25.1 C
Bhubaneswar
Sunday, September 15, 2024
Homeଅପରାଧଚିନ୍ତା ବଢ଼ାଇଛି ସିରିଏଲ କିଲର୍‌; ୧୩ ମାସରେ ୯ ମହିଳାଙ୍କୁ ହତ୍ୟା: ୩ ସନ୍ଦିଗ୍ଧଙ୍କ ସ୍କେଚ୍...

ଚିନ୍ତା ବଢ଼ାଇଛି ସିରିଏଲ କିଲର୍‌; ୧୩ ମାସରେ ୯ ମହିଳାଙ୍କୁ ହତ୍ୟା: ୩ ସନ୍ଦିଗ୍ଧଙ୍କ ସ୍କେଚ୍ ଜାରି

ବରେଲୀ:  ଉତ୍ତରପ୍ରଦେଶର ବରେଲୀ ଅଞ୍ଚଳରେ ଜଣେ ସିରିଏଲ୍ କିଲରର ପାଶବିକ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିବା ବେଳେ ଏଥିରେ ସମ୍ପୂର୍ଣ୍ଣ ରାଜ୍ୟବାସୀ ଭୟଭୀତ ହୋଇପଡିଛନ୍ତି । ରିପୋର୍ଟ ଅନୁସାରେ ଗତ ୧୩ ମାସ ମଧ୍ୟରେ ୯ ଜଣ ମହିଳାଙ୍କୁ ହତ୍ୟା କରିଛି ଏହି ସିରିଏଲ କିଲର । ୩ଟି ହତ୍ୟାକାଣ୍ଡ ଗତ ୨୦୨୩ ଜୁନ୍ ମାସରେ ଘଟିଥିବା ବେଳେ ସେହିବର୍ଷ ଜୁଲାଇ, ଅଗଷ୍ଟ ଓ ଅକ୍ଟୋବରରେ ଜଣେ ଲେଖାଏ ଓ ନଭେମ୍ବରରେ ୨ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା । ଏବେ ଅର୍ଥାତ୍ ୨୦୨୪ ମେ’ ମାସରେ ସେ ସମାନ ଢ଼ଙ୍ଗରେ ଅନୀତା ନାମ୍ନୀ ଅନ୍ୟ ଜଣେ ୪୫ ବର୍ଷୀୟା ମହିଳାଙ୍କୁ ମଧ୍ୟ ହତ୍ୟା କରିଥିଲା । ପୁଲିସ୍ ରିପୋର୍ଟ ଅନୁସାରେ ଅନିତାଙ୍କ ଘର ଶେରଗଡ଼ ଅନ୍ତର୍ଗତ ଭୂଜିୟା ଜାଗିର ଗାଁରେ । ସେ ଗତ ଜୁନ୍ ମାସରେ ଫତେଗଞ୍ଜର ଖିରକା ଗାଁରେ ଥିବା ତାଙ୍କ ବାପାଙ୍କ ଘରକୁ ଯାଇଥିଲେ । କିନ୍ତୁ ୨ ତାରିଖରେ ସେ ଘରୁ ବାହାରି ଟଙ୍କା ଉଠାଇବା ପାଇଁ ପାଖରେ ଥିବା ଏକ ବ୍ୟାଙ୍କକୁ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରିନଥିଲେ । କିନ୍ତୁ ତାଙ୍କ ମୃତଦେହ ଗୋଟିଏ ଆଖୁ କିଆରୀରୁ ମିଳିଥିଲା ।
ପ୍ରଥମେ ପ୍ରଥମେ ଗୋଟିଏ ହତ୍ୟାକାଣ୍ଡ ସହ ଅନ୍ୟ ହତ୍ୟାକାଣ୍ଡର ଲିଙ୍କ୍ ପାଉନଥିବା ରାଜ୍ୟ ପୁଲିସ୍ କିନ୍ତୁ ଏବେ ଏସବୁ ହତ୍ୟାକାଣ୍ଡର ଜଣେ ହିଁ ହତ୍ୟାକାରୀ ବୋଲି ଜାଣିବାକୁ ପାଇଛି । ୟୁପି ପୁଲିସ୍ ଅନୁସାରେ ହତ୍ୟାକାଣ୍ଡର ଶିକାର ହୋଇଥିବା ୯ ମହିଳାଙ୍କ ପ୍ରାୟତଃ ସମାନ ଢଙ୍ଗରେ ହତ୍ୟା କରାଯାଇଛି । ଅର୍ଥାତ୍ ହତ୍ୟାକାରୀ ହତ୍ୟା କରିବା ପାଇଁ ଗୋଟିଏ ପାଟର୍ଣ୍ଣ ବ୍ୟବହାର କରିଛି । ହତ୍ୟାକାରୀ ଅର୍ଦ୍ଧବୟସ୍କ (୪୦ରୁ ୬୫ ବର୍ଷ) ମହିଳାମାନଙ୍କୁ ମୁଖ୍ୟତଃ ଟାର୍ଗେଟ୍ କରୁଥିଲା ଏବଂ ମହିଳାମାନେ ପିନ୍ଧିଥିବା ଶାଢ଼ୀରେ ହିଁ ସେମାନଙ୍କ ତଣ୍ଟିଚିପି ହତ୍ୟା କରୁଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଯୌନ ନିର୍ଯାତନାର କୌଣସି ସୂଚନା ମିଳିନଥିଲା । ଏତଦ୍‌ବ୍ୟତୀତ ସମସ୍ତ ମୃତ ମହିଳାଙ୍କ ଶବକୁ ହତ୍ୟାକାରୀ ଖୋଲା ପଡ଼ିଆ ନଚେତ ଆଖୁ କ୍ଷେତରେ ନେଇ ଫିଙ୍ଗିଦେଉଥିଲା । ଏହାର ସିଧାସଳଖ ଅର୍ଥ ହତ୍ୟାକାରୀ ରାଜ୍ୟ ପୁଲିସ୍‌କୁ ହତ୍ୟାକାଣ୍ଡ ସମ୍ପର୍କରେ ନିଜେ ହିଁ ସୂଚନା ଦେଉଥିଲା ଏବଂ ପରୋକ୍ଷରେ ତା’କୁ ଧରିବା ପାଇଁ ଚ୍ୟାଲେଞ୍ଜ୍ ଦେଉଥିଲା । ସିରିଏଲ କିଲରଜଣକ ଶାଢ଼ି କିଲର ଭାବେ ଜଣାପଡିବା ପରେ ପୂରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।
ଅନ୍ୟପକ୍ଷେ ଏହି ଘଟଣା ରାଜ୍ୟ ସରକାର ଏବଂ ପୁଲିସ୍ ବିଭାଗର ମୁଣ୍ଡବିନ୍ଧାର କାରଣ ସାଜିଛି ।  ୟୁପି ପୁଲିସ୍ ଏହି ସିରିଏଲ କିଲରକୁ ଧରିବା ପାଇଁ ପ୍ରାୟ ୩୦୦ କର୍ମଚାରୀଙ୍କୁ ୧୪ଟି ଟିମ୍‌ରେ ବିଭକ୍ତ କରି ସ୍ଥାନୀୟ ଅଞ୍ଚଳରେ ମୁତୟନ କରିଛି । କିଛି ପୁଲିସ୍ କର୍ମଚାରୀ ସାଦା ପୋଷାକରେ ସ୍ଥାନୀୟ ଅଞ୍ଚଳରେ ପ୍ୟାଟ୍ରୋଲିଂ କରି ସ୍ଥିତି ଉପରେ ନଜର ରଖିଛନ୍ତି । ତେବେ ମେ’ ମାସ ପରଠାରୁ ୟୁପି ପୁଲିସ୍ ଅଧିକ ସତର୍କତାର ସହ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲେ ମଧ୍ୟ ଚାଲାକ୍ ଚତୁର ଏହି ସିରିଏଲ କିଲର କିନ୍ତୁ କୌଣସି ଅଘଟଣ ଘଟାଇନାହିଁ । ତେବେ ଇତି ମଧ୍ୟରେ ରାଜ୍ୟ ପୁଲିସ୍ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ କଥା ହେବା ପରେ ୩ ଜଣ ସନ୍ଦିଗ୍ଧଙ୍କ ସ୍କେଚ୍ ଜାରି କରିଛି । ପୁଲିସ୍ ପକ୍ଷରୁ ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ କିଛି ହେଲପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking