24.2 C
Bhubaneswar
Friday, March 14, 2025
Homeଦେଶ ବିଦେଶକୁନୋ ପାର୍କରେ ଆଉ ୨ ଚିତା ଶାବକ ମୃତ; ଦୁଇଦିନ ମଧ୍ୟରେ ମଲେଣି ୩

କୁନୋ ପାର୍କରେ ଆଉ ୨ ଚିତା ଶାବକ ମୃତ; ଦୁଇଦିନ ମଧ୍ୟରେ ମଲେଣି ୩

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଥଇଥାନ କରାଯାଇଥିବା ଆଫ୍ରିକୀୟ ଚିତାଙ୍କ ମଧ୍ୟରୁ ଗୁରୁବାର ଆଉ ଦୁଇଟି ଚିତା ଶାବକଙ୍କର ମୃତ୍ୟୁ ଘଟିଛି । ଗତ ମଙ୍ଗଳବାର ଗୋଟିଏ ଚିତା ଶାବକ ପ୍ରାଣ ହରାଇଥିଲା । ଫଳରେ ଦୁଇଦିନ ମଧ୍ୟରେ ତିନିଟି ଶାବକଙ୍କର ପ୍ରାଣହାନି ଘଟିଛି । ଚଳିତବର୍ଷ ମାର୍ଚ୍ଚରେ ‘ଜ୍ୱାଲା’ ନାମକ ମାଈ ଚିତା ୪ଟି ଶାବକଙ୍କୁ ଜନ୍ମ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ କେବଳ ଗୋଟିଏ ଶାବକ ବଞ୍ଚିଛି । ଅତ୍ୟଧିକ ଗରମ ଯୋଗୁଁ ଚିତା ଶାବକଗୁଡିକ ଡିହାଇଡ୍ରେସନର ଶିକାର ହୋଇ ପ୍ରାଣ ହରାଇଥିବା ପ୍ରାଣୀ ଚିକିତ୍ସକମାନେ କହିଛନ୍ତି । ବର୍ତ୍ତମାନ କୁନୋ ପାର୍କରେ ତାପମାତ୍ରା ୪୬-୪୭ ଡିଗ୍ରୀ ସେଲସିୟସ ରହୁଥିବାରୁ ଏହାର ପ୍ରତିକୂଳ ପ୍ରଭାବ ବନ୍ୟପ୍ରାଣୀଙ୍କ ଉପରେ ପଡୁଥିବା ଲକ୍ଷ୍ୟ କରାଯାଇଛି । ତିନିଟି ଶାବକ ପ୍ରାଣ ହରାଇବାପରେ ଚତୁର୍ଥ ଶାବକକୁ ପାଲପୁରସ୍ଥିତ ପ୍ରାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ତିନିଟି ପ୍ରାପ୍ତ ବୟସ୍କ ଚିତାଙ୍କର ମୃତ୍ୟୁ ଘଟିସାରିଥିବାବେଳେ ଏହାକୁ ନେଇ ସୁପ୍ରିମକୋର୍ଟ ଗତ ସପ୍ତାହରେ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଦକ୍ଷିଣ ଆଫ୍ରିକା ଓ ନାମ୍ବିଆରୁ ଅଣାଯାଇଥିବା ଚିତାଙ୍କୁ ତୁରନ୍ତ କୁନୋ ପାର୍କରୁ ରାଜସ୍ଥାନ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି । ଏତେସଂଖ୍ୟକ ଚିତାଙ୍କ ଚଳପ୍ରଚଳ ପାଇଁ କୁନୋ ପାର୍କରେ ସ୍ଥାନାଭାବ ହେଉଥିବାରୁ କିଛି ଚିତାଙ୍କୁ ରାଜସ୍ଥାନର କୌଣସି ଏକ ଉପଯୁକ୍ତ ସ୍ଥାନରେ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଆଗକୁ ଆଫ୍ରିକୀୟ ପୁରୁଷ ଚିତାଗୁଡିକ ଆଞ୍ଚଳିକ ଦବ୍‌ଦବା ପାଇଁ ଉଦ୍ୟମ କରିବା ସମୟରେ କୁନୋ ପାର୍କରେ ଥିବା କଲରାପତରିଆ କିମ୍ବା ମହାବଳ ବାଘ ସହ ମୁହାଁମୁହିଁ ହେବାର ଆଶଙ୍କା ରହିଛି ଏବଂ ଏଥିଯୋଗୁଁ ଏମାନଙ୍କ ମଧ୍ୟରୁ ଆଉ କେତେକ ଚିତା ମୃତ୍ୟୁର ଶିକାର ହୋଇପାରନ୍ତି ବୋଲି ଦକ୍ଷିଣ ଆଫ୍ରିକାର ପ୍ରାଣୀ ବିଶେଷଜ୍ଞ ଭିନସେଣ୍ଟ୍ ଭାନ୍ ଡର୍ ମରୱେ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଭାରତରେ ଚିତା ବଂଶ ବୃଦ୍ଧି କରିବାକୁ ୨୦୨୨ରେ ଦକ୍ଷିଣ ଆଫ୍ରିକା ଓ ନାମ୍ବିଆରୁ ମୋଟ ୨୦ଟି ଚିତାଙ୍କୁ ଅଣାଯାଇ କୁନୋ ପାର୍କରେ ଛଡାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking