ଝାରସୁଗୁଡ଼ା : ଝାରସୁଗୁଡ଼ା-ସରଡେଗା ରେଳପଥର ସର୍ଗିମାଲଠାରେ ଗତ କାଲିରେ ଟ୍ରେନରେ କଟି ଜଣେ ଯୁବକ ମୃତୁବରଣ କରିଛନ୍ତି। ମୃତ ଯୁବକ ଜଣକ ହେଲେ ରାଜପୁର ଦେଓଗାଁର କିରଣ ସେଠ । ମୃତ ଯୁବକ ଜଣକ ହୀରାକୁଦରେ ରହୁଥିବା ବେଳେ କିଛି ଦିନ ହେଲା ନିଜ ଗ୍ରାମ ଦେଓଗାଁକୁ ଆସିଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଗତ କାଲି ରାତି ପ୍ରାୟ ୯.୩୦ ବେଳେ ଯୁବକ ଜଣକ ଟ୍ରେନରେ କଟି ଥିବା ନେଇ କୋଇଲା ପରିବହନକାରୀ ଟ୍ରେନର ଲୋକୋ ପାୟଲଟ ରେଳ ଷ୍ଟେସନକୁ ସୂଚନା ଦେଇଥିଲେ।
ଏନେଇ ଖବର ପାଇବା ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଂଚିବା ପରେ ମୃତକଙ୍କ ପରିଚୟ ଜଣାପଡିଥିଲା। ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ଅପରପକ୍ଷରେ ଯୁବକ ଜଣକ ଗତ କାଲି ରାତିରେ ନିଜ ଗ୍ରାମକୁ ଯିବା ପାଇଁ ରେଳ ଲାଇନ ପାରି ହେଉଥିବା ବେଳେ ଅସାବଧାନତା ବଶତଃ ଟ୍ରେନରେ କଟି ଯାଇଥିବା ଜିଆରପି ଅନୁମାନ କରୁଛି। ତେବେ କେତେକ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି।