାଜ୍ୟବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ।

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନେ ବିଜୁ ଜନତା ଦଳ ସ୍ୱାର୍ଥରେ କାମ କରିବାରୁ ବିରତ ହେଉନାହାନ୍ତି । ନିର୍ବାଚନ କମିଶନ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଦା କରିସାରିଛନ୍ତି କିନ୍ତୁ ଆଜି ବି ସେଠାରେ ଗୋପବନ୍ଧୁ ଦାସ ନାମକ ଜଣେ ଅଧିକାରୀଭାବେ କାର୍ଯ୍ୟ କରୁଛନ୍ତି ଯେ, ବିଜେଡି ପାଇଁ ଗୋପାଳପୁରରେ ପ୍ରଚାର କରୁଥିଲେ । ରାଜନୀତିରେ ସିଧାସଳଖ ଯୋଗ ଦେଇସାରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସେ ହେଉଛନ୍ତି ଦ୍ୱିତୀୟ ପ୍ରଶାସନିକ ଅଧିକାରୀ । ଏବେ ପ୍ରଶ୍ନ ଉଠୁଛି ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେବେ ବିଦା ହେବେ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତତ୍‌କାଳୀନ ପ୍ରଶାସନିକ ଅଧିକାରୀମାନେ କାମ କରିବା ପ୍ରମାଣିତ ହେବା କାରଣରୁ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ମାନ୍ୟବର ଅଦାଲତ ଅସିଦ୍ଧ ଘୋଷଣା କରିଥିଲେ । ଯେଉଁଥିପାଇଁ ପରବର୍ତୀ ସମୟରେ ଦେଶରେ ଗଣତନ୍ତ୍ରର କଳାଦିନଭାବରେ ପରିଚିତ ଜରୁରୀକାଳିନ ପରିସ୍ଥିତି ଲାଗୁ ହୋଇଥିଲା । ଏବେ ଓଡ଼ିଶାରେ ସମାନ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୁଲମଖୋଲାଭାବେ ବିଜୁ ଜନତା ଦଳ ପାଇଁ କାମ କରୁଛି । ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ଯେଉଁ କାରଣ ପାଇଁ ଅସିଦ୍ଧ ହୋଇଥିଲା ସେହି ସମାନ କାରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଆଗାମୀ ଦିନରେ ଅସିଦ୍ଧ ହୋଇପାରେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ପ୍ରବକ୍ତା ପତଞ୍ଜଳି କରଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking