ନୂଆଦିଲ୍ଲୀ : ନାବାଳିକା ପ୍ରେମିକାକୁ ବିଚ୍ ରାସ୍ତାରେ ୨୨ଥର ଛୁରାଭୁଶି ହତ୍ୟା କରିଥିବା ପ୍ରେମିକକୁ ଦିଲ୍ଲୀ ପୁଲିସ ସୋମବାର ଗିରଫ କରିଛି । ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏହି ହୃଦୟବିଦାରକ ଘଟଣା ରବିବାର ଘଟିଛି । ଅସହାୟ ନାବାଳିକାକୁ କ୍ରମାଗତ ଛୁରାମାଡ କରାଯାଉଥିଲେ ସୁଦ୍ଧା ସେହି ସମୟରେ ରାସ୍ତାରେ ଯାଉଥିବା ସବୁ ଲୋକ ଦେଖଣାହାରୀ ପାଲଟିଥିଲେ । ରବିବାର ସନ୍ଧ୍ୟାରେ ନାବାଳିକାଜଣକ ଶାହବାଦ ଡେୟାରୀ ନିକଟରେ ଯାଉଥିବାବେଳେ ୨୦ ବର୍ଷୀୟ ସାହିଲ ତାକୁ ଅଟକାଇ ଛୁରୀ ଭୁଶିଚାଲିଥିଲା ।
ଗୋଟିଏ ସମୟରେ ଛୁରୀଟି ନାବାଳିକା ଶରୀରରେ ଅଟକି ଯିବାରୁ ସାହିଲ ନିକଟରେ ପଡିଥିବା ଏକ ପଥର ସାହାଯ୍ୟରେ ନାବଳିକାର ମୁଣ୍ଡକୁ ପିଟିିଚାଲିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ପ୍ରେମିକାର ମୃତ୍ୟୁ ଘଟିସାରିବାପରେ ମଧ୍ୟ ସାହିଲର କ୍ରୋଧ ପ୍ରଶମିତ ହୋଇନଥିଲା । କିଛିବାଟ ଯିବାପରେ ସେ ଫେରିଆସି ପଥରରେ ନାବାଳିକା ମୁଣ୍ଡକୁ ପୁଣି ପ୍ରହାର କରିଥିଲା । ପ୍ରେମିକର ଆକ୍ରମଣରେ ନାବାଳିକାର ମୁଣ୍ଡ ଚାରିଫାଳ ହୋଇଥିବାବେଳେ ଅନ୍ତଃନଳୀ ବାହାରି ପଡିଥିବା ଲକ୍ଷ୍ୟ କରାଯାଇଛି ।
ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ସୋମବାର ଉତ୍ତରପ୍ରଦେଶର ବୁଲନ୍ଦସହରରୁ ସାହିଲକୁ ଗିରଫ କରିଛି । ଦିଲ୍ଲୀ ମହିଳା କମିଶନ ପକ୍ଷରୁ ଦିଲ୍ଲୀ ପୁଲିସକୁ ଏହି ଘଟଣାରେ ନୋଟିସ ଜାରି କରାଯାଇଛି । ଅପରପକ୍ଷରେ ଏହି ଘଟଣାକୁ ନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ଏଭଳି ହୃଦୟବିଦାରକ ହତ୍ୟାକାଣ୍ଡକୁ କଡା ଭାଷାରେ ନିନ୍ଦା କରିଥିବାବେଳେ ଦିଲ୍ଲୀର ଆଇନଶୃଙ୍ଖଳା ପ୍ରସଙ୍ଗରେ ଉପରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏହି ଟ୍ୱିଟ୍ ଜରିଆରେ କେଜ୍ରିୱାଲ କହିଛନ୍ତି ଯେ ‘ଉପରାଜ୍ୟପାଳ ସାର୍, ଦିଲ୍ଲୀର ଆଇନଶୃଙ୍ଖଳା ଦାୟିତ୍ୱ ଆପଣଙ୍କ ଉପରେ ନ୍ୟସ୍ତ । ତେବେ ଅପରାଧୀମାନେ ଏଠାରେ କିପରି ଲଗାମଛଡା ହୋଇ ଅପରାଧ ଘଟାଉଛନ୍ତି ଏବଂ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି, ତାହାର ପ୍ରମାଣ ଏହି ହତ୍ୟାକାଣ୍ଡରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ତେଣୁ ସ୍ଥିତି ଅଧିକ ବିଗିଡିବା ପୂର୍ବରୁ ଆପଣ ଦୟାକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ’ ।