31.1 C
Bhubaneswar
Friday, March 29, 2024
Homeଅପରାଧନିର୍ଯାତନା ସହିନପାରି ସ୍ତ୍ରୀର ଆତ୍ମହତ୍ୟା : ସ୍ୱାମୀକୁ ୧୦ବର୍ଷ ଜେଲ୍‌

ନିର୍ଯାତନା ସହିନପାରି ସ୍ତ୍ରୀର ଆତ୍ମହତ୍ୟା : ସ୍ୱାମୀକୁ ୧୦ବର୍ଷ ଜେଲ୍‌

ଅନୁଗୁଳ : ସ୍ୱାମୀର ଶାରୀରିକ ନିର୍ଯାତନା, କଟୁ ଭାଷା ଓ ଚରିତ୍ର ପ୍ରତି ଆକ୍ଷେପ ସହିନପାରି ସ୍ତ୍ରୀ ଆତ୍ମହତ୍ୟା କରିଥିବାରୁ ସ୍ୱାମୀକୁ ବୁଧବାର ଦିନ ମାନ୍ୟବର ଜିଲ୍ଲା ଓ ଦୌରାଜଜ୍ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ୧୯୯୧ ମସିହାରେ ସାରତି ପଟ୍ଟନାୟକ ଅନୁଗୁଳ ଥାନା ଅନ୍ତର୍ଗତ ଜାମୁନାଳୀ ଗ୍ରାମର ବିରଞ୍ଚି ପଟ୍ଟନାୟକଙ୍କୁ ବିବାହ କରିଥିଲେ । ସେମାନଙ୍କର ୪ଟି ପିଲାଛୁଆ ଅଛନ୍ତି । ବିରଞ୍ଚି କୋଇଲା ବେପାର କରି ସେଥିରୁ ରୋଜଗାର କରୁଥିବା ଅର୍ଥରେ ପରିବାର ଚଳାଇବା ସମ୍ଭବ ହୋଇପାରୁନଥିଲା । ଫଳରେ ସବୁବେଳେ ଆର୍ଥିକ ସମସ୍ୟା ଲାଗିରହୁଥିଲା । ଯାହା ଫଳରେ କି ଘରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରତିଦିନ ଝଗଡା ଲାଗିରହୁଥିଲା । ଧୀରେ ଧୀରେ ଝଗଡା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ବିରଞ୍ଚି ନିଜ ସ୍ତ୍ରୀ ସାରତିର ଚରିତ୍ରକୁ ସନ୍ଦେହ କରିବାକୁ ଲାଗିଲା । ବାରମ୍ବାର ଝଗଡା ହେବାଦ୍ୱାରା ବେଳେବେଳେ ସାରତି ନିଜ ଭାଇ ଘରକୁ ପଳାଇଯାଉଥିଲା । ପରବର୍ତ୍ତୀ ସମୟରେ ମିଳାମିଶା ହୋଇ ସେ ଘରକୁ ଫେରିଆସୁଥିଲା । କିନ୍ତୁ ଗତ ୨୦୧୬ ମାର୍ଚ୍ଚ ୩୧ରେ ଏତେ ଯୋର ଝଗଡ଼ା ହୋଇଥିଲା ଯେ ସାରତି ଘର ଅଗଣାରେ ଥିବା କୂଅରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲା । ପର ଦିନ ସକାଳେ ସାରତି ଆତ୍ମହତ୍ୟା କରିଥିବା ଦେଖି ସ୍ୱାମୀ ବିରଞ୍ଚି ଓ ପରିବାର ଲୋକେ ତରବରିଆ ଭାବେ ସାରତିର ଶବ ସତ୍କାର ପାଇଁ ଜାମୁନାଳୀ ଗାଁ ନିକଟ ଶ୍ମ୍ମଶାନକୁ ନେଇଥିଲେ । ଏହି ଖବର ପାଇବାକ୍ଷଣି ସାରତିର ଭାଇ ଶ୍ରୀକାନ୍ତ ମହାନ୍ତିି ଓ ବାପଘର ଲୋକ ଶ୍ମଶାନରେ ଶବ ସତ୍କାରକୁ ଅଟକାଇଥିଲେ । ସାରତିଙ୍କ ବେକ, ହାତ ଓ ଗୋଡରେ କଳାଦାଗ ରହିଥିବା ଦେଖି ସେମାନେ ଶବ ବ୍ୟବଚ୍ଛେଦ ପାଇଁ ଜିଦ୍ ଧରିଥିଲେ । କିନ୍ତୁ ସାରତିଙ୍କ ଶାଶୂଘର ପକ୍ଷରୁ ଶବକୁ ଜୋରଜବରଦସ୍ତ ପୋଡି ଦିଆଯାଇଥିଲା । ସାରତିଙ୍କ ଭାଇ ଶ୍ରୀକାନ୍ତ ଏ ସମ୍ପର୍କରେ ଅନୁଗୁଳ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ବିରଞ୍ଚି ପଟ୍ଟନାୟକଙ୍କୁ ଗିରଫ ଓ କୋର୍ଟ ଚାଲାଣ କରିଥିଲେ । ପୁଲିସ ତଦନ୍ତରୁ ସାରତିଙ୍କୁ ସ୍ୱାମୀ ବିରଞ୍ଚି ପ୍ରବଳ ମାଡ଼ ମାରିଥିବା ଓ ଚରିତ୍ର ପ୍ରତି ଆକ୍ଷେପ କରି ପରୋକ୍ଷରେ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଜଣାପଡ଼ିଥିଲା । ଆଜି ମାନ୍ୟବର ଜିଲ୍ଲା ଓ ଦୌରାଜଜ୍ ଅଶାନ୍ତ କୁମାର ଦାଶ ଏହି ମାମଲାର ଶୁଣାଣି କରି ସ୍ୱାମୀ ବିରଞ୍ଚି ପଟ୍ଟନାୟକଙ୍କୁ ୧୫ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ପି.ପି ପ୍ରଦୀପ କୁମାର ଦାସ ଏହି ମାମଲା ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking