ନୂଆଦିଲ୍ଲୀ: ୧୯୯୩ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସୟଦ୍ ଅବଦ୍ଦୁଲ୍ କରିମ୍ ଟୁଣ୍ଡାକୁ ଆଜି ଟାଡା କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଟୁଣ୍ଡା ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ କିମ୍ବା ସାକ୍ଷ୍ୟ ନଥିବା ଆଧାରରେ କୋର୍ଟ ତାକୁ ଏହି ମାମଲାରୁ ଆଜି ମୁକ୍ତ କରିଦେଇଛନ୍ତି । ପ୍ରକାଶ, ୬ ଡିସେମ୍ବର ୧୯୯୩ରେ ବାବ୍ରୀ ମସଜିଦ୍ ଭଙ୍ଗାଯିବାର ପ୍ରଥମ ବାର୍ଷିକୀ ପାଳନ ଅବସରରେ ଦେଶର କୋଟା, ସୁରଟ୍, କାନପୁର, ସିକନ୍ଦରାବାଦ୍, ମୁମ୍ବାଇ ଏବଂ ଲକ୍ଷ୍ନୌ ଆଦି ସହରରେ ଚଳାଚଳ କରୁଥିବା ଟ୍ରେନ୍ଗୁଡିକରେ ସିରିଜ୍ ବୋମା ବିସ୍ଫୋରଣ କରାଯାଇଥିଲା ।
ସେତେବେଳେ ଏହି ମାମଲାରେ ଟୁଣ୍ଡା ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିଲା । ଟୁଣ୍ଡାର ସମ୍ପର୍କ ଲସ୍କର ଏ ତୋଇବା ଆତଙ୍କବାଦୀ ସଂଗଠନ ସହ ଏବଂ ଦାଉଦ୍ ଇବ୍ରାହିମ୍ ସହ ମଧ୍ୟ ରହିଥିବା କୁହାଯାଉଛି । ଟୁଣ୍ଡା ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଶପକତ୍ ସୁଲତାନି କହିଛନ୍ତି, କୋର୍ଟ ନିଜ ରାୟରେ ଦର୍ଶାଇଛନ୍ତି ଯେ, ଟୁଣ୍ଡାଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ଦାଖଲ କରିବାରେ ତଦନ୍ତକାରୀ ଏଜେନ୍ସି ବିଫଳ ହୋଇଛନ୍ତି । ସୁତରାଂ ଟୁଣ୍ଡାଙ୍କୁ ସମସ୍ତ ଧାରା ଏବଂ ସମସ୍ତ ଅଧିନିୟମରେ ଦୋଷମୁକ୍ତ କରାଯାଉଛି । ତେବେ ଏହି ମାମଲାରେ ଇରଫାନ୍ ଏବଂ ହମିଦୁଦ୍ଦିନ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଗାମୀ ଶୁଣାଣିରେ ଏମାନଙ୍କୁ ଦଣ୍ଡାଦେଶ ଆସିବ ।