ନୂଆଦିଲ୍ଲୀ: ଭାରତୀୟ ଜୁନିୟର ସେନ୍ସେସନ୍ ଅନ୍ତିମ ପଙ୍ଘଲ ଚଳିତ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ବିପର୍ଯ୍ୟୟ ଘଟାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାର୍ଟର ଫାଇନାଲରେ ୧୯ ବର୍ଷୀୟା ଅନ୍ତିମ ଦୁଇଥର ୨୦ ବର୍ଷରୁ କମ୍ ୱାର୍ଲ୍ଡ ଚାମ୍ପିଅନ୍ ଆମେରିକାର ଓଲିଭିଆ ଡୋମିନିକ୍ ପାରିସ୍ଙ୍କୁ ଚମତ୍କାର ଭାବେ ୩-୨ ବାଉଟ୍ରେ ହରାଇଛନ୍ତି । ୫୩ କିଗ୍ରା ମହିଳା ବର୍ଗରେ ଅନ୍ତିମଙ୍କ ମୁକାବିଲା ପାରିସଙ୍କ ବିପକ୍ଷରେ ଆରମ୍ଭରୁ ଖରାପ ରହିଥିଲା । ଏପରିକି ପ୍ରଥମ ଦୁଇଟି ବାଉଟ୍ରେ ପାରିସ୍ ଅଗ୍ରଣୀ ହାସଲ କରିଥିଲେ । ତାଙ୍କର ବିଜୟ ସୁନିଶ୍ଚିତ ମନେ ହେଉଥିଲା । ମାତ୍ର ତୃତୀୟ ବାଉଟ୍ରେ ଅନ୍ତିମ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଏହି ବାଉଟ୍କୁ ଜିତିବା ସହ ସେ ଲଗାତାର ତିନିଟି ଯାକ ବାଉଟ୍ ଜିତି ମୁକାବିଲା ବିଜୟୀ ହୋଇଥିଲେ । ସେମି ଫାଇନାଲରେ ପ୍ରବେଶ କରିବା ସହ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସୟୁ ଯୋଗ୍ୟତା ଅର୍ଜନ କରିବା ପାଇଁ ଅନ୍ତିମଙ୍କ ନିକଟରେ ସୁଯୋଗ ରହିଛି । ପ୍ରିକ୍ୱାର୍ଟର ଫାଇନାଲରେ ଅନ୍ତିମ ପୋଲାଣ୍ଡର ରୋକ୍ସାନା ମାର୍ଟା ଜାସିନାଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ଅନ୍ୟ ମହିଳା ଭାରତୀୟ ରେସ୍ଲରଙ୍କ ମଧ୍ୟରେ ୬୨ କିଗ୍ରା ବର୍ଗରେ ମନୀଷା, ୬୮ କିଗ୍ରାରେ ପ୍ରିୟଙ୍କା ଓ ୭୨ କିଗ୍ରା ବର୍ଗରେ ଜ୍ୟୋତି ବ୍ରେୱାଲ ପରାସ୍ତ ହୋଇଛନ୍ତି । ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ପୁରୁଷ ବର୍ଗରେ ଭାରତ ପକ୍ଷରୁ ୧୦ଜଣ ପ୍ରତିଦ୍ୱନ୍ଦ୍ୱିତା କରଇଥିବା ବେଳେ ସମସ୍ତେ ପରାଜିତ ହୋଇ ଟାଇଟଲ ଦୌଡରୁ ବାଦ ପଡ଼ିଛନ୍ତି ।