19.1 C
Bhubaneswar
Monday, February 10, 2025
Homeଖେଳଏଫ୍‌ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍‌; ଭାରତର କ୍ରମାଗତ ପରାଜୟ

ଏଫ୍‌ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍‌; ଭାରତର କ୍ରମାଗତ ପରାଜୟ

ଲଣ୍ଡନ: ଚଳିତ ଏଫ୍‌ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍‌ରେ ଭାରତ ଶନିବାର ତା’ର ୟୁରୋପ ଚରଣରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି । ଦଳ ପ୍ରଥମ ମ୍ୟାଚ୍‌ରେ ଶୁକ୍ରବାର ବେଲଜିୟମ୍‌ଠାରୁ ଅନ୍ତିମ ମିନିଟ୍ ଗୋଲ୍ କାରଣରୁ ପରାଜୟ ବରଣ କରିଥିବା ବେଳେ ଶନିବାର ଆୟୋଜକ ଗ୍ରେଟ୍ ବ୍ରିଟେନ୍‌ଠାରୁ ୨-୪ରେ ପରାସ୍ତ ହୋଇଛି । ଏହି ମ୍ୟାଚ୍‌ରେ ଭାରତ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରଭାବ ବିସ୍ତାର ପୂର୍ବକ ଖେଳିଥିବା ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ଷଷ୍ଠ ମିନିଟ୍‌ରେ ତିମୋତି ନର୍ସ ପ୍ରଥମ ଗୋଲ୍ ଦେଇଥିଲେ ।

ଲଳିତ କୁମାର ଉପାଧ୍ୟାୟ ଓ ମନଦୀପ ମୋର୍‌ଙ୍କୁ ମାତ୍ ଦେଇ ନର୍ସ ଭାରତୀୟ ସର୍କଲ୍ ଭିତରେ ପ୍ରବେଶ କରିଥିଲେ । ପରେ ଭାରତୀୟ ଗୋଲ୍‌କିପର୍ କ୍ରିଶନ୍ ବାହାଦୁର ପାଠକଙ୍କୁ ଚକ୍‌ମା ଦେଇ ନର୍ସ ସିନିଅର୍ ଦଳ ପକ୍ଷରୁ ତାଙ୍କର ପ୍ରଥମ ଗୋଲ୍ ସ୍କୋର୍ କରିଥିଲେ । ତେବେ ତ୍ରୟୋଦଶ ମିନିଟ୍‌ରେ ଭାରତୀୟ ଦଳର ଅଧିନାୟକ ହରମନ୍‌ପ୍ରୀତ୍ ସିଂହ ପେନାଲ୍‌ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିଣତ କରିବା ସହ ସ୍ଥିତି ବରାବର କରିଥିଲେ । ପ୍ରଥମ କ୍ୱାର୍ଟର୍ ଶେଷ ସୁଦ୍ଧା ଏହି ସ୍ଥିତି ଜାରି ରହିବା ସହ ଦ୍ୱିତୀୟ କ୍ୱାର୍ଟର୍‌ରେ କୌଣସି ଗୋଲ୍ ହୋଇ ନ ଥିଲା । ତେବେ ଦ୍ୱିତୀୟାର୍ଦ୍ଧ ଖେଳର ପ୍ରାରମ୍ଭରେ ଅର୍ଥାତ୍ ମ୍ୟାଚ୍‌ର ୩୧ତମ ମିନିଟ୍‌ରେ ପୁଣିଥରେ ଗ୍ରେଟ୍ ବ୍ରିଟେନ୍ ଅଗ୍ରଣୀ ହାସଲ କରିଥିଲା ।

ଏଥରର ଗୋଲ୍‌ଟି ସୋର୍ସବି ଥୋମାସ୍ ଦେଇଥିଲେ । ଏହାର ମାତ୍ର ୨ ମିନିଟ୍ ପରେ ଲି ମର୍ଟନ୍ ଗୋଲ୍ ଦେଇ ଗ୍ରେଟ୍ ବ୍ରିଟେନ୍‌ର ଅଗ୍ରଣୀକୁ ୩-୧କୁ ବଢ଼ାଇଥିଲେ । ୪୨ତମ ମିନିଟ୍‌ରେ ହରମନ୍‌ପ୍ରୀତ୍ ମ୍ୟାଚ୍‌ରେ ତାଙ୍କର ଦ୍ୱିତୀୟ ଗୋଲ୍ ଦେବା ସହ ବ୍ୟବଧାନକୁ ହ୍ରାସ କରିଥିଲେ । ତାଙ୍କର ଏହି ଗୋଲ୍‌ଟି ମଧ୍ୟ ପେନାଲ୍‌ଟି କର୍ଣ୍ଣର୍‌ରୁ ଆସିଥିଲା । ଟୁର୍ଣ୍ଣାମେଣ୍ଟ୍‌ରେ ନିଜର ୩୫ତମ ଗୋଲ୍ ଦେଇ ହରମନ୍‌ପ୍ରୀତ୍ ସର୍ବକାଳୀନ ସର୍ବାଧିକ ଗୋଲ୍ ସ୍କୋରର୍ ହୋଇଥିଲେ । ତୃତୀୟ କ୍ୱାର୍ଟର୍ ଶେଷ ସୁଦ୍ଧା ସ୍ଥିତି ଗ୍ରେଟ୍ ବ୍ରିଟେନ୍ ସପକ୍ଷରେ ଥିବା ବେଳେ ଅନ୍ତିମ ୧୫ ମିନିଟ୍‌ର ଖେଳରେ ମ୍ୟାଚ୍‌ର ୫୩ତମ ମିନିଟ୍‌ରେ ବାନ୍ଦୁରାକ୍ ନିକୋଲାସ୍ ଘରୋଇ ଦଳ ପାଇଁ ଚତୁର୍ଥ ଗୋଲ୍ ସ୍କୋର୍ କରିଥିଲେ । ଏହାପରେ ଭାରତ ଆଉ ଲଢ଼େଇ କରିପାରି ନଥିଲା ଓ ମ୍ୟାଚ୍‌କୁ ଗ୍ରେଟ୍ ବ୍ରିଟେନ୍ ଜିତିନେଇଥିଲା । ଏହି ବିଜୟ ସହ ଗ୍ରେଟ୍ ବ୍ରିଟେନ୍ ୧୯ ପଏଣ୍ଟ୍ ସହ ଟେବଲ୍‌ରେ ଭାରତ ସହ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking