ଯାଜପୁର : ଅନଲାଇନ୍ ଜୁଆ ଖେଳି ଜୀବନ ହାରିଛନ୍ତି ଯୁବ ଖଣି କର୍ମଚାରୀ। ମୃତକ ଜଣକ କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ କାଦୁଅବନ୍ଦୀ ଗାଁର ବ୍ରଜବନ୍ଧୁ ନାୟକଙ୍କ ଏକମାତ୍ର ପୁଅ ଶ୍ରୀନିବାସ ଓରଫ୍ ଲିଙ୍କନ(୨୨)। ଗତକାଲି ସେ ସ୍ବାଭାବିକ ଭାବେ ମଧ୍ୟାହ୍ନ ଭୋଜନକରି ନିଜ ଶୋଇବା ଘରେ ବିଶ୍ରାମ ନେଇଥିଲେ। ୫ଟା ପର୍ଯ୍ୟନ୍ତ ଭିତର ପଟୁ କବାଟ ବନ୍ଦ୍ ଥିବା ସହ ଡାକିଲେ ଜବାବ ନମିଳିବାରୁ ପରିବାର ପକ୍ଷରୁ କବାଟ ଭଙ୍ଗା ଯିବାରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖା ଯାଇଥିଲା। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରୁ ଅକ୍ସିଜେନ ସୁବିଧା ଥିବା ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ କଳିଙ୍ଗନଗର ଟାଟାଷ୍ଟିଲ ମେଡିକା ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଠାରୁ ସୂଚନା ପାଇ କାଳିଆପାଣି ପୁଲିସ ଆଜି ଶବ ଜବତକରି ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ୧୩/୨୪ ରୁଜୁକରି ଅଧିକ ତଦନ୍ତ କରୁଥିବା କହିଛି। ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ସନାତନ ବେହେରା ଓ ଯାଜପୁର ଜିଲ୍ଲା ପୁଲିସର ସାଇଣ୍ଟିଫିକ୍ ଅଫିସର ବିଜୟ କୁମାର ସଦଳବଳ କାଦୁଅବନ୍ଦୀ ଗାଁକୁ ଆସି ମୃତକ ଫାଶୀ ଲଗାଇଥିବା ଘରର ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ। ବ୍ୟବଛେଦ ପରେ ତାଙ୍କ ମରଶରୀର ପହଞ୍ଚିବା ପରେ ସାରା ଗାଁ ସ୍ତବ୍ଧ ହୋଇଯିବା ସହ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମାଆ ଓ ବାପା ସ୍ବେଛାକୃତ ଅବସର ନେଇଥିବା ଓଏମ୍ସି ଖଣି ଶ୍ରମିକ ବ୍ରଜବନ୍ଧୁ ଏକମାତ୍ର ପୁଅର ମୃତ୍ୟୁରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାଳିଆପାଣି ଇମ୍ଫା ଖଣିର ଏକ ଘରୋଇ କମ୍ପାନି ଠିକା କର୍ମଚାରୀ ଥିବା ଲିଙ୍କନ କିଛିମାସ ପୂର୍ବରୁ ମୋବାଇଲ୍ରେ ଦମନ ଖେଳିଆସୁଥିଲେ। ଏହି ନିଷିଦ୍ଧ ଆପ୍ରେ ସେ ଲକ୍ଷାଧିକ ଟଙ୍କା ହରାଇଥିବା କୁହାଯାଏ। ଏପରିକି ମାଆଙ୍କ ଜରିଆରେ ବିଭିନ୍ନ ଗ୍ରୁପ୍ରୁ ସେ ଋଣ ଉଠାଇଥିଲେ। ଏବେ ଚାଷବାସ ପାଇଁ ଅର୍ଥ ଆବଶ୍ୟକ ଥିବାରୁ ବାପା ତାଙ୍କୁ ସହାୟତା ବାବଦକୁ ଟଙ୍କା ମାଗିବେ ଆଶଂକାରେ ସେ ଚରମ ପଦକ୍ଷେପ ନେଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ତାଙ୍କ ବ୍ୟାଙ୍କ ପାସବୁକ୍ ଯାଞ୍ଚ୍ କଲେ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି। ପୂର୍ବରୁ ତାଙ୍କ ଯୌଥ ପରିବାରରେ ଅନ୍ୟ ୨ ଜଣ ଖଣି କର୍ମଚାରୀ ରାଜେନ୍ଦ୍ର ନାୟକ(୩୫) ଖଣିରେ ଆତ୍ମାହୁତି ଦେଇ ଓ ପଙ୍କଜ ନାୟକ ତାଙ୍କ ଗାଁ ଆମ୍ବତୋଟାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହାକୁ ଅଶୁଭ ଆଖ୍ୟା ଦିଆଯାଇ ଲିଙ୍କନଙ୍କୁ ବଞ୍ଚାଇ ରଖିବା ଯୋଜନାରେ ଶୋଇବା ଘରୁ ଉଦ୍ଧାର ପରେପରେ ସେ ଫାଶୀ ଲଗାଇଥିବା ଗାମୁଛାକୁ ପୋଡ଼ି ଦିଆଯାଇଥିଲା।










