କୁଆଲାଲମ୍ପୁର: ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ରେ ଭାରତର ପୁରୁଷ ସିଙ୍ଗଲ୍ସ ଖେଳାଳି ଏଚ୍ଏସ୍ ପ୍ରଣୟ ଫାଇନାଲ୍ରେ ପ୍ରବେଶ କରିଛନ୍ତି । କିନ୍ତୁ ଦେଶର ତାରକା ମହିଳା ଖେଳାଳି ଡବଲ୍ ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ସେମିଫାଇନାଲ୍ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ବିଶ୍ୱର ୯ ନମ୍ବର ଖେଳାଳି ପ୍ରଣୟ ଶନିବାର ତାଙ୍କ ସେମିଫାଇନାଲ୍ ମୁକାବିଲାରେ ଇଣ୍ଡୋନେସିଆର କ୍ରିଷ୍ଟିଆନ୍ ଆଡିନାଟାଙ୍କୁ ଭେଟିଥିଲେ । ତେବେ ମ୍ୟାଚ୍ରେ ପ୍ରଣୟ ୧୯-୧୭ରେ ଆଗୁଆ ଥିବା ସମୟରେ ଆଡିନାଟା ଆହତ ହେବା କାରଣରୁ ଆଉ ଖେଳିପାରି ନ ଥିଲେ ।
ଏକ ସ୍ମାଶ୍ ଶଟ୍ ଖେଳୁଥିବା ସମୟରେ ଆଡିନାଟା ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ତାଙ୍କ ଗୋଇଠିରେ ଭୀଷଣ ଆଘାତ ଲାଗିବାରୁ ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ସଙ୍ଗେ ସଙ୍ଗେ ଇଣ୍ଡୋନେସିଆ ଦଳର କୋଚ୍ ଓ ପ୍ରଣୟ ତାଙ୍କୁ ସହଯୋଗ କରିଥିଲେ । ତେବେ ଶେଷରେ ଆଡିନାଟା ହ୍ୱିଲ୍ଚେୟାର୍ରେ କୋର୍ଟ ବାହାରକୁ ଯାଇଥିଲେ ଓ ପ୍ରଣୟ ଚଳିତ ସିଜନ୍ରେ ପ୍ରଥମ ଥର ପାଇଁ ଟାଇଟଲ୍ ମୁକାବିଲା ପାଇଁ ଯୋଗ୍ୟତା ପାଇଥିଲେ । ରବିବାର ସେ ଫାଇନାଲ୍ରେ ଚୀନ୍ର ୱେଙ୍ଗ୍ ହୋଙ୍ଗ୍ ୟାଙ୍ଗ୍ କିମ୍ବା ଚାଇନିଜ୍ ତାଇପେଇର ଲିନ୍ ଚୁନ୍-ୟି’ଙ୍କୁ ଭେଟିବେ । ଅନ୍ୟପକ୍ଷରେ ସିନ୍ଧୁ ମହିଳା ସିଙ୍ଗଲ୍ସ ସେମିଫାଇନାଲ୍ରେ ଇଣ୍ଡୋନେସିଆର ଗ୍ରେଗୋରିଆ ମାରିସ୍କା ଟୁନ୍ଜୁଙ୍ଗ୍ଙ୍କଠାରୁ ୧୪-୨୧, ୧୭-୨୧ରେ ପରାସ୍ତ ହୋଇଛନ୍ତି । ବିଶ୍ୱର ୯ ନମ୍ବର ଖେଳାଳି ଟୁନ୍ଜୁଙ୍ଗ୍ଙ୍କ ବିପକ୍ଷରେ ସିନ୍ଧୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ପରାଜୟ ବରଣ କରିଛନ୍ତି ।