29.1 C
Bhubaneswar
Sunday, April 26, 2026
Homeଓଡିଶାମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଜୟଦେବ ଭବନରେ ପାଳିତ

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଜୟଦେବ ଭବନରେ ପାଳିତ

ଭୁବନେଶ୍ୱର: ଓଡ଼ିଆ ଜାତିର ଏକତା, ସ୍ୱାଭିମାନ ଓ ସମଗ୍ରିକ ଉନ୍ନତି ପାଇଁ ଅସାଧାରଣ ଅବଦାନ ରଖିଥିବା ମହାନ ଦୂରଦର୍ଶୀ ଶାସକ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଆଦର୍ଶ ଓ କୃତି ଆଜିବି ସମାଜ ପାଇଁ ପଥପ୍ରଦର୍ଶକ ଭାବେ ରହିଛି। ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପାରଳା ଗଜପତି ବିକାଶ ମଞ୍ଚର ଯୁଗ୍ମ ଆନୁକୂଲ୍ୟରେ ଜୟଦେବ ଭବନ, ଭୁବନେଶ୍ୱରରେ ଆୟୋଜିତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ, ବ୍ରହ୍ମପୁର ଡଃ ପ୍ରଦୀପ ପାଣିଗ୍ରାହୀ ମହାରାଜାଙ୍କ ଜୀବନଦର୍ଶନ ଓ ଓଡ଼ିଶା ଗଠନରେ ତାଙ୍କର ଅଦ୍ୱିତୀୟ ଭୂମିକା ବିଷୟରେ ଆଲୋକ ପାତ କରିଥିଲେ। ସେ କହିଥିଲେ ଯେ ମହାରାଜାଙ୍କ ଦୂରଦର୍ଶିତା ଓ ନେତୃତ୍ୱ ଓଡ଼ିଆ ଜାତିକୁ ଏକ ସୁଦୃଢ଼ ପରିଚୟ ଦେଇଥିଲା। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛତ୍ରପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜୟ ତ୍ରିପାଠୀ ମହାରାଜାଙ୍କ ଜୀବନୀ, କୃତି ଓ ଇତିହାସିକ ଅବଦାନକୁ ଉଲ୍ଲେଖ କରି କହିଥିଲେ ଯେ ତାଙ୍କର ଆଦର୍ଶ ଆଜିର ପିଢ଼ି ପାଇଁ ପ୍ରେରଣାଦାୟକ। ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପାରଳା ଗଜପତି ବିକାଶ ମଞ୍ଚର ସଭାପତି ଶ୍ରୀ ଦିଗ୍‌ବିଜୟ ନାଥ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ମହାରାଜାଙ୍କ ଜୀବନୀ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀ ୨୬ ଓ ୨୭ ଏପ୍ରିଲ ଦୁଇ ଦିନ ଧରି ଚାଲିବ ଏବଂ ଛାତ୍ରଛାତ୍ରୀ, ଗବେଷକ ଓ ଆଗ୍ରହୀ ସାଧାରଣ ଲୋକମାନେ ଏହାକୁ ଅନୁଭବ କରିପାରିବେ। ପ୍ରଦର୍ଶନୀରେ ମହାରାଜାଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କ ଅବଦାନ ଏବଂ ସମାଜ ଓ ଶିକ୍ଷାକ୍ଷେତ୍ରରେ ତାଙ୍କର କାର୍ଯ୍ୟକଳାପକୁ ଚିତ୍ରମାଧ୍ୟମରେ ସୁନ୍ଦର ଭାବେ ପ୍ରତିପାଦିତ କରାଯାଇଥିଲା, ଯାହା ଦର୍ଶକମାନଙ୍କୁ ତାଙ୍କ ଜୀବନ ଓ କୃତି ସମ୍ପର୍କରେ ଗଭୀର ଧାରଣା ପ୍ରଦାନ କରିଥିଲା। ସେହିପରି “ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ: ଜୀବନୀ ଏବଂ କୃତି” ଶୀର୍ଷକ ପୁସ୍ତକର ଉନ୍ମୋଚନ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ୱାରା କରାଯାଇଥିଲା। ଏହି ପୁସ୍ତକଟିକୁ ବିଶିଷ୍ଟ ଐତିହାସିକ, ଗବେଷକ ଓ ଶିକ୍ଷାବିତ୍ ପ୍ରଫେସର ଡଃ ରାମଚନ୍ଦ୍ର ମିଶ୍ର ରଚନା କରିଛନ୍ତି। ପରେ ପାରଳାଖେମୁଣ୍ଡିର ଭକ୍ତି ସଂଗୀତ ସଂସଦର କଳାକାରମାନଙ୍କ ଦ୍ୱାରା ମହାରାଜାଙ୍କ ଜୀବନୀକୁ ଆଧାର କରି ଓଡ଼ିଶୀ ନୃତ୍ୟ, ଭକ୍ତି ସଂଗୀତ ଓ ସୁଗମ ସଂଗୀତ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଓ କର୍ମଚାରୀମାନେ, ପାରଳା ଗଜପତି ବିକାଶ ମଞ୍ଚର ସମ୍ପାଦକ ଶ୍ରୀ ରାଜକିଶୋର ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ, ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକମାନେ ଯୋଗଦେଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking