ନୂଆଦିଲ୍ଲୀ: ଭାରତରେ ସାଧରଣ ଜନତାଙ୍କ ବେତନକୁ ନେଇ ଏକ ଚମକାଇ ଦେବା ଭଳି ରିପୋର୍ଟ ସାମ୍ନାକୁ ଆସିଛି । ଦେଶରେ ମାତ୍ର ୧୦ ପ୍ରତିଶତ ଲୋକଙ୍କ ଦରମା ୨୫ ହଜାରରୁ ଅଧିକ ରହିଛି । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଭାରତରେ ଜୀବନଧରଣର ମାନରେ ଉନ୍ନତି ଘଟିଥିଲେ ହେଁ ଏହା ବର୍ତ୍ତମାନ ସୁଦ୍ଧା ମଧ୍ୟ ସାଧାରଣରୁ ବହୁତ ନିମ୍ନରେ ଥିବା ପ୍ରମାଣିତ ହୋଇଛି । ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ଏବଂ ଜଳ ଯୋଗାଣରେ ଭାରତୀୟଙ୍କ ର୍ୟାଙ୍କିଙ୍ଗ ବଢିଥିବା ବେଳେ ଦରମା ତଥା ଆୟରେ ଭାରତୀୟ ମାନେ ଏବେ ମଧ୍ୟ ବେଶ ପଛରେ ରହିଛନ୍ତି ।
ଶୀର୍ଷରେ ରହିଥିବା ୧ ପ୍ରତିଶତ ଲୋକ ଜାତୀୟ ଆୟର ୫-୭% ଅବଦାନ ଦେଉଥିବା ବେଳେ ଚାକିରି କରୁଥିବା ଲୋକଙ୍କ ମଧ୍ୟରୁ ୧୫ %ଙ୍କ ଦରମା ୫ ହଜାର (୬୪ ଡଲାର) ବା ଏହାଠୁ କମ୍ ରହିଛି । ତେବେ ୨୫ ହଜାର ବା ଏହା ଠାରୁ ଅଧିକ ବେତନ ହାସଲ କରୁଥିବା ଲୋକଙ୍କ ସଂଖ୍ୟା ସମୁଦାୟ ଆୟକାରୀ ବର୍ଗର ୧୦ ପ୍ରତିଶତ ଅଟେ । ତେବେ ଜାତୀୟ ଆୟର ୩୦-୩୫ ପ୍ରତିଶତ ଏହି ବର୍ଗର ଲୋକ ପ୍ରଦାନ କରିଥାନ୍ତି । ଏହା ସହିତ ଚିନ୍ତାଜନକ ଭାବରେ ଉପରେ ରହିଥିବା ୧ ପ୍ରତିଶତଙ୍କ ସମ୍ପତ୍ତି ବୃଦ୍ଧି ପାଉଥିବା ବେଳେ ତଳେ ରହିଥିବା ୧୦ ପ୍ରତିଶତ ଲୋକ ଆହୁରି ଗରିବ ହେବାରେ ଲାଗିଛନ୍ତି । ଏହା ସହିତ ସହର ଏବଂ ଗ୍ରାମାଞ୍ଚଳରେ ଆୟ ମଧ୍ୟରେ ତାରତମ୍ୟ ରହୁଥିବା ଜଣାପଡିଛି । ୨୦୧୫-୧୬ରେ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗ୍ରାମାଞ୍ଚଳରେ ୫୪.୯% ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି । ବିଶ୍ୱ ବ୍ୟାଙ୍କ ପକ୍ଷରୁ ମିଳିଥିବା ତଥ୍ୟରେ ମଧ୍ୟ ସମାନ କାରଣକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଭାରତ ୫ ଟ୍ରିଲିୟନ୍ ଅର୍ଥନୀତି ହେବାର ସ୍ୱପ୍ନ ଦେଖୁଥିବା ବେଳେ ଏପରି ପରସ୍ଥିତି ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିବ ବୋଲି କୁହାଯାଇଛି ।