ରେଙ୍ଗାଲିକ୍ୟାମ୍ପ : ଜମିରେ କାମ କରୁଥିବା ସମୟରେ ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଯୁବକ ଜଣକ କୁଳୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପ୍ରଧାନ ଟିକ୍ରା ଗ୍ରାମର ଗୋବିନ୍ଦ ବରିହାଙ୍କ ୨୮ ବର୍ଷୀୟ ପୁଅ ଯୋଗେନ୍ଦ୍ର ବରିହା ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ମୁତାବକ, ଯୋଗେନ୍ଦ୍ର ବାବେବିରା କେନାଲ ପାଖରେ ରହନ୍ତି। ଘରୁ ୨ କିମି ଦୂରରେ ଥିବା ଏକ ବିଲରେ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋବିନ୍ଦ ବରିହାଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଯୋଗେନ୍ଦ୍ରଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଘଟିବା ଫଳରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।










