ନୂଆଦିଲ୍ଲୀ: ନେପାଳରେ ଅବତରଣ ସମୟରେ ଦୁର୍ଘଟଣାର ଶିକାର ହୋଇଛି ବିମାନ । ଭୟଙ୍କର ଦୁର୍ଘଟଣା ପରେ ୟେଟି ଏୟାରଲାଇନ୍ସର ଏହି ବିମାନ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନର ନୂଆ ସୂଚନା ଅନୁସାରେ ଏଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୨ ଜଣ ପ୍ରାଣ ହରାଇଛନ୍ତି । ତେବେ ଆଗକୁ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଇଛି । ମୃତକଙ୍କର ପରିଚୟ ଏଯାବତ ମିଳିପାରିନଥିଲେ ମଧ୍ୟ ଅନ୍ୟମାନଙ୍କୁ ଉଦ୍ଧାରକ ରାଯିବା ପାଇଁ ଉଦ୍ୟମ ଜାରି ରହିଛି । ଏ ଘଟଣା ନେଇ ଏବେ ସାରା ଅଞ୍ଚଳରେ ଭୟ ଏବଂ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, ନେପାଳର ପୋଖାରା ବିମାନବନ୍ଦର ରନୱେରେ ବିମାନ ଲାଣ୍ଡିଂ କରିବା ସମୟରେ ହଠାତ ଦୁର୍ଘଟଣାର ଶିକାର ହୋଇଛି । ଫଳରେ ଏହି ବିମାନଟି ହଠାତ ନିଆଁ ଲାଗି ଯାଇଥିଲା । ତେବେ ଏହି ବିମାନରେ ୬୮ ଜଣ ଯାତ୍ରୀଙ୍କ ସହ ୪ ଜଣ କ୍ର୍ୟୁ ମେମ୍ବର ରହିଥିବା ନେଇ ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଥିବା ବେଳେ ବିମାନରେ ଥିବା ଅନ୍ୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ ।