25.1 C
Bhubaneswar
Saturday, January 25, 2025
Homeଅପରାଧଦୁଇ ମିଛୁଆ ମୁକ-ବଧିର ଗିରଫ

ଦୁଇ ମିଛୁଆ ମୁକ-ବଧିର ଗିରଫ

ଭୁବନେଶ୍ୱର: ନିଜକୁ ମୁକ-ବଧିର ପରିଚୟ ଦେଇ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳ ଲୋକଙ୍କ ଘରେ ପଶି ଚୋରି କରୁଥିବା ତାମିଲ ଗ୍ୟାଙ୍ଗ୍‌ର ଦୁଇଜଣ ଲୁଟେରାଙ୍କୁ ଭୁବନେଶ୍ୱର ସ୍ପେଶାଲସ୍କ୍ୱାଡ୍ ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ କିଷ୍ଣା ଓଥେରୁଗାନ (୩୩) ଓ କିଷ୍ଣ୍ରା ଗଣେଷ (୨୬) । ଗିରଫ ଦୁଇ ଚୋରଙ୍କ ଘର ତାମିଲନାଡ଼ୁ ରାଜ୍ୟର ଅମ୍ବୁର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏମାନଙ୍କ ଠାରୁ ୨୭ଟି ମୋବାଇଲ ଫୋନ, ଗୋଟାଏ ଲାପଟପ ଏବଂ ଏକ ଦାମୀ କ୍ୟାମେରା ଜବତ ହୋଇଛି । ଏଥିସହ ଦୁଇ ଅଭିଯୁକ୍ତଙ୍କ ପାଖରୁ ଦୁଇଟି ଜାଲି ମୁକ-ବଧିର ସାର୍ଟିଫିକେଟ ମିଳିଛି ।

ଗିରଫ ଅଭିଯୁକ୍ତଦ୍ୱୟ ନିଜ ପାଖରେ ସବୁ ସମୟରେ ଜାଲ ମୁକ-ବଧିର ସାର୍ଟିଫିକେଟ ରଖିଥାନ୍ତି । ଚୋରି କରିବା ସମୟରେ ଧରାପଡ଼ିଲେ ଉକ୍ତ ସାର୍ଟିଫିକେଟକୁ ଲୋକଙ୍କୁ ଦେଖାଇବା ସହ ମିଛରେ ନିଜକୁ ମୁକ-ବଧିର ବୋଲି ପରିଚୟ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରନ୍ତି । ବେଳେବେଳେ ଜରି ଗୋଟାଇବା ଆଚରଣ ମଧ୍ୟ ବି କରିଥାନ୍ତି । ଏହି ଗ୍ୟାଙ୍ଗର କେତେକ ସଦସ୍ୟ ଟ୍ରାଫିକ୍ ଛକ ନିକଟରେ ଠିଆ ହୋଇ ମାଗିବା ଓ ବିଭିନ୍ନ ଜିନିଷ ବିକିବା ବାହାନ କରି କାର୍ ପ୍ରଭୃତିର ଡୋର କାଚ ଖୋଲାଥିଲେ ଲୁଟପାଟ୍ ମଧ୍ୟ କରନ୍ତି । ଏମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ପୁଲିସ କହିଛି । ଓଡିଶାରେ ଲୁଟ୍ କରୁଥିବା ମୋବାଇଲ୍‌, ଲାପଟପ୍ ପ୍ରଭୃତିକୁ ନେଇ ତାମିଲନାଡୁରେ ବିକ୍ରି କରନ୍ତି । ସେଥିପାଇଁ ଜଣେ ଏଜେଣ୍ଟ ମଧ୍ୟ ରହିଛି । ଯିଏ ସାରା ଭାରତରେ ଥିବା ଏମାନଙ୍କ ଗ୍ୟାଙ୍ଗ ନିକଟରୁ ଚୋରି ସାମଗ୍ରୀ ସଂଗ୍ରହ କରି ତାମିଳନାଡୁରେ ବିକ୍ରି କରିବାକୁ ନିଅନ୍ତି ।

ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ କେହି ଜଣେ ପଶି ଦାମୀ କ୍ୟାମେରା, ଲାପଟପ ଓ ୭ଟି ମୋବାଇଲ ଫୋନ ଚୋରି କରି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୋଗକାରୀ ଏନେଇ ଡିସିପିଙ୍କ ନିକଟକୁ ମଧ୍ୟ ଅଭିଯୋଗ ଧରି ଆସିଥିଲେ ।

ପରେ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କାର୍ଡ ଅଧିକାରୀ ସଞ୍ଜିବ ଶତପଥୀଙ୍କ ନେତୃତ୍ୱରେ ଏହି ତାମିଲ ଚୋରଙ୍କୁ ଧରିବାକୁ ଏକ ଟିମ୍ ଗଠନ ହୋଇଥିଲା । ଅଭିଯୁକ୍ତଦ୍ୱୟ ରାଜଧାନୀର ବିଭିନ୍ନ ସ୍ଥାନରେ ରହୁଥିବା ବେଳେ ଭୋର୍ ସମୟରେ ନିଜର ଅପରାଧ ଆରମ୍ଭ କରି ଦେଇଥାନ୍ତି । ଖାସ କରି ସକାଳ ସମୟରେ ଘରର କବାଟ ଖୋଲା ରଖିଥିବା ବ୍ୟକ୍ତିଙ୍କ ଘରେ ପଶି ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ପତ୍ର ଚୋରି କରି ନେଇଥାନ୍ତି । ପୂର୍ବରୁ ମଧ୍ୟ ଏମାନେ ଥରେ ଦୁଇଥର ଲୋକଙ୍କ ହାତରେ ଧରାପଡ଼ିଛନ୍ତି, ସେହି ସମୟରେ ନିଜକୁ ମୁକ-ବଧିର କହି ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking