28.1 C
Bhubaneswar
Sunday, September 8, 2024
Homeଓଡିଶାବିଶ୍ୱ ଲଜ୍ଜ୍ୟା: ମାୟାଧର ନାୟକ

ବିଶ୍ୱ ଲଜ୍ଜ୍ୟା: ମାୟାଧର ନାୟକ

ସେନାବାହିନୀ ବିଶେଷକରି ଆମେରିକା, ଆଫଗାନିସ୍ଥାନ, ପାକିସ୍ତାନ, ରାଓଣ୍ଡା ଇତ୍ୟାଦି ଏକାଧିକ ଭୂଖଣ୍ଡରେ କାମାର୍ତ୍ତପୁରୁଷମାନଙ୍କ ଦ୍ୱାରା ନାରୀମାନଙ୍କ ଉପରେ ଜଘନ୍ୟ ଯନ୍ତ୍ରଣାଜନକ ଯୌନାଚାର, ଅକଥନୀୟ ଅନାଚାର କରିବାର କୁତ୍ସିତ କୁକର୍ମ ତ କାହିଁ କେବଠୁ କଳଙ୍କର କିମ୍ବଦନ୍ତୀରୁ ଅସଭ୍ୟତାର ଇତିହାସ ପାଲଟିସାରିଛି । କିନ୍ତୁ ମାନବିକ, ଆଧ୍ୟାତ୍ମିକ ଅବବୋଧର ନିତ୍ୟନାଗରା ଶୁଣାଇଆସୁଥିବା ଏ ଭାରତବର୍ଷରେ ହଜାରେ ପାଖାପାଖି ଅଣସ୍ୱିକୃତୀପ୍ରାପ୍ତ, ବନ୍ୟବିକୃତ ଗୁଣ୍ଡାବାହିନୀ, ବର୍ବରବାହିନୀଙ୍କ ଅବର୍ଣ୍ଣନନୀୟ ଅତ୍ୟାଚାର ୨୦୨୩ ମେ’ ୪ ତାରିଖରେ ମଣିପୁରରେ ବଢିଲାଝିଅକୁ ଘରୁଟାଣିଆଣି ବିଚ୍‍ରାସ୍ତାରେ ଲଙ୍ଗଳାକରି ରାସ୍ତାରେ ଗୋଡେଇଗୋଡେଇ ବଳାତ୍କାର କରିବା ଘଟଣା କେବଳ ୧୪୨କୋଟି ୪୬ଲକ୍ଷ ଭାରତୀୟଙ୍କୁ ବ୍ୟଥା,ବେଦନା,ଘୃଣା,କ୍ଷୋଭ,ଅସନ୍ତୋଷ ଦେଇନି – ସାରାବିଶ୍ୱର ଆଠଶହକୋଟି ନରନାରୀଙ୍କ ମୁହଁର ରଙ୍ଗକୁ ଳଜ୍ଜାରୁଣ କରି କୁହୁଳାନିଆଁର ପାଉଁଶଗଦାରେ ପୋତିଦେଇଛି ।

ସଂପ୍ରତି ସମଗ୍ର ବିଶ୍ୱରେ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ସଂଖ୍ୟାଧିକ । ପୁରୁଷମାନେ କୌଣସି ନା କୌଣସି ନାରୀ – ତଥା ନିଜ ନିଜର ମାତୃଜରାୟୁରୁ ଜନ୍ମଗ୍ରହଣ କରିଛନ୍ତି । ସେଇ ନାରୀ ଆମ ଜନନୀ-ଭଗିନୀ-ଜାୟା-ଜୀବନସଂଗିନୀଠାରୁ ଆରମ୍ଭକରି କନ୍ୟାରତ୍ନ ରୂପେ ନାନାକଳ୍ପରେ ଉଦ୍ଭାସିତା । ମା’କୁ ଆମେ ମେଦିନୀତୁଲ୍ୟା ମଣିଆସିଛୁ ଆମ ସଂସ୍କୃତିରେ । ମାତା ସେ ମହାସ୍ୱର୍ଗାଦପି ଗରିୟସୀ – ନାରୀ ସେ ନବ୍ୟାଭବ୍ୟା ନାରାୟଣୀ । ମା’ ଜାତିଙ୍କୁ ସତ୍ୟଯୁଗର ଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, କାଳୀ, ପାର୍ବତୀ ରୂପରେ ତ୍ରେତୟାରେ ସୀତା, ଦ୍ୱାପରରେ ରାଧା ରୂପରେ କଳନାକଳ୍ପନା କରି ଏ ଘୋରକଳିକାଳ ଯୁଗ ଯାବତ ମନ୍ଦିରରେ, ମୂର୍ତ୍ତିରେ, ଏପରିକି ଫ୍ରେମ୍‍ବନ୍ଧା ଫଟୋଗୁଡିକରେ ସୁଦ୍ଧା ଫୁଲଚନ୍ଦନ ଦେଇ ପ୍ରତିଦିନ ପୂଜା କରିଆସୁଛେ । ତିନିଯୁଗର ମା’ମାନଙ୍କୁ ଯେପରି ବର୍ବର ଅସୁରବର୍ଗ ବଳାତ୍କାର, ଯୌନାଚାର, ହରଣଚାଲ କରି ସାଂସାରିକ ସଂନ୍ତ୍ରାସର ସୃଷ୍ଟିକର୍ତ୍ତା ସାଜି ସର୍ବସମ୍ମୁଖରେ ବିଜେ କରିଥିଲେ ବସ୍ତ୍ରହରଣକରି ବିଭତ୍ସ ଭୂମିକାରେ, ସେ ସମସ୍ତେ ଶେଷରେ ଧ୍ୱଂସ ପାଇଯାଇଛନ୍ତି ବିଦ୍ରୋହୀ ମାନବକୁଳର ବଜ୍ରବାହୁରେ – ଆଜି ଏ ଯୁଗରେ ସେଇ ବର୍ବର ଆଧୁନିକ ଅସୁରମାନେ ମଣିପୁରରେ ଘଟାଇଚାଲିଲେ ଏହି ଅଚିନ୍ତନୀୟ ଅପକର୍ମ ତଥା ବିଶ୍ୱଲଜ୍ଜାଦାୟକ ପ୍ରକାଣ୍ଡ ପାପକର୍ମ । ଏ କାନ ଶୁଣିଲା – ଆଖି ଦେଖିଲା – ଶାସନ ମୂକ ହେଲା – ପ୍ରଶାସନ ଅନ୍ଧ ହେଲା – ଆଇନ୍‍ଶୃଙ୍ଖଳା ସୁରକ୍ଷକ ବିଚାରବିଭାଗ ବଧିର ହେଲା – ଧିକ୍‍ ଆମ ଆଖିକାନକୁ, ଶତସହସ୍ରବାର ଧିକ୍‍ ।

ଏବେ ଆଖିକାନ ଖୋଲି ଦେଖନ୍ତୁ, ଶୁଣନ୍ତୁ – ୩ ମାସ ହେବ ମଣିପୁରରେ ଚାଲିଛି ରକ୍ତଯୁଦ୍ଧ – ରକ୍ତତାଣ୍ଡବ । ରକ୍ତ ଆଉଁ ପାଉଁଶରେ ଜୁଡୁବୁଡୁ ମଣିପୁର । ଆକ୍ରମଣ – ପ୍ରତିଆକ୍ରମଣରେ ଥରହର ପାହାଡ, ପର୍ବତ, ସମତଳ ଅଞ୍ଚଳ । ରୁଷ୍‍-ୟୁକ୍ରେନ୍‍ରେ ବର୍ଷାଧିକକାଳ ବଳବତ୍ତର ରହିଆସିଲାଣି ପ୍ରଳୟଙ୍କର ଯୁଦ୍ଧ । ଯୁଦ୍ଧରେ ସୈନିକମାନଙ୍କ ସହ ସାଧାରଣମଣିଷମାନଙ୍କର ଜୀବନ ଚାଲିଯାଉଛି ଆଖିପିଛୁଳାକେ । ଅଥଚ ଯୁଦ୍ଧ ଥମିବାର ନାଁ ଧରୁନି । ବରଂ ଉଭୟଦେଶକୁ ସମର୍ଥନ, ସହଯୋଗ, ସହାୟତା ପ୍ରଦାନପୂର୍ବକ ନିଆଁରେ ଘିଅ ଢାଳୁଛନ୍ତି ଅନ୍ୟ ଅନେକ ରାଷ୍ଟ୍ର ।

ଋକ୍ତପ୍ରଳୟ ପୟୋଧିରେ କ୍ଷୁଦ୍ର ବଟପତ୍ରଭଳି ଭାସୁଛି ମଣିପୁର । ଭାରତର ପାହାଡିଆ ରାଜ୍ୟ ମଣିପୁରରେ ୫୨ଭାଗ ହିନ୍ଦୁ ମଇତୟୀ ସଂପ୍ରଦାୟ ସମତଳ ଅଞ୍ଚଳରେ ଏବଂ ୪୮ଭାଗ କୁକି-ନାଗା ଖ୍ରୀଷ୍ଟିୟାନ୍‍ ମୁସଲମାନ ସଂପ୍ରଦାୟ ପାହାଡପର୍ବତ ଅଞ୍ଚଳରେ ବାସକରନ୍ତି ।
ବିବାଦର ମୂଳକାରଣ ହେଲା – ମଇତୟୀ – କୁକି ଆଦିବାସୀ ସଂପ୍ରଦାୟ ମଧ୍ୟରେ ବ୍ରିଟିଶ୍‍ ଅମଳରୁ ଲଗାତାର ଲାଗିରହିଥିବା ଅନ୍ତର୍ବିବାଦ । ବ୍ରିଟିଶ୍‍ମାନେ ଭେଦନୀତିରେ ଭାରତକୁ ଶାସନ କରୁଥିବା କଥା ବେଶ୍‍ ଜଣାଣୁଣା – ସଂପ୍ରଦାୟ ମଧ୍ୟରେ ପହିଲେ ଭାଗଭାଗକାରୀ ବାତାବରଣ ଉପୁଜାଇ ହଜାରେ ବିବାଦ, ଲଢେଇ ଲଗାଇଦେଉଥିଲେ ଶେଷକୁ । ଜମିବିବାଦ ମଇତୟୀ – କୁକି ସଂପ୍ରଦାୟ ମଧ୍ୟରେ ଲାଗିରହିଆସିଥିଲା ଆରମ୍ଭରୁ । ଏ ଦୁଇଗୋଷ୍ଠୀଙ୍କର ପୃଥକ ସଂସ୍କୃତି, ଭିନ୍ନ ଧରଣର ଭାଷା ମଧ୍ୟ ବିବାଦର ମୂଳମଞ୍ଜି । ଯେଉଁଠି ଉଭୟ ସଂପ୍ରଦାୟ ରହୁଛନ୍ତି – ସେଠାରେ ବେଶି ଝଗଡା । ସାମାଜିକ, ଅର୍ଥନୈତିକ ଅବ୍ୟବସ୍ଥା ଦ୍ୱାରା ସୃଷ୍ଟ ଦୂରତା, ବେକାରୀ, ଦୁଃସ୍ଥିତି, ଦାରିଦ୍ର‌୍ୟ, ଆତ୍ମବିକାଶର ଅଭାବ ଇତ୍ୟାଦି କାରଣ ହିଁ ବିବାଦର ମଞ୍ଜିକୁ କେବେଠୁ ମହାଦ୍ରୁମ କରାଇବାର ମହାବିକଟ ପରିସ୍ଥିତି ସୃଷ୍ଟି କରିଆସିଛି ।

ବର୍ଷବର୍ଷର ଅଶାନ୍ତିଅସନ୍ତୋଷର ଯେଉଁ ବହ୍ନି ପ୍ରଜ୍ୱଳିତ ହେଉଥିଲା, ତାହାର ଶେଷଝୁଲ ଦୃଶ୍ୟ ହେଲା ଏଇ ୨୦୨୩ ଅପ୍ରେଲ୍‍ ୨୭ ତାରିଖରେ । ମଣିପୁର ହାଇକୋର୍ଟ ରାୟରେ ନିର୍ଦ୍ଦେଶଦେଲେ – ମଇତୟୀ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା (ସିଡ୍ୟୁଲ୍‍ ଟ୍ରାଇବ୍‍, ଏସ୍‍.ଟି.) ଲିଷ୍ଟ୍‍ରେ ରଖାଯାଉ । ଏଣେ ସଂଖ୍ୟାଧିକ ମଇତୟୀ ହିନ୍ଦୁମାନେ ବହୁବର୍ଷଧରି ତାଙ୍କୁ ଆଦିବାସୀ ଶ୍ରେଣୀରେ ରଖାଯାଉବୋଲି ଦାବୀ କରିଆସୁଥିଲେ ।

ହାଇକୋର୍ଟଙ୍କ ଏପରି ଅଦୂରଦୃର୍ଶୀ ରାୟ – ଉତ୍ତରପୂର୍ବାଞ୍ଚଳ ମଣିପୁରରେ ଜନଅସନ୍ତୋଷକୁ ରକ୍ତଯୁଦ୍ଧର ଭୟାବହ ପରିଣାମ ପ୍ରଦାନ କଲା । ଏହା ମାନବତା ବିରୁଦ୍ଧରେ ଘୋର ଅପମାନ – ଅପରାଧ । ଏହି ରାୟ ବାରୁଦଗଦାରେ ନିଆଁଗୁଳା ଗେଞ୍ଜିଦେଲା । ଏହା ବିରୁଦ୍ଧରେ କ୍ରମେ ବ୍ୟାପିବାକୁ ଆରମ୍ଭ କଲା ଭୟଙ୍କର ଆନ୍ଦୋଳନ, ପୋଡାଜଳା । ବନ୍ଧୁକ ମହଜୁଦ୍‍ ଗୋଦାମ, ପୋଲିସ୍‍ ଥାନା ଲୁଟପାତ୍‍ ହେଲା । ଯିଏ ଯେଉଁ ମାରଣାସ୍ତ୍ର ପାଇଲା ବନ୍ଧୁକ, ଗୁଳି ବୋହିନେଇଗଲେ । ପୁଲିସ୍‍ ଓ ପାରାମିଲିଟାରୀ ଫୋର୍ସ ନିରବଦ୍ରଷ୍ଟା ହୋଇ ଅନାଇଥାନ୍ତି । ବହୁ ଜୀବନହାନୀ ସମେତ ଧନସାମଗ୍ରୀ ଲୁଟତରାଜ୍‍ ମଧ୍ୟ ଘଟିଚାଲିଲା । ବିଭିନ୍ନ ନେତାଙ୍କ ଘର ପୋଡିଦିଆଗଲା । ଜଣଙ୍କ ଘରପୋଡିର ନିଆଁ ତ ଅନ୍ୟମାନଙ୍କ ଘରକୁ ଡେଇଁବ ହିଁ ଡେଇଁବ । ଏଣେ ଚୀନ୍‍, ମିଆଁମାର୍‍ର ସଶସ୍ତ୍ର ଗରିଲାବାହିନୀ ଟାକିରହିଥିଲେ – ପଶିଆସି ବିଦ୍ରୋହର ନିଆଁକୁ ଜଳେଇବାରେ ସାହାଯ୍ୟ କଲେ ।

ପାହାଡ, ପର୍ବତ, ସମତଳ ଅଞ୍ଚଳରେ ଏ ଦୁଇ ସଂପ୍ରଦାୟ ମଧ୍ୟରେ ଦିନେ ସାଙ୍ଗସାଥୀ, ବନ୍ଧୁବାନ୍ଧବ ଥିଲେ – ଆଜି ସେମାନେ ପରସ୍ପର ସହ ଶତ୍ରୁତା, ହଣାକଟାରେ ମାତିଛନ୍ତି । ମଣିପୁରକୁ କେବେଠୁ ଆସାମ୍‍ ରାଇଫଲ୍‍ ପାରାମିଲିଟାରୀବାହିନୀ ଜଗିରହିଛନ୍ତି । ୨୦୦୪ ଜୁଲାଇ ୧୫ରେ ୧୨ଜଣ ମା’ଭଉଣୀ ଲଙ୍ଗଳାହୋଇ ପ୍ଲାକାର୍ଡରେ ଲେଖି ସ୍ଲୋଗାନ ଦେଇଥିଲେ – “ଭାରତୀୟ ସୈନ୍ୟମାନେ ଆମକୁ ରେପ୍‍ କରିବେ କି ?” ହାଜତରେ ରେପ୍‍ କରି ୩୨ବର୍ଷୀୟା ମନୋରମାକୁ ମର୍ଡର କରିଦିଆଯାଇଥିଲା । ଦୋଷ ଥିଲା – ମନୋରମା ଥିଲେ ମହାବିଦ୍ରୋହିଣୀ – ତାଙ୍କୁ ଅମାନୁଷିକ ଅତ୍ୟାଚାରକରି ଏଭଳି ଅବିଚାରିତ ଭାବରେ ତଥା ବଣ୍ୟରୀତିରେ ହତ୍ୟାକରିବା ଘଟଣା ସାରାବିଶ୍ୱକୁ ସ୍ପବ୍ଧ କରିଦେଇଥିଲା ସେ ସମୟରେ ।

କେବଳ ଯେ ମଣିପୁର ଜଳୁଛି ତା’ ନୁହେଁ – ସାରାଦେଶରେ ଅଶାନ୍ତିଅସନ୍ତୋଷର ବହ୍ନି ବିଷ୍ଫୋରଣମୁଖୀ ହେବାରେ ଲାଗିଛି । ଏଇ କେତେଦିନ ହେଲା – କୁସ୍ତିଗୀର ଝିଅ ଦେହସାରା, ବିଶେଷକରି ସ୍ତନ ଓ ପେଟରେ ହାତଚଳାଇବାର ଅଭିଯୋଗ କୁସ୍ତିସଂସ୍ଥାର ଅଧ୍ୟକ୍ଷ ବ୍ରିଜ୍‍ଭୂଷଣଙ୍କ ନାଁରେ ଉଠିଆସିଲା । ସେ ବିଜେପିର ଲୋକସଭା ସଦସ୍ୟ । କୁସ୍ତିଗୀର ଯୁବକଯୁବତୀ ମାସମାସଧରି ଧାରଣା ଆନ୍ଦୋଳନ ଚଳାଇଲେ । ଏ ଜଘନ୍ୟ ଅଭିଯୋଗ ଉଠିଥିଲେ ବି ପ୍ରଧାନମନ୍ତ୍ରୀ ମୋଦିଜୀ, ଗୃହମନ୍ତ୍ରୀ ଅମିତ ଶାହାଜୀ ସାଂଘାତିକ ନିରବ ରହିଲେ । ଅଭିଯୁକ୍ତ ବ୍ରିଜ୍‍ଭୂଷଣ ଗିରଫ କରାଗଲେ କାଳେ ସରକାରଙ୍କ ମୁହଁ ପୋଡିଯିବ – ସେଥିପାଇଁ ଗାଲେଇଦେଲେ ଏଭଳି ଅଘଟଣଟାକୁ । ସେ ଝିଅଟି ଯଦି ଆମ ଘରର ହୋଇଥାନ୍ତା – ଆମେ କ’ଣ ଚୁପ୍‍ହୋଇ ବସିଥାନ୍ତେ ? ଆମେ କ’ଣ ସତରେ ଅମଣିଷ ହୋଇଗଲେ ?

କେବଳ କୁସ୍ତିଗୀରଙ୍କ ଘଟଣା ନୁହେଁ – ସାରାଦେଶରେ ନାରୀଜାତି ଉପରେ ଯେଉଁ ଯୌନାଚାର, ବ୍ୟଭିଚାରର ବର୍ବରତା ବଜାୟ ରହିଛି – ତାହା ଆମେ ଗଣମାଧ୍ୟମରେ ପ୍ରତିଦିନ ଦେଖୁଛେ, ଶୁଣୁଛେ । କାଁଭାଁ ପ୍ରତିବାଦ ହେଉଛି କେଉଁଠି କେଉଁଠି କେବଳ, ଖବରକାଗଜରେ ଖୋରାକ୍‍ ଜୁଟାଇବାକୁ ସିନା, ନହେଲେ ଅସଲ ପ୍ରତିକାରର ପର୍ବ ଆରମ୍ଭ ହେଉଛି କାହିଁ ପ୍ରକୃତରେ ? ପ୍ରତିବାଦର ପଟୁଆର ପୁଣି ଆୟୋଜିତ ହେଉଛି ଅଳ୍ପ କେତେକଙ୍କ ଦ୍ୱାରା । ଶେଷ ହୋଇଯାଉଛି ଯଥାଶୀଘ୍ର । ଆମେ ସବୁ ଚୁପ୍‍ଚାପ୍‍ । ହଁ – ଆମଘରେ ହୋଇନିତ ?

ଏହି ପରିପ୍ରେକ୍ଷୀରେ ଆଉ ଏକ ଐତିହାସିକ ଘଟଣା ବଖାଣୁଛି । ଆମେରିକା-ଭିଏତନାମ୍‍ ଯୁଦ୍ଧ ୨୩ବର୍ଷ ଧରି ଚାଲିଥିଲା । ଆମ ଓଡିଶା ଭଳି ଭିଏତନାମ୍‍ବାସୀ ଚାଷବାସକରି ସଂସାର ଚଳାଉଥିଲେ । ସେମାନେ ଆମେରିକା ପାଖରେ ହାର୍‍ ମାନିଲେନାହିଁ । ଆମେରିକା ସେନାବାହିନୀଙ୍କ ସେତେବେଳର ବର୍ବର କାଣ୍ଡ, ଅକଳ୍ପନୀୟ ଅନ୍ୟାୟ, ଅତ୍ୟାଚାର ଆକ୍ରମଣର ଗାଥା ଭାଷାରେ ବର୍ଣ୍ଣନା କରିବା କଷ୍ଟକର । ଭିଏତନାମରେ ବଢିଲା ସୁନ୍ଦରୀ ଝିଅମାନଙ୍କୁ ହାଟବଜାରରେ ଆମେରିକାର ବର୍ବର ସୈନ୍ୟମାନେ ଖାସିକାଟିଲା ଭଳି ଗୋଡ ଉପରକୁ କରି ଟାଙ୍ଗିଦେଇ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ସେମାନଙ୍କ ସ୍ତନକୁ ଧାରୁଆ ଛୁରିରେ କାଟିପକାଉଥିଲେ । ରକ୍ତ ପିଚ୍‍ ପିଚ୍‍ ହୋଇ ବୋହିଯାଉଥିଲାବେଳେ କେତେକେତେ ଝିଅ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲାବେଳେ ସେମାନଙ୍କ ସମ୍ବେଦନଶୀଳ ସ୍ଥାନରେ ବନ୍ଧୁକମୂନ ଖେଞ୍ôଚଦେଉଥିଲେ ମାର୍କିନ୍‍ ସୈନ୍ୟ । ହାଟବଜାରରେ ଜନଗହଳିପୂର୍ଣ୍ଣ ଜାଗାରେ ଲୋକମାନଙ୍କୁ ଦେଖିବାପାଇଁ ବାଧ୍ୟ କରୁଥିଲେ ପୁଣି ଏ ବୀଭତ୍ସ ଦୃଶ୍ୟମାନ ଆମେରିକୀୟ ସୈନ୍ୟଦଳ । ଆଜି ମଣିପୁରରେ ତା’ର ପୁନରାବୃତ୍ତି ଘଟିଛି । ଏ ଘଟଣା ଆମ ବିଶ୍ୱର ସର୍ବବୃହତ୍‍ ଜନସଂଖାବିଶିଷ୍ଟ ଦେଶରୂପେ ପରିଗଣିତ ଭୂଖଣ୍ଡର ଭାରତୀୟମାନଙ୍କୁ ଭୀରୁ ସାବ୍ୟସ୍ତ କରୁଛି । ଭାରତୀୟ ଜନଗଣମନ ମଧ୍ୟରେ ଉଦାସୀନତା, ସମ୍ବେଦନଶୂନ୍ୟତାକୁ ଦେଖିଲେ ଜଣେ ଭାରତୀୟ ଭାବେ ନିଜକୁ ଘୋରତର ଲଜ୍ଜିତ ଲାଗୁଛି ।

୨୩ବର୍ଷ ଧରି ଚାଲିଆସିଥିବା ଭିଏତ୍‍ନାମ ଯୁଦ୍ଧରେ ‘ନାପାମ’ ବୋମାଦ୍ୱାରା ବିଧ୍ୱସ୍ତ ଓ ଅଗ୍ନିଗର୍ଭସ୍ଥ ଏକ ଗାଁରୁ କ୍ରନ୍ଦନରତା ଅବସ୍ଥାରେ ବଡ ବିକଳ ଭାବେ ଦୌଡୁଥିବା ଏକ ଉଲଗ୍ନ ଶିଶୁକନ୍ୟାର ଚିତ୍ର ଦେଖିବାକୁ ମିଳିଥିଲା । ଜଣେ ସାମ୍ବାଦିକ ଏହି ଫଟୋଗ୍ରାଫ୍‍ଟି ଆମେରିକା ଅଗୋଚରରେ ବାହାରକୁ ପଠେଇଦେଇଥିଲେ । ପ୍ରକାଶିତ ଏହି ଗୋଟିଏ ଫଟୋଗ୍ରାଫ୍‍ରେ ବିଶ୍ୱଜନମତ କମ୍ପିଉଠିଥିଲା ସେ ସମୟରେ । ବାଧ୍ୟହୋଇ ଆମେରିକା ଭିଏତ୍‍ନାମରୁ ହଟିଆସିଥିଲା ଦିନେ ।

ଏହି ଲେଖକ ୧୯୭୧ରେ ନବଜନ୍ମିତ ବଂଗଳାଦେଶକୁ ‘ସମାଜ’ ପ୍ରତିନିଧି ଭାବରେ ଯାଇଥିଲା । ଢାକା ପାଖ ‘ଗଳାମାରି’ ବିଲରେ ପାକ୍‍ସେନା ପାଖାପାଖି ମାସମାସ ପୂର୍ବବଂଗର ସୁନ୍ଦରୀଝିଅବୋହୂମାନଙ୍କୁ ଜବରଦସ୍ତ ଘରୁ ଟେକିଆଣି ସେନାଛାଉଣୀରେ ଉପଭୋଗ କରୁଥିଲେ – ଜଣେ ନୁହେଁ – ସେଇ ଏକାଧିକ ବର୍ବର ପାକ୍‍ସେନାଙ୍କ ଯୌଥ ଯୌନାଚାରରେ କେତେକଙ୍କ ପ୍ରାଣବାୟୂ ସୁଦ୍ଧା ଉଡିଯାଉଥିଲା – ଆଉ କେତେକ ଗର୍ଭବତୀ ହୋଇ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିରହିଥିଲେ । ସେମାନଙ୍କୁ ହତ୍ୟାକରି ଏଇ ଗଳାମାରୀ ବିଲରେ ଫିଙ୍ଗିଦିଆଯାଇଥିଲା । ମୁଁ ଯେତେବେଳେ ସେଇ ସ୍ଥାନକୁ ଦେଖିବାକୁ ଯାଇଥିଲି – ସେତେବେଳେ ଶହଶହ ହତଭାଗା ସ୍ୱାମୀ, ବାପଭାଇମାନେ ଅଣ୍ଡାଳୁଥିଲେ ଆତ୍ମୀୟମାନଙ୍କ ଲୁଗାପଟା । ଗଳାମାରିର କାନ୍ଦଣା ଏବେବି ମୋ ଆତ୍ମାକୁ ମନ୍ଥିତ କରେ, ମନେପଡିଗଲେ । ସେଇଭଳି ଘଟଣା ଏବେ ମଣିପୁରରେ ଘଟିଗଲା – କେବଳ ମଣିପୁର ନୁହେଁ, ସାରାବିଶ୍ୱରେ ଘଟିଚାଲିଛି ଏଭଳି ଅଘଟଣ, ଗୋପନରେ ଅବଶ୍ୟ ।

ସଂପ୍ରତି ୟୁରୋପୀୟ ୟୁନିଅନ୍‍ ଦ୍ୱାରା ମଣିପୁର ଘଟଣାର ଦୃଢନିନ୍ଦା କରାଯାଇ ପ୍ରସ୍ତାବ ଗୃହିତ ହୋଇଛି । ଭାରତସରକାର ସଫେଇ ଦେଉଛନ୍ତି – ‘ଏ ଆମ ଆଭ୍ୟନ୍ତରୀଣ ସମସ୍ୟା, ସେଥିରେ କେହି ମୁଣ୍ଡ ଖେଳିଇବା ଦରକାର ନାହିଁ ।’

ମଣିପୁର ରକ୍ତସ୍ନାନରେ ବିଜେପି ହିନ୍ଦୁତ୍ୱ ଫେଲ୍‍ ମାରିଛି । ଆସାମ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି – “କୁକି-ନାଗାମାନେ ପାହାଡପର୍ବତରୁ ସମତଳ ଉପତ୍ୟକାକୁ ଚାଲିଆସନ୍ତୁ, ମଇତୟୀମାନେ ପାହାଡ ଉପରକୁ ଯାଇପାରିବେନି ।” ଏ ଟିପ୍ପଣୀ ପୁଣି ନିଆଁରେ ଘିଅ ଢାଳିବା ସଦୃଶ । ସଂସଦ ସଡକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଗଲାଣି । ମଣିପୁରରେ ବିଜେପି ସରକାର ଅଛି । ସେଠାରେ ଦୁଇଟି ଲୋକସଭା ଆସନ ପାଇଁ ମୋଦିବାବୁ ଏତେ ପାଗଳ କାହିଁକି ? ଏଭଳି ପାଗଳାମି କଲେ ସେ କ’ଣ ବିଶ୍ୱଗୁରୁ ହୋଇପାରିବେ ?

ମଣିପୁର ଛୋଟ ରାଜ୍ୟ ହେଲେବି ଏହାର ଐତିହ୍ୟ ମହାନ୍‍ । ମହାଭାରତର ମହାବୀର ଅର୍ଜ୍ଜୁନ ଏଇ ରାଜ୍ୟରେ ବିବାହ କରିଥିଲେବୋଲି ମହାଭାରତରୁ ଜଣାପଡେ । ମଣିପୁରୀ ନୃତ୍ୟ ମଧ୍ୟ ବିଶ୍ୱପ୍ରସିଦ୍ଧ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରସରକାର ଏ ସମସ୍ୟାର ସମାଧାନ କରିବାରେ ସଂପୂର୍ଣ୍ଣ ବିଫଳ – ଯାହା ଆଜି ହିଂସାର ଉଗ୍ରରୂପ ଧାରଣକରିଛି । ମଣିପୁର ହାଇକୋର୍ଟ ପରାମର୍ଶ ଦେଇପାରେ – ରାୟ ନୁହେଁ । କିଏ କେଉଁ ଜାତିରେ ରୂପାନ୍ତରିତ ହେବେ – ଏହାର ଦାୟିତ୍ୱ କେନ୍ଦ୍ରସରକାରଙ୍କ ଅନ୍ୟସଂସ୍ଥା ହାତରେ ।

ଆଉ କେତେଦିନ ଲୋକ ମରିବେ, କେତେ ଝିଅବୋହୂ ବର୍ବରତାର ଶିକାର ହେବେ, କେତେ ଧନସମ୍ପତି ନାଶବିନାଶ ସମତେ କେତେ ଘର କେଉଁଠି ପୋଡିବ – ମୋଦି ସରକାର ଆଉ କେତେକାଳ ଅନ୍ଧଧ୍ରୁତରାଷ୍ଟ୍ର ଭୂମିକାରେ ଅଭିନୟ କରିବେ ? ସତେଯେମିତି ଭାରତବର୍ଷ ‘ବନ୍ଦେ ଭାରତ’ ସ୍ପିଡ୍‍ ରେଳଗାଡିରେ ବସିଛି । ପାଗଳା ଡ୍ରାଇଭର ଗାଡି ଚଳାଉଛି । ବ୍ରେକ୍‍ ଫେଲ୍‍ । ଗାଡି ମାଡିଚାଲିଛି । ଯେଉଁଠି ଧକ୍କାହୋଇ ଦୁର୍ଘଟଣାଗ୍ରସ୍ତ ହେବ – ଦେଖିବାକୁ ଆମେ ବଞ୍ଚିନଥିବା ।

ଦ୍ରୌପଦୀଙ୍କ ବସ୍ତ୍ରହରଣବେଳେ କୁରୁସଭାରେ ସବୁ ମହାମହା ଜ୍ଞାନୀ, ପଣ୍ଡିତ, ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ପ୍ରମୂଖ, ଏପରିକି ପାଣ୍ଡବ ପାଞ୍ଚଭାଇ ଏ ଦରବାରୀ ସଭାରେ ମୌନ ରହିଥିଲେ – କେବଳ ଅନ୍ଧରାଜା ଧ୍ରୁତରାଷ୍ଟ୍ରଙ୍କୁ ବିଦୂର ପ୍ରଶ୍ନ ପଚାରିଥିଲେ । ଆଜି କେହିଜଣେ ବିଦୂର ନାହାଁନ୍ତି – ମଣିପୁର ବିଶ୍ୱଲଜ୍ୟା ସଂପର୍କରେ ଶାସକଙ୍କୁ ପଚାରିବାକୁ । ସମସ୍ତେ କ’ଣ ଅନ୍ଧ ପାଲଟିଗଲେ ! କଳିଯୁଗର ଏପରି ଏକ କରାଳ କାଳଖଣ୍ଡରେ ଦୁଷ୍ଟ ଦୁଃଶାସନମାନଙ୍କ ଦ୍ୱାରା, ଦିନ ଦ୍ୱିପହରରେ ନାରୀର ଇଜ୍ଜତ ହରଣ ହେଉଥିବାବେଳେ କେହି ରକ୍ଷାକରିବାକୁ ଆସୁନାହାଁନ୍ତି ।

ମଣିପୁର ଝିଅଙ୍କ ଲଙ୍ଗଳା ଦେହକୁ ନେଇ ଆଠଶହରୁ ହାଜାରେ ପାଖାପାଖି ଦୁଃଶାସନର ଦଳ ଖେଳ ଖେଳୁଥିବା ମାତ୍ର ୨୬ ସେକେଣ୍ଡର ଭିଡିଓ ସାମ୍ନାକୁ ଆସିଲାପରେ ସାରାଦେଶ – ସାରାବିଶ୍ୱରେ ଲଜ୍ଜା ଲଜ୍ଜା ଧ୍ୱନି ପ୍ରକମ୍ପିତ କରୁଛି ଗଗନପବନ । ଚତୁର୍ଦିଗରେ ଘୃଣାର ଘୁଣପୋକ ଚରିବାରେ ବ୍ୟସ୍ତ । ସୁପ୍ରିମ୍‍କୋର୍ଟ କହିଛନ୍ତି – “ସରକାର କିଛି କରିପାରିବେନାହିଁ, ଯଦି ସରକାର କିଛି କରିପାରିବେ ନାହିଁ ଆମେ କରିବୁ ।” ଏହା ମାନବଧିକାର ସମ୍ବିଧାନର ଚରମ ଉଲଘଂନ । ଯଦିବା ସୁପ୍ରିମ୍‍କୋର୍ଟ କିଛି ପଦକ୍ଷେପ ନିଅନ୍ତି କିମ୍ବା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କିଛି ଆଦେଶ ଦିଅନ୍ତି – ତାକୁ ପାଳନ କରିବ କିଏ ? ସେନାବାହିନୀ, ପୁଲିସ୍‍ବାହିନୀକୁ ରକ୍ଷାମନ୍ତ୍ରୀ ଗୃହମନ୍ତ୍ରୀ ଆଦେଶ ନଦେଲେ ସେମାନେ ଇଞ୍ଚେ ଘୁଞ୍ଚିବେ ନାହିଁ । ଯଦି ଅବସ୍ଥା ଭୟଙ୍କର ଆଡକୁ ଗଲା – ତେବେ ପ୍ରଧାନମନ୍ତ୍ରୀ ଜବରଦସ୍ତ ରାଷ୍ଟ୍ରପତିଙ୍କ ଠାରୁ ସ୍ୱାକ୍ଷର ଆଣି ଅଘୋଷିତ ଜରୁରୀକାଳୀନ ପରିସ୍ଥିତିକୁ ଘୋଷିତ ଜରୁରୀକାଳୀନ ପରିସ୍ଥିତିରେ ପରିଣତ କରିଦେବେ ।

ଏସବୁ ଯେଉଁ ବୀଭତ୍ସ ଘଟଣାମାନ ପ୍ରତିନିୟତ ଘଟିଯାଉଛି – ତା’ର ମୂଳକାରଣ ଆମର ପ୍ରତାରିତ ସମାଜ ବ୍ୟବସ୍ଥା । ମନେରଖିବାକୁ ହେବ – ନାରୀପ୍ରତି ଅତ୍ୟାଚାର, ଶୋଷଣ, ଦମନ, ଅପମାନ, ପୁରା ମାନବତା ପାଇଁ କଳଙ୍କ । ଇତିହାସ ବଡ ନିଷ୍ଠୁର । ସେ ନିଶ୍ଚୟ ଲିପିବଦ୍ଧ କରିଦେବ ଭାରତର ଏକ କୋଣରେ ମହିଳାଙ୍କୁ ଲଙ୍ଗଳା କରି ଗଣଯୌନାଚାର କରାଯାଇଥିଲା – ସେତେବେଳେ ସାରାଦେଶ, ସାରାବିଶ୍ୱ କେବଳ ଆରୋପ-ପ୍ରତ୍ୟାରୋପରେ ହିଁ ଶେଷ କରିଦେଇଥିଲେ ସମୟ ।

ଭାରତର ବର୍ତ୍ତମାନ ପୂତ୍ତିଗନ୍ଧମୟ ପୁ୍‍ଞ୍ଜିବାଦୀ ବ୍ୟବସ୍ଥା ଚାଲିଛି । ଏଠି ସମ୍ବିଧାନ, ଆଇନ୍‍କାନୁନ୍‍ ସବୁ ବେକାର । ସବୁ ସେଇ ଧନଦାନବ – କ୍ଷମତାପାଗଳ ଶାସକମାନଙ୍କର ଭୟଙ୍କର ଖେଳାଲୀଳା । ଏ ବ୍ୟବସ୍ଥା – କଳିକାଳର ଅନ୍ତିମ ଅକାଳ । ଏହାକୁ କେବଳ ବଦଳାଇବାକୁ ହେବନି – ସଂପୂର୍ଣ୍ଣ ଭାଙ୍ଗି ସମୁଦ୍ରରେ ଫିଙ୍ଗିଦେବାର ବେଳ ଆସିଛି । ପୁଣି ନୂଆଯୁଗ – ସତ୍ୟଯୁଗ ଆରମ୍ଭ ହେବ ଖୁବ୍‍ ଶୀଘ୍ର ।

ଏବେ ମଣିପୁରର ମହିଳାମାନଙ୍କୁ ଘେରି ନାଚକରୁଥିବା ମରଦମାନଙ୍କ ଭିଡ ଚାରିଆଡେ ଦେଖାଗଲାଣି । ଧରିନିଅନ୍ତୁ – ସେ ମହିଳାମାନେ ମଣିପୁରର ନୁହଁନ୍ତି – ସେମାନେ କୁକି ନୁହଁନ୍ତି – ସେମାନେ ଆଉ କିଛି ନୁହଁନ୍ତି – କେବଳ ନାରୀ । ଆମ ମା’ ଭଉଣୀ, ଝିଅ ।

ଯାହାସବୁ ଘଟୁଛି – ଘଟିଛି – ସେ କଥାସବୁ ଖବରକାଗଜ, ଟିଭିରେ ଶହେରୁ ଭାଗେ ଦେଖୁଛନ୍ତି ପଢୁଛନ୍ତି । କୌଣସି ଭାବାବେଗ ନାହିଁ । ଏହାଦ୍ୱାରା ମଣିପୁର କ୍ଷତିଗ୍ରସ୍ତ – ଆମେ ସମସ୍ତେ କ୍ଷତିଗ୍ରସ୍ତ । ନେପୋଲିୟନ୍‍ ବୋନାପାର୍ଟ କହିଥିଲେ – “ଦୃଷ୍ଟଲୋକଙ୍କ ହିଂସାର କାରଣରୁ ବିଶ୍ୱ ଯେତେ ପ୍ରଭାବିତ ହୋଇନଥାଏ, ବରଂ ଭଲଲୋକଙ୍କ ନିରବତାରୁ ଅଧିକ କ୍ଷତିଗ୍ରସ୍ତ ହୁଏ” ।

ଆମେ କ’ଣ ସତରେ ମଣିଷ ଜନ୍ମ ପାଇଛେ ? ବିପୁଳ ସଂଖ୍ୟକ ପୁରୁଷମାନଙ୍କ ଭିଡ ନାରୀମାନଙ୍କୁ ଧରିନେଉଥିଲେ । ଭିଡ ଭିତରେ ଘାତକମାନଙ୍କ ହାତ, ଝିଅବୋହୂଙ୍କ ବିଭିନ୍ନ ଅଙ୍ଗକୁ ଚିପାଚିପି ସହ ଦେହ ସହିତ ଖେଳୁଥିଲା । ସେମାନେ କାନ୍ଦୁଥିଲେ – ଚାତକମାନେ ଚାହିଁ ଚାହିଁ ନିଜ ଚାପା ହସ ନିଜେ ଚାଖୁଥିଲେ ।

ଆପଣ ଯଦି ଏ କଥା ଚାରିଆଡେ କହିବେ ନାହିଁ – ସେ ନାରୀମାନଙ୍କ ଦେହ ତ ଦେହ, ସବୁଦିନ ସକାଶେ ମନ ମଧ୍ୟ କାଳକାଳକୁ ବିବସ୍ତ୍ର ହୋଇ ରହିଯିବ । ଆପଣମାନେ ନିରବ ରହିଲେ – ଆପଣ ବି ସେଇ ଘାତକମାନଙ୍କ ସହ ସମାନ ହୋଇଯିବେ । ମଣିପୁରରେ ନାରୀମାନଙ୍କ ସେଇ ମାନସିକ ବିବସ୍ତ୍ରତା ଅନୁଭବ କରିପାରିବେନି – ସେମାନଙ୍କ ଆର୍ତ୍ତନାତ ଶୁଣିପାରିବା ଭଳି ଅବସ୍ଥାରେ ଆଉ ନାହାଁନ୍ତି କୌଣସି ସତ୍‍ବିବେକୀ ।

କୋଉ ଦେଶରେ କୋଉ ନଦୀ ଅଛି – ମଣିପୁର ଓ ଦେଶର ଅନ୍ୟାନ୍ୟ ରାଜ୍ୟରେ ଘଟୁଥିବା ଏଭଳି ବର୍ବର ଯୌନବୀଭତ୍ସତାକୁ ଧୋଇଦେବ ? କୋଉ ଭଗବାନ ଦେଶରେ ଅଛନ୍ତି – ଏ ଜଘନ୍ୟ କାଣ୍ଡକୁ ଦେଖି ପ୍ରତିକାର କରିବେ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking