28.1 C
Bhubaneswar
Thursday, March 28, 2024
Homeଖେଳଆଇପିଏଲ୍ : ଆଜି ଚେନ୍ନାଇ-ଗୁଜରାଟ ଟାଇଟଲ୍ ଟକ୍କର୍‌

ଆଇପିଏଲ୍ : ଆଜି ଚେନ୍ନାଇ-ଗୁଜରାଟ ଟାଇଟଲ୍ ଟକ୍କର୍‌

ଅହମ୍ମଦାବାଦ: ଚଳିତ ଆଇପିଏଲ୍‌ରେ ୭୩ଟି ମ୍ୟାଚ୍ ଖେଳାଯାଇସାରିଥିବା ବେଳେ ଅନ୍ତିମ ମ୍ୟାଚ୍‌ଟି ରବିବାର ଏଠାକାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ । ଏହି ମ୍ୟାଚ୍‌ରେ ଟାଇଟଲ୍ ପାଇଁ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟାନ୍ସକୁ ଟକ୍କର ଦେବ ୪ ଥରର ଚାମ୍ପିଅନ୍ ଟିମ୍ ଚେନ୍ନାଇ ସୁପର୍ କିଙ୍ଗ୍‌ସ । ଏଥିସହ ଏଠାରେ କ୍ୱାଲିଫାୟର୍‌-୧ର ପୁନରାବୃତ୍ତି ହେବ । କାରଣ ଏହି ଦୁଇ ଦଳ ମଧ୍ୟରେ ଚଳିତ ସପ୍ତାହ ପ୍ରାରମ୍ଭରେ ଚେନ୍ନାଇଠାରେ ମୁକାବିଲା ହୋଇଥିଲା । ତେବେ ଉକ୍ତ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ଘରୋଇ ଦର୍ଶକଙ୍କ ସମର୍ଥନକୁ ଆଧାର କରି ବେଶ୍ ସହଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟକୁ ମାତ୍ ଦେଇ ସିଧାସଳଖ ଫାଇନାଲ୍‌ରେ ପହଞ୍ଚିଥିଲା ।

ଅନ୍ୟପକ୍ଷରେ ଗୁଜରାଟ କ୍ୱାଲିଫାୟର୍‌-୨ରେ ମୁମ୍ବାଇ ଇଣ୍ଡିଆନକୁ ବୃହତ୍ ୬୨ ରନ୍‌ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚିଛି । ତେଣୁ ଦୁଇଟି ଟାଣୁଆ ଦଳ ମଧ୍ୟରେ ଫାଇନାଲ୍ ଖେଳାଯିବାକୁ ଥିବା ବେଳେ କାହାକୁ ବି ଫେବରିଟ୍ ବିବେଚନା କରାଯିବା ମୁସ୍କିଲ୍ । ତେବେ ଧୋନିଙ୍କର ଏହା ସମ୍ଭବତଃ ଅନ୍ତିମ ଆଇପିଏଲ୍ ହୋଇଥିବାରୁ ବିଦାୟୀ ସଂସ୍କରଣରେ ସେ ଚେନ୍ନାଇକୁ ଟାଇଟଲ୍ ଦେବା ଲକ୍ଷ୍ୟରେ ରହିବେ । କିନ୍ତୁ ଗୁଜରାଟ ଓପନର ଶୁବମାନ ଗିଲ୍ ଚଳିତ ସଂସ୍କରଣରେ ୩ଟି ଶତକ ଓ ୪ଟି ଅର୍ଦ୍ଧଶତକ ମାଧ୍ୟମରେ ୮୫୧ ରନ୍ କରିସାରିଥିବାରୁ ସେ ନିଶ୍ଚିତ ଭାବେ ଚେନ୍ନାଇର ପଞ୍ଚମ ଟାଇଟଲ୍ ବାଟରେ ମୁଖ୍ୟ ବାଧକ ସାଜିବେ ।

୧୯ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଧୋନି ପାଦ ଥାପିବା ସମୟରେ ପାକିସ୍ତାନ ସୀମାବର୍ତ୍ତୀ ଫାଜିଲ୍‌କା ଗ୍ରାମରେ ୪ ବର୍ଷର ଗିଲ୍ ଜେଜେବାପାଙ୍କ ପ୍ରସ୍ତୁତ ସ୍ୱତନ୍ତ୍ର ବ୍ୟାଟ୍‌ରେ ବ୍ୟାଟିଂ ଅଭ୍ୟାସ କରୁଥିଲେ । ତେଣୁ ଅନ୍ତିମ ଥର ପାଇଁ ହଳଦିଆ ଜର୍ସି ପରିଧାନ କରିବାକୁ ଥିବା ଧୋନି ଯୁବ ବ୍ୟାଟ୍ସମ୍ୟାନ୍ ଗିଲ୍‌ଙ୍କ ଫର୍ମକୁ ଦୁର୍ବଳ କରିପାରିଲେ, ଚେନ୍ନାଇକୁ ଟାଇଟଲ୍ ଦେଇପାରିବେ । ଫାଇନାଲ୍ ମ୍ୟାଚ୍‌ରେ ଅଭିଜ୍ଞତାରେ ଭରପୂର ଧୋନିଙ୍କ ସହ ପ୍ରତିଭାରେ ପରିପୂର୍ଣ୍ଣ ଗିଲ୍‌ଙ୍କର ମୁଖ୍ୟତଃ ମୁକାବିଲା ହେବ । ଏହାଛଡ଼ା ଧୋନିଙ୍କ ପାଇଁ ଦଳର ପେସର୍ ଦୀପକ ଚହର୍ ଓ ମାଥିଶା ପାଥିରାନା ଏବଂ ସ୍ପିନର୍ ରବୀନ୍ଦ୍ର ଜାଡେଜା ଓ ମୋଇନ୍ ଅଲୀଙ୍କ ପ୍ରଦର୍ଶନ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ରଖିବ । ସେହିପରି ଦଳର ବ୍ୟାଟିଂ ଲାଇନ୍‌ରେ ଆଜିଙ୍କ୍ୟ ରାହାଣେ ସବୁଠାରୁ ଅଧିକ ପ୍ରଭାବଶାଳୀ ରହିଛନ୍ତି । ଧୋନିଙ୍କ ନେତୃତ୍ୱରେ ରାହାଣେ ସମ୍ପୂର୍ଣ୍ଣ ଭାବେ ଭିନ୍ନ ବ୍ୟାଟ୍ସମ୍ୟାନ୍ ପରିଲକ୍ଷିତ ହୋଇଥିବା ବେଳେ ଶିବମ୍ ଦୁବେ ମଧ୍ୟ ନିୟମିତ ଭାବେ ବଡ଼ ଇନିଂସ ଖେଳିପାରିଛନ୍ତି । ଏହାଛଡ଼ା ଶ୍ରୀଲଙ୍କାର ଯୁବ ପେସର୍ ପାଥିରାନା ଚମତ୍କାର ପ୍ରଦର୍ଶନ ପୂର୍ବକ ୧୫ଟି ମ୍ୟାଚ୍‌ରେ ୧୭ଟି ୱିକେଟ୍ ନେଇଛନ୍ତି ।

ତା’ଛଡ଼ା ଯୁବ ପେସର୍ ତୁଷାର ଦେଶପାଣ୍ଡେ ମଧ୍ୟ ୧୫ଟି ମ୍ୟାଚ୍‌ରେ ୨୧ଟି ୱିକେଟ୍ ନେଇ ଧୋନିଙ୍କ ଭରସାକୁ ସଠିକ୍ ସାବ୍ୟସ୍ତ କରିପାରିଛନ୍ତି । ଆହୁରି ଓପନର ଡେଭନ୍ କୋନ୍‌ୱେ ଓ ତାଙ୍କ ଯୋଡ଼ିଦାର ଋତୁରାଜ ଗାଏକ୍ୱାଡ୍ ଯଥାକ୍ରମେ ୬୨୫ ଓ ୫୬୪ ରନ୍ କରି ଅଧିକାଂଶ ମ୍ୟାଚ୍‌ରେ ଦଳକୁ ଭଲ ପ୍ରାରମ୍ଭ ଦେଇଛନ୍ତି । ଅନ୍ୟପକ୍ଷରେ ଅଧିନାୟକ ଭାବେ କ୍ରମଶଃ ପରିପକ୍ୱ ହେଉଥିବା ହାର୍ଦ୍ଦିକଙ୍କ ପାଇଁ ପେସର୍ ମହମ୍ମଦ ଶମି ଓ ସ୍ପିନର୍ ରଶିଦ୍ ଖାନ୍ ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହୋଇପାରନ୍ତି । ଏହି ଦୁଇ ବୋଲରଙ୍କ ମଧ୍ୟରେ ଚଳିତ ବର୍ଷର ପର୍ପଲ୍ କ୍ୟାପ୍ ପାଇଁ ଲଢ଼େଇ ଚାଲିଛି । ଗୋଟିଏ ପଟେ ଶମି ୨୮ଟି ୱିକେଟ୍ ନେଇ ଶୀର୍ଷରେ ଥିବା ବେଳେ ୨୭ଟି ୱିକେଟ୍ ସହ ରଶିଦ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହାଛଡ଼ା ଦଳର ସଫଳତାରେ ମୋହିତ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ଏହି ମଧ୍ୟମଗତି ବୋଲର୍ ଜଣକ ୨୪ଟି ୱିକେଟ୍ ନେଇ ବେଶ୍ ପ୍ରଭାବିତ କରିପାରିଛନ୍ତି । ତେବେ ବ୍ୟାଟିଂରେ ଗିଲ୍‌ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେତେଟା ସଫଳତା ପାଇପାରିନାହାନ୍ତି । ଗିଲ୍‌ଙ୍କ ପରେ ହାର୍ଦ୍ଦିକ ସର୍ବାଧିକ ରନ୍ କରିଛନ୍ତି । କିନ୍ତୁ ଚଳିତ ସିଜନ୍‌ରେ ତାଙ୍କର ରନ୍ ସଂଖ୍ୟା ଗିଲ୍‌ଙ୍କଠାରୁ ପାଖାପାଖି ୫୦୦ କମ୍ ରହିଛି । ତେଣୁ ଗିଲ୍‌ଙ୍କୁ ଶସ୍ତାରେ ଆଉଟ୍ କରିପାରିଲେ, ଚେନ୍ନାଇ ଯୁଗ୍ମ ଭାବେ ସର୍ବଶ୍ରେଷ୍ଠ ଦଳ ସାବ୍ୟସ୍ତ ହୋଇପାରିବ, ଏଥିରେ ଦ୍ୱିମତ ନାହିଁ । କିନ୍ତୁ ସିଜନ୍‌ର ଦୁଇଟି ଶ୍ରେଷ୍ଠ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଆଇପିଏଲ୍ ଇତିହାସର ଏହା ସବୁଠାରୁ ରୋମାଞ୍ଚକର ଟାଇଟଲ୍ ମୁକାବିଲା ହେବ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking