ବାରିପଦା : ଜଙ୍ଗଲକୁ ମଇଁଷି ଖୋଜିବାକୁ ଯାଇଥିଲା ବେଳେ ବନରକ୍ଷୀଙ୍କ ଗୁଳିରେ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକ ଜଣକ ହେଲେ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ବ୍ରାହ୍ମଣଗାଁ ପଞ୍ଚାୟତର ବୁରୁଡ଼ିହି ଗ୍ରାମର ଜଗନ୍ନାଥ ହେମ୍ବ୍ରମ(୨୫) । ଜଗନ୍ନାଥ ମୂଲଲାଗି ପେଟ ପୋଷନ୍ତି ।
ଗ୍ରାମର ପାଣ୍ଡୁ ମୁର୍ମୁଙ୍କ ହଜିଯାଇଥିବା ଏକ ମଇଁଷିକୁ ଖୋଜିବାକୁ ସ୍ଥାନୀୟ ୬ ଜଣ ଅଧିବାସୀଙ୍କ ସହ ସେ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଗତ ବୁଧୁବାର ଅପରାହ୍ଣରେ ତାଳବନ୍ଧ ରେଞ୍ଜର ବନକର୍ମଚାରୀମାନେ ହଠାତ୍ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରୁ ସମସ୍ତେ ଦୌଡି ପଳାଇଥିଲେ । ତେବେ ଜଗନ୍ନାଥ ନଫେରିବାରୁ ତାଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଗ୍ରାମବାସୀ ଖୋଜିବାକୁ ଯାଇଥିଲେ । ବହୁ ଖୋଜାଖାଜି ପରେ ସେମାନେ ମୃତଦେହ ପାଇଥିଲେ । ବନକର୍ମଚାରୀଙ୍କ ଗୁଳିରେ ଜଗନ୍ନାଥଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଏନେଇ ପରିବାର ପକ୍ଷରୁ ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାକୁ ଗୁରୁତ୍ୱର ସହ ନେଇ ସଦର ଏସ୍ଡିପିଓ ଜେମ୍ସ ଟପୋ, ବାଙ୍ଗିରିପୋଷୀ ଥାନା ଅଧିକାରୀ କମଳାକାନ୍ତ ଦାସ, ଏସ୍ଆଇ ଅଶୋକ ପହିଙ୍କ ସହ ପୁଲିସ ଟିମ୍ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଅନ୍ୟପକ୍ଷରେ ବୁଧବାର ତାଳବନ୍ଧ ରେଞ୍ଜ ଏବଂ ଚହଲା ରେଞ୍ଜର ବନ କର୍ମଚାରୀମାନେ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚଳାଇଥିଲେ ।
ଏହି ସମୟରେ ତାଳବନ୍ଧ ରେଞ୍ଜ ଅନ୍ତର୍ଗତ ଶିମିଳିପାଳ ଜଙ୍ଗଲରେ ଶିକାରୀମାନଙ୍କ ସହ ମୁହାଁମୁହିଁ ହୋଇଥିଲେ । ବନବିଭାଗ ବିରୋଧରେ ଆଜିର ଏହି ଅଭିଯୋଗ ପରେ ଘଟଣାଟି ଭିନ୍ନ ମୋଡ଼ ନେଇଛି । ତେବେ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ କହିଛି ।