28.1 C
Bhubaneswar
Friday, March 29, 2024
Homeଅପରାଧଫରେଷ୍ଟଗାର୍ଡଙ୍କୁ ହତ୍ୟା ପରେ ଚେତିଲା ପ୍ରଶାସନ ; ସର୍ଚ୍ଚ ଅପରେସନରେ ୨ ଦେଶୀ ବନ୍ଧୁକ ଜବତ

ଫରେଷ୍ଟଗାର୍ଡଙ୍କୁ ହତ୍ୟା ପରେ ଚେତିଲା ପ୍ରଶାସନ ; ସର୍ଚ୍ଚ ଅପରେସନରେ ୨ ଦେଶୀ ବନ୍ଧୁକ ଜବତ

ବାରିପଦା : ଗତ ସୋମବାର ସନ୍ଧ୍ୟାରେ ଶିମିଳିପାଳ ବାଉଁଶଖାଳ ବିଟ୍ ନିକଟରେ ନାଇଟ ପାଟ୍ରୋଲିଂ କରୁଥିବା ବେଳେ ଫରେଷ୍ଟ ଗାର୍ଡ ବିମଳ ଜେନା ଶିକାରୀଙ୍କ ଗୁଳିରେ ମୃତ୍ୟୁ ବରଣ କରିବା ପରେ ସବୁ ମହଲରୁ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏନେଇ ସରକାର ତଥା ବନବିଭାଗ ଏବଂ ପୁଲିସ ବିଭାଗ ତତପରତା ଦେଖାଇଛି । ଗୁରୁବାର ମୟୂରଭଞ୍ଜ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ସାଗରୀକା ନାଥ ଏବଂ ଶିମିଳିପାଳ ସାଉଥ୍ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ଶିକାରୀଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବା ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କୁ ସହିଦ ମାନ୍ୟତା ଦିଆଯିବ ବୋଲି କହିବା ସହିତ ଗୁଳିକାଣ୍ଡ ଘଟାଇଥିବା ଶିକାରୀ ମାନେ ସମସ୍ତେ ଶିମିଳିପାଳ ଅଞ୍ଚଳର ଏବଂ ସର୍ବନିମ୍ନ ୧୦ ଜଣ ବ୍ୟକ୍ତି ସାମିଲ ଥିବାର କହିଛନ୍ତି । ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ଓ ବନବିଭାଗ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଥିବା ସହ ଶିମିଳିପାଳରୁ ବାହାରିବା ପାଇଁ ରହିଥିବା ସମସ୍ତ ମୁଖ୍ୟ ଏବଂ ଗୁପ୍ତ ରାସ୍ତାକୁ ସିଲ କରାଯାଇଥିବା କହିଛନ୍ତି ।

ସେହିପରି ଶିମିଳିପାଳ ଅଞ୍ଚଳରେ ଅପରାଧ ଏବଂ ଶିକାର ରୋକିବା ପାଇଁ ଶିମିଳିପାଳ ଭିତରେ ଏବଂ ପାଦ ଦେଶରେ ଥିବା ଜନବସତି ଗୁଡିକରେ ଅଧିକ ମାତ୍ରାରେ ବନ୍ଧୁକ ବ୍ୟବହାର ହେଉଥିବାର ରିପର୍ଟ ରହିଥିବାରୁ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଏବଂ ଡିଏସ୍‌ପି ର‌୍ୟାଙ୍କର ପୁଲିସ ଅଧିକାରୀଙ୍କ ନେତୃତ୍ୱରେ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବେଆଇନ ବନ୍ଧୁକ, ଗୁଳି ତଥା ମାରଣାସ୍ତ୍ର ଜବତ କରାଯାଉଥିବା କହିଛନ୍ତି । ଏହି ଅପରେସନରେ ୨ ଦିନ ଭିତରେ ବଡ଼ଗାଁ ଏବଂ ବାରିବେଡ଼ା ଗ୍ରାମରୁ ୨ଟି ଲୋଡେଡ୍ ଦେଶୀବନ୍ଧୁକ ଜବତ କରାଯିବା ସହ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା ଜାରି ରହିଛି । ଆଲାପାଣି ଗ୍ରାମର ୨ ଜଣଙ୍କ ଘରୁ ବାରହା ମାଂସ ଜବତ ହୋଇଛି ବୋଲି ବାଲେଶ୍ୱର ଏସ୍‌ପି ସାଗରୀକା ନାଥ ସୂଚନା ଦେଇଛନ୍ତି । ଜିଲ୍ଲାରେ ଫାଙ୍କା ଥିବା ବନବିଭାଗ ଅଧିକାରୀ ଓ କର୍ମଚାରୀ ପଦ ପୂରଣ ଏବଂ ବନ କର୍ମଚାରୀଙ୍କୁ ପାଟ୍ରୋଲିଂ ସମୟରେ ବନ୍ଧୁକ ପ୍ରଦାନ କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ବନକର୍ମଚାରୀଙ୍କୁ ବନ୍ଧୁକ ଚାଳନା ଶିକ୍ଷା ଦେବାର ନିଷ୍ପତି ହୋଇଥିବାର ଶିମିଳିପାଳ ଦକ୍ଷିଣ ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking