କଟକ : ଜଗତପୁର ଥାନା ନିୟୁତରୋଳ ରମାଦେବୀନଗରରେ ଜଣେ ମହିଳା ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁଲିସ ମୃତି ଦେହକୁ ଜବତକରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ଏହି ଘଟଣାରେ ମୃତକଙ୍କ ସ୍ୱାମୀକୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି । ଜଗତସିଂହପୁର ତିର୍ତ୍ତୋଲ ଥାନା ତେନ୍ତୁଳିପଦା ଗ୍ରାମର ଗିରିଶ ପରିଜାଙ୍କ ଝିଅ ମିଲନ୍ ପରିଜା (୨୯) ରମାଦେବୀନଗରରେ ୮ମାସ ପୂର୍ବେ ବିବାହ କରିଥିଲେ । ଆଜି ଆତ୍ମହତ୍ୟା ଖବର ପାଇବା ପରେ ମିଲନ ପରିବାର ପକ୍ଷରୁ ଯୌତୁୁକ ନିର୍ଯାତନା ଯୋଗୁ ତାଙ୍କ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରାଯାଇଛି ।
ପୁଲିସ ଅଭିଯୋଗ ପାଇବା ପରେ ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ କଟକ ବଡ ମେଡିକାଲ ପଠାଇଛନ୍ତି । ଏଥିସହ ମହିଳାଙ୍କ ଝୁଲନ୍ତା ମୃତ ଦେହ ନିକଟରୁ ସୁଇସାଇଡାଲ୍ ନୋଟ୍ ପୁଲିସ ଜବତ କରିଛି । ଏହି ଲେଖା ଝିଅର ହାତ ଲେଖା ନୁହେଁ ବୋଲି ପରିବାର ଲୋକେ କହିଛନ୍ତି । ପୁଲିସ ଏ ନେଇ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।