ନୂଆଦିଲ୍ଲୀ : ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ତରଫରୁ ନୂଆ ନର୍ଦ୍ଦେଶାବଳୀ ଜାରୀ କରାଯାଇଛି । ଏହି ନର୍ଦ୍ଦେଶାବଳୀ ଅନୁସାରେ ମାଗଣାରେ ଦିଆଯାଉଥିବା ଉପହାର ଉପରେ ୧୦% ଟିକସ ଜୁଲାଇ ପହିଲାରୁ ଲାଗୁ ହେବ । ସୂଚନାଯୋଗ୍ୟ, କିଛି କମ୍ପାନୀ ନିଜ ପ୍ରଡକ୍ଟର ପ୍ରମୋଶନ ପାଇଁ ପ୍ରଭାବ ବିସ୍ତାର କରୁଥିବା ଲୋକ ଓ ଡାକ୍ତରମାନଙ୍କୁ ଅର୍ଥ ଦେବା ପରିବର୍ତ୍ତେ ଦାମିକା ଜିନିଷ ଉପହାର ଆକାରରେ ଦେଉଛନ୍ତି । ତେଣୁ ସରକାର ଉପହାର ଉପରେ ଟିକସ ଆଦାୟ କରିବାକୁ ସ୍ଥିର କରିଛନ୍ତି ।
ଯଦି ଉପହାର ଭବିଷ୍ୟତରେ ଫେରସ୍ତ ହୁଏ ତେବେ ଏହା ଉପରେ ଟିକସ ଲାଗିବ ନାହିଁ ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି । ଟିକସଯୋଗ୍ୟ ଉପହାର ମଧ୍ୟରେ କାର, ଟେଲିଭିଜନ, ସୁନା କଏନ୍, କମ୍ପ୍ୟୁଟର, ମୋବାଇଲ ଫୋନ, ବିଦେଶ ଯାତ୍ରା ପାଇଁ ବିମାନ ଟିକେଟ୍ ରହିଛି । ଏପରିକି ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀମାନେ ଔଷଧ ଉପହାର ଆକାରରେ ଗ୍ରହଣ କଲେ ସମ୍ପୃକ୍ତ ଡାକ୍ତରଖାନା ଖର୍ଚ୍ଚ ଉପରେ ଟିକସ ଲାଗିବ ।