25.1 C
Bhubaneswar
Saturday, January 18, 2025
Homeଖେଳୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନଶିପ୍‌: ପଦକ ରାଉଣ୍ଡ୍‌ରେ ନୀରଜ ଓ ରୋହିତ

ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନଶିପ୍‌: ପଦକ ରାଉଣ୍ଡ୍‌ରେ ନୀରଜ ଓ ରୋହିତ

ଇଉଜେନ୍ : ଏଠାରେ ଚାଲିଥିବା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଭାରତର ତାରକା ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଓ ରୋହିତ ଯାଦବ ପଦକ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ଗୁରୁବାର ଅନୁଷ୍ଠିତ କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ୨୪ ବର୍ଷୀୟ ନୀରଜ ତାଙ୍କର ପ୍ରଥମ ପ୍ରୟାସରେ ୮୮.୩୯ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି କ୍ୟାରିୟର୍‌ରେ ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ପୂର୍ବକ ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପହଞ୍ଚିଛନ୍ତି । ସେହିପରି ଗ୍ରୁପ୍‌-ଏ’ରେ ସାମିଲ୍ ଥିବା ନୀରଜଙ୍କ ପ୍ରଦର୍ଶନ ଦ୍ୱିତୀୟ ସର୍ବଶ୍ରେଷ୍ଠ ରହିଥିଲା । ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଗ୍ରେନାଡାର ଆଣ୍ଡର୍‌ସନ୍ ପିଟର୍ସ ତାଙ୍କଠାରୁ ଅଧିକ ଅର୍ଥାତ୍ ୮୯.୯୧ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଗ୍ରୁପ୍‌-ବି’ରେ ପ୍ରଥମ ସ୍ଥାନରେ ରହିଥିଲେ । ଫାଇନାଲ୍‌ରେ ପହଞ୍ଚିବା ପରେ ନିଜ ପ୍ରତିକ୍ରିୟାରେ ନୀରଜ କହିଛନ୍ତି ଯେ ତାଙ୍କ ପାଇଁ ଏହା ଏକ ଭଲ ଷ୍ଟାର୍ଟ ।

ପଦକ ରାଉଣ୍ଡ୍‌ରେ ସେ ତାଙ୍କର ଶତପ୍ରତିଶତ ପ୍ରଦର୍ଶନ ପାଇଁ ଉଦ୍ୟମ କରିବେ । ଫାଇନାଲ୍ ଦିନଟି ତାଙ୍କ ପାଇଁ ସ୍ୱତନ୍ତ୍ର ହେବ । ଚଳିତ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ୫/୬ ଜଣ ଥ୍ରୋୟର୍ ସେମାନଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ଫାଇନାଲ୍‌ଟି ବେଶ୍ ଆହ୍ୱାନମୂଳକ ହେବ ବୋଲି ନୀରଜ କହିଛନ୍ତି । ନୀରଜ ପ୍ରଥମ ଉଦ୍ୟମରେ ଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିବାରୁ ତାଙ୍କୁ ଆଉ ଦୁଇଟି ଉଦ୍ୟମ କରିବାକୁ ପଡ଼ି ନ ଥିଲା । ସେହିପରି ରୋହିତ ଗ୍ରୁପ୍‌-ବି’ କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ଷଷ୍ଠ ସ୍ଥାନରେ ରହିବା ସହ ମୋଟାମୋଟି ଭାବେ ଏକାଦଶ ସ୍ଥାନରେ ରହି ଫାଇନାଲ୍‌ରେ ପହଞ୍ଚିଛନ୍ତି । ସେ ତାଙ୍କର ପ୍ରଥମ ଉଦ୍ୟମରେ ୮୦.୪୨ ମିଟର ଦୂରତା ହାସଲ କରିଥିଲେ ।

ତାଙ୍କର ପରବର୍ତ୍ତୀ ପ୍ରୟାସଟି ଫାଉଲ୍ ହୋଇଥିଲା ଓ ତୃତୀୟ ପ୍ରୟାସରେ ସେ ମାତ୍ର ୭୭.୩୨ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗିପାରିଥିଲେ। ୨୧ ବର୍ଷୀୟ ରୋହିତଙ୍କ ଚଳିତ ସିଜନ୍‌ରେ ୮୨.୫୪ ମିଟର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିବା ବେଳେ ସେ ଗତ ମାସରେ ଜାତୀୟ ଆନ୍ତଃରାଜ୍ୟ ଚାମ୍ପିଅନ୍‌ଶିପ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ଇଭେଣ୍ଟ୍‌ର ଫାଇନାଲ୍ ରବିବାର ହେବ ଓ ଏଥିରେ ୧୨ ଜଣଙ୍କ ମଧ୍ୟରେ ୩ ପଦକ ପାଇଁ ଟକ୍କର ହେବ । କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ଦ୍ୱିତୀୟ ସ୍ଥାନରେ ଥିବାରୁ ନୀରଜଙ୍କଠାରୁ ଏଠାରେ ଏକ ପଦକ ଆଶା କରାଯାଉଛି । କ୍ୟାରିୟର୍‌ରେ ୮୯.୯୪ ମିଟର ଦୂରତା ହାସଲ କରିବାରେ ସକ୍ଷମ ହୋଇଥିବା ନୀରଜ ୨୦୧୭ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍‌ଶିପ୍‌ର ଲଣ୍ଡନ ସଂସ୍କରଣରେ ଫାଇନାଲ୍‌ରେ ପହଞ୍ଚିପାରି ନ ଥିଲେ । ଉକ୍ତ ସଂସ୍କରଣରେ କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ସେ ୮୨.୨୬ ମିଟର ଦୂରତା ହାସଲ କରି ନିର୍ଦ୍ଧାରିତ ୮୩ ମିଟର ଦୂରତାଠାରୁ ପଛରେ ରହିଯାଇଥିଲେ । ସେହିପରି ଗତ ୨୦୧୯ ଦୋହା ସଂସ୍କରଣରେ ସେ ଆଘାତଜନିତ କାରଣରୁ ଯୋଗ ଦେଇପାରି ନ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking