17.1 C
Bhubaneswar
Thursday, January 16, 2025
Homeଖେଳମହିଳା କ୍ରିକେଟ୍‌: ଦ୍ୱିତୀୟ ଟି-୨୦ରେ ବାଂଲା ପରାସ୍ତ; ସ୍ପିନର୍‌ଙ୍କ କରିସ୍ମାରେ ଭାରତ ସିରିଜ୍ ବିଜୟୀ

ମହିଳା କ୍ରିକେଟ୍‌: ଦ୍ୱିତୀୟ ଟି-୨୦ରେ ବାଂଲା ପରାସ୍ତ; ସ୍ପିନର୍‌ଙ୍କ କରିସ୍ମାରେ ଭାରତ ସିରିଜ୍ ବିଜୟୀ

ଢାକା : ଚଳିତ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍‌ରେ ଭ୍ରମଣକାରୀ ଭାରତ ୨-୦ରେ ବିଜୟୀ ହୋଇଛି । ବିଜୟରୁ ସିରିଜ୍ ଆରମ୍ଭ କରିବା ପରେ ଭାରତ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ସ୍ପିନର୍‌ଙ୍କ ଯାଦୁକରୀ ବୋଲିଂ ବଳରେ ୮ ରନ୍‌ରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ୍‌ରେ ମାତ୍ର ୯୫ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ଶେଫାଳୀ ବର୍ମା ୪ଟି ଚୌକା ସହ ୧୯ ରନ୍ କରିଥିବା ବେଳେ ଅମନ୍‌ଜୋତ୍ କୌର୍ ୨ଟି ଚୌକା ଜରିଆରେ ୧୪, ଅନ୍ୟତମ ଓପନର ସ୍ମୃତି ମନ୍ଧାନା ୨ଟି ଚୌକା ସହ ୧୩, ୟାସ୍ତିକା ଭାଟିଆ ଗୋଟିଏ ଚୌକା ମାଧ୍ୟମରେ ୧୧ ଓ ଦୀପ୍ତି ଶର୍ମା ଗୋଟିଏ ଚୌକା ସହ ୧୦ ରନ୍ କରିଥିଲେ । ବାଂଲାଦେଶ ପକ୍ଷରୁ ସୁଲ୍‌ତାନା ଖାତୁନ୍ ୩ଟି, ଫହିମା ଖାତୁନ୍ ୨ଟି ଏବଂ ମାରୁଫା ଅକ୍‌ତର, ନାହିଦା ଅକ୍‌ତର୍ ଓ ରାବେୟା ଖାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳ ପକ୍ଷରୁ କେବଳ ଅଧିନାୟିକା ନିଗାର୍ ସୁଲତାନା ଲଢ଼ୁଆ ପ୍ରଦର୍ଶନ ପୂର୍ବକ ୩୮ ରନ୍‌ର ଇନିଂସ ଖେଳିଥିଲେ । କିନ୍ତୁ ତାଙ୍କୁ କେହି ବି ସହଯୋଗ କରି ନ ଥିଲେ ।

ଏହି କାରଣରୁ ଦଳର ପରବର୍ତ୍ତୀ ସର୍ବାଧିକ ସ୍କୋର୍ ୭ ଥିଲା, ଯାହାକି ଶୋମା ଅଖତର ସ୍କୋର୍ କରିଥିଲେ । ଏକଦା ଦଳ ୫ ୱିକେଟ୍‌ରେ ୮୬ ରନ୍ କରିଥିଲେ ହେଁ ସୁଲ୍‌ତାନାଙ୍କ ୨ଟି ଚୌକା ସମ୍ବଳିତ ଇନିଂସ ଶେଷ ହେବା ପରେ ଭାରତୀୟ ସ୍ପିନର୍‌ମାନେ ଆଉ ମାତ୍ର ୧ ରନ୍ ବ୍ୟୟ କରି ଅବଶିଷ୍ଟ ୫ଟି ୱିକେଟ୍ ଦଖଲ କରିଥିଲେ । ଫଳରେ ଇନିଂସର ଅନ୍ତିମ ବଲ୍‌ରେ ଦଳୀୟ ସ୍କୋର୍ ୮୭ ଥିବା ସମୟରେ ବାଂଲାଦେଶ ଅଲ୍‌ଆଉଟ୍ ହୋଇ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଥିଲା । ଭାରତ ପକ୍ଷରୁ ଦୀପ୍ତି ଓ ଶେଫାଳୀ ୩ଟି ଲେଖାଏଁ ଏବଂ ମୀନୁ ମାନି ୨ଟି ୱିକେଟ୍ ପାଇଥିବା ବେଳେ ବାରେଡି ଅନୁଶା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତାଙ୍କର ପ୍ରଥମ ୱିକେଟ୍ ହାସଲ କରିଥିଲେ । ଦୀପ୍ତି ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ସିରିଜ୍‌ର ତୃତୀୟ ତଥା ଅନ୍ତିମ ଟି-୨୦ ଆସନ୍ତା ଗୁରୁବାର ଏଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking