30.1 C
Bhubaneswar
Friday, May 3, 2024
Homeଆଇପିଏଲ୍ -2022ଆଇପିଏଲ୍‌-୧୫ : ରବାଡାଙ୍କୁ ୪ ୱିକେଟ୍‌, ପଞ୍ଜାବର ପଞ୍ଚମ ବିଜୟ

ଆଇପିଏଲ୍‌-୧୫ : ରବାଡାଙ୍କୁ ୪ ୱିକେଟ୍‌, ପଞ୍ଜାବର ପଞ୍ଚମ ବିଜୟ

ମୁମ୍ବାଇ : ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ୪୮ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୮ ୱିକେଟ୍‌ରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଗୁଜରାଟ ୮ ୱିକେଟ୍ ବିନିମୟରେ ୧୪୩ ରନ୍ କରିପାରିଥିଲା । ଏହାର ଜବାବରେ ପଞ୍ଜାବ ମାତ୍ର ୨ଟି ୱିକେଟ୍ ହରାଇ ୧୬ ଓଭର୍‌ରେ ୧୪୭ ରନ୍ କରି ସହଜ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପଞ୍ଜାବ ପେସର୍ କାଗିସୋ ରବାଡା ୪ଟି ୱିକେଟ୍ ନେଇ ଗୁଜରାଟ ବ୍ୟାଟିଂ ବିପର୍ଯ୍ୟୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ।

ଓପନର ଶୁବମାନ ଗିଲ୍ ଦଳୀୟ ସ୍କୋର୍ ୧୭ ଥିବା ବେଳେ ମାତ୍ର ୯ ରନ୍ କରି ଆଉଟ୍ ହେବା ଫଳରେ ଗୁଜରାଟ ତା’ର ପ୍ରଥମ ୱିକେଟ୍ ହରାଇଥିଲା । ଏହାପରେ ଦଳ କ୍ରମାଗତ ବ୍ୟବଧାନରେ ୱିକେଟ୍‌ମାନ ହରାଇ ଚାଲିବା ଫଳରେ କୌଣସି ବଡ଼ ଭାଗୀଦାରୀ ହୋଇପାରି ନ ଥିଲା । ଅନ୍ୟତମ ଓପନର ଋଦ୍ଧିମାନ୍ ସାହା ୩ଟି ଚୌକା ଓ ଗୋଟିଏ ଛକା ଜରିଆରେ ୨୧ ରନ୍ କରିଥିଲେ । ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ମାତ୍ର ୧ ରନ୍ କରିପାରିଥିଲେ । ତେବେ ସାଇ ସୁଦର୍ଶନ ଗୋଟିଏ ପଟେ ଦୃଢ଼ ଭାବେ ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ସେ ୫୦ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ଜରିଆରେ ୬୫ ରନ୍‌ର ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍ ମିଲର୍ ଓ ରାହୁଲ୍ ଟେୱଟିଆ ୧୧ ରନ୍ ଲେଖାଏଁ କରିଥିବା ବେଳେ ରଶିଦ୍ ଖାନ୍ ଖାତା ବି ଖୋଲିପାରି ନ ଥିଲେ । ସେହିପରି ପ୍ରଦୀପ ସାଙ୍ଗୱାନ୍ ୨, ଲକି ଫର୍ଗୁସନ୍ ୫ ଓ ଆଲଜାରି ଜୋସେଫ୍ ୪ ରନ୍ କରି ଅପରାଜିତ ଥିଲେ । ପଞ୍ଜାବ ବୋଲରମାନେ ୧୪ ରନ୍ ଅତିରିକ୍ତ ଭାବେ ବ୍ୟୟ କରିଥିଲେ । ରବାଡା ତାଙ୍କ ୪ ଓଭର୍‌ରେ ୩୩ ରନ୍ ବ୍ୟୟ କରି ୪ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂହ, ଋଷି ଧୱନ୍ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ପଞ୍ଜାବ ଓପନର ଜନ୍ନି ବେୟାର୍‌ଷ୍ଟୋଙ୍କୁ ଦଳୀୟ ସ୍କୋର୍ ୧୦ ଥିବା ବେଳେ ହରାଇଥିଲେ ହେଁ ଦ୍ୱିତୀୟ ୱିକେଟ୍‌ରେ ତାଙ୍କ ଯୋଡ଼ିଦାର ଶିଖର ଧୱନ୍ ଓ ଭାନୁକା ରାଜପକ୍ଷଙ୍କ ମଧ୍ୟରେ ୮୭ ରନ୍‌ର ଦମ୍‌ଦାର ଭାଗୀଦାରୀ ହୋଇଥିଲା । ବେୟାର୍‌ଷ୍ଟୋ ମାତ୍ର ୧ ରନ୍ କରିବାକୁ ସକ୍ଷମ ହୋଇଥିଲେ । ରାଜପକ୍ଷ ୨୮ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ସହ ୪୦ ରନ୍ କରି ଆଉଟ୍ ହେବା ଫଳରେ ଭାଗୀଦାରୀରେ ବ୍ରେକ୍ ଲାଗିଥିଲା । ଏହାପରେ ଧୱନ୍ ଓ ଲିଭିଙ୍ଗଷ୍ଟୋନ୍ ଆଉ କୌଣସି ୱିକେଟ୍ ପତନର ସୁଯୋଗ ନଦେଇ ୧୬ ଓଭର୍‌ରେ ଦଳୀୟ ସ୍କୋର୍‌କୁ ୧୪୭ରେ ପହଞ୍ଚାଇଥିଲେ । ଧୱନ୍ ୫୩ଟି ବଲ୍‌ର ସମ୍ମୁଖୀନ ହୋଇ ୮ଟି ଚୌକା ଓ ଗୋଟିଏ ଛକା ଜରିଆରେ ୬୨ ରନ୍ କରିଥିଲେ । ଏହାଛଡ଼ା ଲିଭିଙ୍ଗ୍‌ଷ୍ଟୋନ୍ ମାତ୍ର ୧୦ଟି ବଲ୍‌ରେ ଗୋଟିଏ ଚୌକା ଓ ୪ଟି ଛକା ଜରିଆରେ ୩୨ ରନ୍ କରିଥିଲେ ।

ସଂକ୍ଷିପ୍ତ ସ୍କୋର: ଗୁଜରାଟ ଟାଇଟାନ୍ସ-୧୪୩/୮, ୨୦ ଓଭର୍ (ସାଇ ସୁଦର୍ଶନ-୬୫, ଋଦ୍ଧିମାନ୍ ସାହା-୨୧, କାଗିସୋ ରବାଡା-୩୩/୪, ଲିଆମ୍ ଲିଭିଙ୍ଗଷ୍ଟୋନ୍‌-୧୫/୧); ପଞ୍ଜାବ କିଙ୍ଗ୍‌ସ-୧୪୭/୨, ୧୬ ଓଭର୍ (ଶିଖର ଧୱନ୍‌-୬୨, ଭାନୁକା ରାଜପକ୍ଷ-୪୦, ଲକି ଫର୍ଗୁସନ୍‌-୨୯/୧, ମହମ୍ମଦ ଶମି-୪୩/୧) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking