ଭୁବନେଶ୍ୱର: କରୋନା ପରେ ଏବେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷଜ୍ଞମାନେ ମଧ୍ୟ ଏହାର ଭୟାବହତା ଆକଳନ କଲେଣି । ଏହାକୁ ନଜରରେ ରଖି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ମାର୍ଚ୍ଚ ମାସରେ +୨ ପରୀକ୍ଷା କରିବାକୁ ରାଜ୍ୟର ସମସ୍ତ ଜୁନିୟର କଲେଜମାନଙ୍କୁ ଅବଗତ କରାଯାଇଛି । ସେହିପରି ଜାନୁଆରୀ ୧୦ ତାରିଖ ସୁଦ୍ଧା ତୃତୀୟ ଆସେମେଣ୍ଟ ପରୀକ୍ଷା ଶେଷ କରି ରେଜିଷ୍ଟାର ଖାତାରେ ମାର୍କ ଅପଲୋଡ କରିବାକୁ କାଉନସିଲ ପକ୍ଷରୁ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୋମବାର କାଉନସିଲ ପକ୍ଷରୁ ସମସ୍ତ ଜୁନିୟର କଲେଜର ଅଧ୍ୟକ୍ଷମାନଙ୍କୁ ଚିଠିକରାଯିବା ସହିତ ପରୀକ୍ଷା ଲାଗି ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଛି । ତେବେ ଗଲାବର୍ଷ କରୋନା ଲାଗି ପିଲାଙ୍କ ପାଠପଢା ଠିକଭାବେ ହୋଇନଥିଲା । ଅନେକ ପିଲା ନେଟୱାର୍କ ଓ ସ୍ମାର୍ଟ ମୋବାଇଲ ନଥିବାରୁ ପାଠ ପଢିପାରିନଥିଲେ । ସେହିଭଳି ଜୁଲାଇ ୨୬ ତାରିଖରୁ +୨ ଦ୍ୱିତୀୟବର୍ଷ ଖୋଲିଥିଲା ବେଳେ କରୋନା ଲାଗି ଅନେକ ପିଲା ସ୍କୁଲ ଆସିପାରିନଥିଲେ । ତେଣୁ ବିଳମ୍ବରେ ପାଠପଢା ଆରମ୍ଭ ହୋଇଥିବାରୁ ପିଲାଙ୍କର ପାଠପଢା ମଧ୍ୟ ଶେଷ ହୋଇପାରିନି । ଏପରି ସ୍ଥିତିରେ ଜାନୁଆରୀ ଶେଷ ସୁଦ୍ଧା ପାଠପଢା ସାରି ଫେବୃୟାରୀରେ ରିଭିଜନ ଓ ମାର୍ଚ୍ଚରେ ପରୀକ୍ଷାଦେବା ପିଲାଙ୍କ ଲାଗି କାଠିକର ହୋଇପଡିବ ଅଧ୍ୟାପକମାନେ କହିଛନ୍ତି ।
ତେବେ ଚଳିତବର୍ଷ +୨ ପରୀକ୍ଷାକୁନେଇ ଯେଉଁଭଳି ସମସ୍ୟା ଦେଖାଯାଇଥିଲା ତାହା ୨୦୨୨ ପରୀକ୍ଷାରେ ଯେପରି ପୁନରାବୃତ୍ତି ନହେବ ସେଥିଲାଗି ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି +୨ ପରିଷଦ ପକ୍ଷରୁ କୁହାଯାଇଛି । ପରିଷଦର ଜଣେ ଅଧିକାରୀ କହିଛନ୍ତି ଯେ, ଗତବର୍ଷ ଠିକ ବାର୍ଷିକ ପରୀକ୍ଷା ପୂର୍ବରୁ କରୋନାର ପିକ ସମୟ ଆସିଯାଇଥିଲା । ଏବେ ପୁଣି ନୂଆ ଭ୍ୟାରିଏଣ୍ଟ ଓମିକ୍ରନକୁ ନେଇ ସମାନ ସ୍ଥିତି ଉପୁଜିବାକୁ ଯାଉଛି । ତେଣୁ ସମୟ ପୂର୍ବରୁ ପରୀକ୍ଷା ଶେଷ କରିବାକୁ କାଉନସିଲ ପଦକ୍ଷେପ ନେଇଛି । ତେବେ ୨୦୨୨ ବୋର୍ଡ ପରୀକ୍ଷା ଲାଗି ସରକାର ୩୦% ପାଠ୍ୟଖସଡା ହ୍ରାସ କରିଛନ୍ତି ଫଳରେ ୭୦%କୋର୍ସକୁ ନେଇ ପରୀକ୍ଷା କରାଯିବ । ତେଣୁ କୋର୍ସ ଶେଷ ନହେବା ଭଳି କୈାଣସି କାରଣ ନାହିଁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି । ସେହିଭଳି ପରୀକ୍ଷାନେଇ ସମସ୍ତ ସୂଚନା ସଠିକ ସମୟରେ ପ୍ରଦାନ କରାଯିବ ବୋଲି କାଉନସିଲ ପକ୍ଷରୁ କୁହାଯାଇଛି ।