ଆଡିଲେଡ୍ : ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ମହିଳା ହକି ଦଳ ଗୁରୁବାର ତା’ର ତୃତୀୟ ପରାଜୟ ବରଣ କରିଛି । ପୂର୍ବରୁ ଦଳ ଅଷ୍ଟ୍ରେଲିଆଠାରୁ ୧-୨ରେ ୩ ମ୍ୟାଚ୍ ବିଶିଷ୍ଟ ସିିରିଜ୍ ହାରିଥିବା ବେଳେ ଗୁରୁବାର ଅଷ୍ଟ୍ରେଲିଆ-ଏ’ ବିପକ୍ଷ ପ୍ରଥମ ମ୍ୟାଚ୍ରେ ୩-୨ରେ ପରାସ୍ତ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଭାରତ ପକ୍ଷରୁ ସଲିମା ଟେଟେ ୪୦ତମ ଓ ସଙ୍ଗୀତା କୁମାରୀ ୫୪ତମ ମିନିଟ୍ରେ ଗୋଲ୍ ଦେଇଥିଲେ । ଅନ୍ୟପକ୍ଷରେ ଘରୋଇ ଦଳ ପକ୍ଷରୁ ଅଷ୍ଟାଦଶ ମିନିଟ୍ରେ ଆଲାଇସ୍ ଆର୍ନୋଟ୍ ପ୍ରଥମ ଗୋଲ୍ ଦେବା ପରେ ବିଂଶତମ ଓ ୩୫ତମ ମିନିଟ୍ରେ ରୁବି ହ୍ୟାରିସ୍ ଡବଲ୍ ଗୋଲ୍ ଦେଇ ଦଳକୁ ୩-୦ରେ ଅଗ୍ରଣୀ କରାଇଥିଲେ ।
ପ୍ରଥମ କ୍ୱାର୍ଟର୍ରେ ଭାରତ ଗୋଟିଏ ଓ ଅଷ୍ଟ୍ରେଲିଆ-ଏ’ ଦୁଇଟି ପେନାଲ୍ଟି କର୍ଣ୍ଣର୍ ପାଇଥିଲେ ମଧ୍ୟ ଏହି ୧୫ ମିନିଟ୍ର ଖେଳରେ କୌଣସି ଗୋଲ୍ ହୋଇ ନଥିଲା । ଦ୍ୱିତୀୟ କ୍ୱାର୍ଟର୍ରେ ଅଷ୍ଟ୍ରେଲିଆ-ଏ’ ଦୁଇଟି ଗୋଲ୍ ଦେବା ଫଳରେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଆଗୁଆ ରହିଥିଲା । ତୃତୀୟ କ୍ୱାର୍ଟର୍ରେ ଘରୋଇ ଦଳ ତା’ର ଅଗ୍ରଣୀକୁ ବଢ଼ାଇଥିବା ବେଳେ ସଲିମା ଗୋଟିଏ ଗୋଲ୍ ଶୁଝାଇଥିଲେ । ଅନ୍ତିମ କ୍ୱାର୍ଟର୍ରେ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ ପୂର୍ବକ ଦୁଇଟି ପେନାଲ୍ଟି କର୍ଣ୍ଣର୍ ପାଇଥିଲା । କିନ୍ତୁ ଏଥିରୁ ଦଳ କୌଣସି ଗୋଲ୍ କରିପାରି ନ ଥିଲା । ଅବଶ୍ୟ ୫୪ତମ ମିନିଟ୍ରେ ସଙ୍ଗୀତା ଗୋଲ୍ ଦେଇଥିଲେ, କିନ୍ତୁ ଅଷ୍ଟ୍ରେଲିଆ-ଏ’ ଅନ୍ତିମ ସମୟ ପର୍ଯ୍ୟନ୍ତ ତା’ର ଅଗ୍ରଣୀକୁ କାଏମ ରଖି ବିଜୟୀ ହୋଇଥିଲା । ଏହି ଦଳ ବିପକ୍ଷରେ ଭାରତ ତା’ର ଦ୍ୱିତୀୟ ତଥା ଗସ୍ତର ଅନ୍ତିମ ମ୍ୟାଚ୍ ଆସନ୍ତା ୨୭ ତାରିଖରେ ଖେଳିବ ।