ଅନୁଗୁଳ: ସାଇବର ଠକେଇ ଜିଲ୍ଲାର ସବୁ ସୀମାକୁ ପାର କରିଯାଇଛି । ନିୟମିତ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ଲୋକ କଷ୍ଟ ଅର୍ଜିତ ଟଙ୍କା ହରାଉଛନ୍ତି । ପୁଲିସ୍ ପାଇଁ ଏହି ଅଦୃଶ୍ୟ ଅପରାଧୀ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ଅନୁଗୁଳ ସହରର ଜଣେ ଯୁବକ ଠକାମିର ଶିକାର ହେଇ ହରାଇଛନ୍ତି ଲକ୍ଷେ ୬୨ ହଜାର ଟଙ୍କା ।
ରିୟଲ୍ମି ମୋବାଇଲ୍ ଟେଲି କମୁନିକେସନ୍ର କର୍ମଚାରୀ କହି ଯୁବକଙ୍କୁ ଚୂନ ଲଗାଇଛନ୍ତି । ତାଙ୍କ ଠାରୁ ୧ ଲକ୍ଷ ୬୨ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଏନେଇ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସ୍ ସୂଚନା ମୁତାବକ, ଠକେଇର ଶିକାର ହୋଇଥିବା ଯୁବକ ହେଲେ ଡି. ସାମଲ(୨୪) । ଶ୍ରୀ ସାମଲ ଅନୁଗୁଳ ସହରରେ ରିୟଲ୍ମି ମୋବାଇଲ୍ର ଏକ ସର୍ଭିସ୍ ସେଣ୍ଟର ଖୋଲିବାକୁ ଚାହିଁଥିଲେ ।
ସେ ଏନେଇ ହରିଆଣାରେ ଥିବା ରିୟଲ୍ମି କମ୍ପାନି ସହ ଯୋଗାଯୋଗ ମଧ୍ୟ କରିଥିଲେ । ପରେ କିଛି ବ୍ୟକ୍ତି ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ନିଜକୁ ରିୟଲ୍ମିର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ସର୍ଭିସ୍ ସେଣ୍ଟର୍ ଖୋଲିବାକୁ ହେଲେ ପ୍ରଥମେ ୨ ଲକ୍ଷ ଟଙ୍କା ପୈଠ କରିବାକୁ ପଡ଼ିବ । ଏହି ଟଙ୍କା ପୈଠ ପରେ କମ୍ପାନୀ ତାଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରିବ ବୋଲି ଠକ କହିଥିଲେ । ସର୍ଭିସ ସେଣ୍ଟର ଖୋଲିବାକୁ ବ୍ୟାକୁଳିତ ଶ୍ରୀ ସାମଲ ଠକଙ୍କ କଥାକୁ ବିଶ୍ୱାସ କରିଥିଲେ ।
ସେମାନେ ଦେଇଥିବା ଆକାଉଣ୍ଟ ନମ୍ବରରେ ତିନୋଟି ପର୍ଯ୍ୟାୟରେ ୧ ଲକ୍ଷ ୬୨ ହଜାର ଟଙ୍କା ଜମା କରିଥିଲେ । ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାରୁ ସେମାନେ ଧରାଛୁଆଁ ଦେଇନଥିବାରୁ ଶ୍ରୀ ସାମଲ ଠକାମିର ପଡ଼ିଥିବା ଜାଣିବାକୁ ପାଇଥିଲେ । ତେଣୁ ସେ ନିରୁପାୟ ହୋଇ ଅନୁଗୁଳ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।