ନୂଆଦିଲ୍ଲୀ : ଭୁଟାନ ରାଜା ଜିଗ୍ମେ ଖେସର ନାମଗ୍ୟେଲ ୱାଙ୍ଗ୍ଚୁକ୍ ଏକ ଦୁଇଦିନିଆ ଭାରତ ଗସ୍ତରେ ଆସି ସୋମବାର ଏଠାରେ ପହଞ୍ଚିଛନ୍ତି । ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଗସ୍ତ ଅବସରରେ ଭୁଟାନ ନରେଶ ୱାଙ୍ଗ୍ଚୁକ୍ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ୨୦୧୭ରେ ଭୁଟାନ ନିକଟବର୍ତ୍ତୀ ଡୋକ୍ଲାମରେ ଭାରତ ଓ ଚୀନ୍ ସେନା ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ଅବସ୍ଥାରେ ରହିଥିଲେ ।
ସେହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଭୁଟାନ ସହ ବନ୍ଧୁତା ଭାରତ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡିଛି । ଚୀନ୍ ସେତେବେଳେ ଭୁଟାନ ମାଟିରେ ଏକ ସଡକ ନିର୍ମାଣ କରିଥିବାବେଳେ ଭାରତ ଏହାର ଦୃଢ ପ୍ରତିବାଦ କରିଥିଲା । ତେବେ ୨୦୨୧ରେ ଚୀନ୍ ଓ ଭୁଟାନ ଏକ ରାଜିନାମା ସ୍ୱାକ୍ଷରିତ କରିଥିବାବେଳେ ଏହା ଭାରତ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି ।
କାଳେ ଭୁଟାନ ଚୀନ୍ ଆଡକୁ ଢଳିବ, ସେହି ଆଶଙ୍କା ବର୍ତ୍ତମାନ ଭାରତକୁ ଘାରିଛି । ତେଣୁ ଭୁଟାନ ସହ ସୁସମ୍ପର୍କ ସ୍ଥାପନ ଉପରେ ଭାରତ ଅଧିକ ଗୁରୁତ୍ୱ ଦେଉଥିବା ପ୍ରକାଶ ।