39.1 C
Bhubaneswar
Tuesday, April 23, 2024
Homeଓଡିଶାବ୍ରଜରାଜନଗର ଉପନିର୍ବାଚନ : ତାରିଖ ଘୋଷଣା ପରେ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା

ବ୍ରଜରାଜନଗର ଉପନିର୍ବାଚନ : ତାରିଖ ଘୋଷଣା ପରେ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଆସନ୍ତା ମେ’ ୩୧ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ବୁଧବାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ନିର୍ବାଚନ କମିଶନଙ୍କ ଦ୍ୱାରା ତାରିଖ ଘୋଷଣା ପରେ ଏବେ ବିଭିନ୍ନ ଦଳର ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ହେବାସହ ଆଶାୟୀଙ୍କ ପାଇଁ ଲବି ମଧ୍ୟ ଜୋରଦାର ହେବାରେ ଲାଗିଛି ।

ବିଜେଡି ପକ୍ଷରୁ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ପ୍ରାର୍ଥୀ ହେବାଲାଗି ସାଧାରଣରେ ଇଚ୍ଛା ପ୍ରକାଶ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ଭରସାକୁ ନେବେ ବୋଲି ସେ ଆଶା ରଖିଛନ୍ତି । ବିଜେପୁରରେ ରିତା ସାହୁ, ପାଟକୁରାରେ ସାବିତ୍ରୀ ଅଗ୍ରୱାଲ ଏବଂ ଆସ୍କାରେ ମଞ୍ଜୁଳା ସ୍ୱାଇଁଙ୍କୁ ସୁଯୋଗ ଦେବା ନ୍ୟାୟରେ ବ୍ରଜରାଜନଗରରେ ମଧ୍ୟ କିଶୋରଙ୍କ ବିୟୋଗ ପରେ ପତ୍ନୀ ଅଳକାଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଆଶା କରାଯାଉଛି । ତେବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ମଧ୍ୟ ଏଠାରୁ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । ମାତ୍ର, ବିଜେଡିର ପୁରୁଖା ନେତା ତଥା ବିଜୁ ପରିବାରର ଅନୁଗତ ରହିଆସିଥିବା କିଶୋରଙ୍କ ପରିବାରକୁ ଟିକେଟ୍ ମିଳିବାର ସମ୍ଭାବନା ଅଧିକା ରହିଛି । ତେବେ ବିଜେଡି ପ୍ରାର୍ଥୀ ଯିଏ ହୁଅନ୍ତୁ ନା କାହିଁକି ଦଳୀୟ ପ୍ରାର୍ଥୀ ଜିତିବା ପକ୍କା ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ସେହିଭଳି ବିଜେପି ମଧ୍ୟ ପ୍ରାର୍ଥୀ ଚୟନ ନେଇ କସରତ ଆରମ୍ଭ କରିଛି । ୨୦୧୪ରେ ଏଠାରୁ ବିଜେପି ଟିକେଟ୍‌ରେ ଜିତିଥିବା ରାଧାରାଣୀ ପଣ୍ଡା ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିଛନ୍ତି । ତେବେ ବିଜେପି କ୍ୟାମ୍ପ୍‌ରୁ ଅନ୍ୟ ଏକ ନାଁ ମଧ୍ୟ ଶୁଣିବାକୁ ମିଳିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବ ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ସିଂହ ମଧ୍ୟ ଟିକେଟ୍ ପାଇଁ ଲବି ଆରମ୍ଭ କରିଛନ୍ତି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ କହିବା ମୁତାବକ, ପ୍ରାର୍ଥୀ ଚୟନ ନେଇ ଦଳ ପକ୍ଷରୁ ଦୁଇ ରାଉଣ୍ଡ ବୈଠକ ଶେଷ ହୋଇଛି । ଦୁଇ ତିନୋଟି ନାମ ପାର୍ଟି ହାଇକମାଣ୍ଡଙ୍କ ପାଖକୁ ପଠାଯାଇଛି । କିଏ ପ୍ରାର୍ଥୀ ହେବେ ସେ କଥା ଦଳର ସଂସଦୀୟ ବୋର୍ଡ଼ ନିଷ୍ପତ୍ତି ନେବ ।

ଅନ୍ୟପଟେ କଂଗ୍ରେସ ମଧ୍ୟ ବରିଷ୍ଠ ନେତା କିଶୋର ପଟେଲଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ପ୍ରାର୍ଥୀ ଚୟନ ପାଇଁ କସରତ ଆରମ୍ଭ କରିଛି । ନିକଟରେ ସରିଥିବା ପୌର ନିର୍ବାଚନରେ ଦଳ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପାହାଡ଼ ଏନଏସିରେ ଅଧ୍ୟକ୍ଷ ପଦ ହାତେଇଛି । ତେଣୁ, ଉପନିର୍ବାଚନରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ଏପରିସ୍ଥଳେ ପୂର୍ବତନ ମନ୍ତ୍ରୀ କିଶୋର ପଟେଲ ନିଜେ ପ୍ରାର୍ଥୀ ହେବେ ନା ଦଳ ଆଉ କେଉଁ ନୂଆ ମୁହଁଙ୍କୁ ସୁଯୋଗ ଦେବ ତାହା ସ୍ଥିର ହୋଇପାରିନି । ପ୍ରକାଶ ଯେ ପୂର୍ବରୁ ବାମ ଦଳର ଗଡ଼ ରହିଆସିଥିବା ବ୍ରଜରାଜନଗରରେ କଂଗ୍ରେସ ପ୍ରାର୍ଥୀ ଅନୁପ ସାଏ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ରେ ସେ ବିଜେଡିରେ ଯୋଗଦେଇ ପ୍ରାର୍ଥୀ ହେବାପରେ ରାଧାରାଣୀ ପଣ୍ଡାଙ୍କ ଠାରୁ ହାରିଥିଲେ । ୨୦୧୯ରେ ପ୍ରଥମ କରି ବିଜେଡି ବ୍ରଜରାଜନଗରରୁ ଜିତିବାରେ ସକ୍ଷମ ହୋଇଥିଲା । ଏବେ ଦଳ ଉପନିର୍ବାଚନ ଜିତିବା ଲକ୍ଷ୍ୟରେ ମଧ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking