ଭୁବନେଶ୍ୱର: ଶୁକ୍ରବାରଠାରୁ ବେଙ୍ଗାଲୁରୁର ଶ୍ରୀ କାନ୍ତିରବା ଷ୍ଟାଡିୟମ୍ଠାରେ ପଞ୍ଚମ ଇଣ୍ଡିଆନ୍ ଓପନ୍ ପାରା ଆଥଲେଟିକ୍ସ ଇଣ୍ଟରନାସନାଲ୍ ଚାମ୍ପିଅନ୍ଶିପ୍ ଆରମ୍ଭ ହେବ । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୪ ଜଣ ପ୍ରତିନିଧିତ୍ୱ କରିବେ। ସେମାନେ ହେଲେ ଜୟନ୍ତୀ ବେହେରା, ସୁଚିତ୍ରା ପରିଡ଼ା, ପଙ୍କଜ ଭୁଏ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାଏ । ଜୟନ୍ତୀ ୧୦୦ ମିଟର, ୨୦୦ ମିଟର ଓ ୪୦୦ ମିଟରରେ ଭାଗ ନେବାକୁ ଥିବା ବେଳେ ସୁଚିତ୍ର ଡିସ୍କସ୍ ଥ୍ରୋ’ ଓ ଜାଭେଲିନ୍ ଥ୍ରୋ’ରେ ଅଂଶଗ୍ରହଣ କରିବେ । ସେହିପରି ପଙ୍କଜ ଲଙ୍ଗ୍ ଜମ୍ପ୍ ସହ ୧୦୦ ମିଟର ଓ ୨୦୦ ମିଟର ଇଭେଣ୍ଟ୍ରେ ଭାଗ ନେବେ । ଆହୁରି ପ୍ରଫୁଲ୍ଲ ଶଟ୍ପୁଟ୍ ଓ ଜାଭେଲିନ୍ ଥ୍ରୋ’ରେ ଅଂଶଗ୍ରହଣ କରିବେ ବୋଲି ପାରା ସ୍ପୋର୍ଟ୍ସ ଆସୋସିଏସନ୍ ଅଫ୍ ଓଡ଼ିଶା (ପିଏସ୍ଏଓ) ପକ୍ଷରୁ ସୂଚନା ଦିଆଯାଇଛି । ଏହି ୪ ଜଣ ଖେଳାଳିଙ୍କ ସହ କୋଚ୍ ତଥା ପାରା ଅଲିମ୍ପିଆନ୍ ମାର୍କଣ୍ଡ ରେଡ୍ଡୀ ଓ ବିଷ୍ଣୁ ପ୍ରସାଦ ମିଶ୍ର ମଧ୍ୟ ବେଙ୍ଗାଲୁରୁ ଗସ୍ତ କରିଛନ୍ତି ।