ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ବିଭିନ୍ନ ପକ୍ଷରୁ ଉଦ୍ୟମ ଚାଲିଥିବା ବେଳେ ପାକିସ୍ତାନରେ ଇରାନ ଓ ଆମେରିକା ମଧ୍ୟରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇପାରେ । ତେବେ ଶାନ୍ତି ଆଲୋଚନା ବିଫଳ ହେବାରେ ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଗୋଟିଏ କାରଣ ଥିଲା । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବିରତି ଲାଗୁ ହୋଇଥିବା ବେଳେ ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦକୁ ଇରାନ ଶାନ୍ତି ଆଲୋଚନାରେ ଏକ ପ୍ରସଙ୍ଗ କରିଥିଲା । ଇତି ମଧ୍ୟରେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ୧୦ ଦିନିଆ ଯୁଦ୍ଧ ବିରତି ଲାଗୁ ହୋଇଥିଲା । ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଲେବାନନର ରାଷ୍ଟ୍ରପତି ଯୋଶେଫ ଆଉନଙ୍କ ସହିତ କଥା ହୋଇ ଯୁଦ୍ଧବିରତି ଘୋଷଣା କରିଥିଲେ । ତେବେ ଲେବାନନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି । ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ଲେବାନନ କହିଛି ଯେ, ମଧ୍ୟରାତ୍ରିରେ ଯୁଦ୍ଧବିରତି ଲାଗୁ ହେବା ପରଠୁ ଇସ୍ରାଏଲୀ ଅନେକ ଥର ଆକ୍ରମଣ କରିବାର ଏହା ପ୍ରମାଣ ରଖିଛି । ଇସ୍ରାଏଲ ଆକ୍ରମଣ ଯୋଗୁଁ ନାଗରିକଙ୍କ ଜୀବନ ପ୍ରତି ବିପଦ ରହିଛି । ଇସ୍ରାଏଲୀର ଆକ୍ରମଣ ବନ୍ଦ ନହେବା ଯାଏଁ ସେନା ଲୋକମାନଙ୍କୁ ଦକ୍ଷିଣ ଲେବାନନର ଗାଁଗୁଡିକୁ ନଫେରିବା ପାଇଁ ନିବେଦନ କରିଛନ୍ତି । ସେନା ଆହୁରି ମଧ୍ୟ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଏହାର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ରାତି ସମୟରେ ବିପଜ୍ଜନକ ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଗୁରୁବାର ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେବାନନ ରାଷ୍ଟ୍ରପତି ଆଉନ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହିତ ଆପୋଷ ଆଲୋଚନା ହୋଇଥିଲା ବୋଲି ବର୍ଣ୍ଣନା କରିବା ପରେ ଯୁଦ୍ଧ ବିରତି ଘୋଷଣା କରିଥିଲେ ।










